ଢେଙ୍କାନାଳ,୯।୭(ଆପ୍ର): ଢେଙ୍କାନାଳ ଜିଲ୍ଲା ଭୁବନରେ ଝାଡାବାନ୍ତିରେ ଆଉ ଜଣକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଭୁବନ ବ୍ଲକ ଓଡିଶ ଗାଁର ବାସନ୍ତି ମହନ୍ତ(୪୨)ଙ୍କର ମୃତ୍ୟୁ ଘଟିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୁଧବାର ସନ୍ଧ୍ୟାରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । 

ବାସନ୍ତିଙ୍କୁ ଝାଡା ବାନ୍ତି ହେବାରୁ ବୁଧବାର ସକାଳେ ପରିବାର ଲୋକେ କାମାକ୍ଷାନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା କରାଯାଇଥିଲା । ମାତ୍ର ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ଫଳରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଡିଏଚଏଚ୍ ଡାଇରିଆ ଓ୍ବାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏଣୁ ଝାଡାବାନ୍ତିରେ ମୃତ୍ୟୁ ହୋଇଥିବା ପରିବାଲୋକେ ଅଭିଯୋଗ ଆଣିଛନ୍ତି । ସେହିଭଳି ଉକ୍ତ ଗାଁର ଆନ୍ୟ ଦୁଇ ତିନି ଜଣ ଝାଡାବାନ୍ତିରେ ଆକ୍ରାନ୍ତ ଥିବା ଜଣାଯାଇଛି । ସେହିଭଳି ବୁଧବାର ଡିଏଚଏଚର ଡାଇରିଆ ଓ୍ବାର୍ଡରେ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ସଞ୍ଜୟ ମହାପାତ୍ର କହିଛନ୍ତି ଜଣଙ୍କର ମୃତ୍ୟୁ ହୋଇଛି ମାତ୍ର ତାଙ୍କ କିଡନି ସମସ୍ୟା ବି ରହିଛି । ଏଣୁ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି । 

  ପ୍ରକାଶ ଥାଉକି, କିଛି ଦିନ ପୂର୍ବରୁ ଭୁବନରେ ଡାଇରିଆ ବ୍ୟାପିଥିଲା । ଅନେକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ମାତ୍ର ତାହା ହୃଦଘାତରେ ମୃତ୍ୟୁ ହୋଇଥିବା କହି ସ୍ବାସ୍ଥ୍ୟ ବିଭାଗ ଓ  ପ୍ରଶାସନ ଅସ୍ବୀକାର କରିଥିଲା । ଏବେ ପୁଣି ଡାଇରିଆରେ ଆଉ ଏକ ମୃତ୍ୟୁ ଅଭିଯୋଗ ଚିନ୍ତା ବଢାଇଛି ।