ଭୁବନେଶ୍ୱର, ୨୨/୭ : ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ରାଜ୍ୟ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଉଦିତ୍ ପ୍ରଧାନ ଗିରଫ ହେବାପରେ କଂଗ୍ରେସ ବଦନାମ ମୁଣ୍ଡାଇଛି। ଏହି ଘଟଣା ପରେ ଭୁବନେଶ୍ଵରରେ କଂଗ୍ରେସ ବିରୋଧୀ ପୋଷ୍ଟର ଛାଇ ଯାଇଛି। ପିସିସି ସଭାପତିଙ୍କ ଇସ୍ତଫା ଦାବି ସହ ଛାତ୍ର କଂଗ୍ରେସକୁ ବୟକଟ୍ ଲେଖାଥିବା ମାଳ ମାଳ ପୋଷ୍ଟର ଛକ ଛକରେ ଲାଗିଛି। ଏହି ପୋଷ୍ଟରରେ ରାହୁଲ ଗାନ୍ଧୀ ଓ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନଙ୍କ ଫଟୋ ଥିବାବେଳେ ଜଣେ ଦେଶଦ୍ରୋହୀ ଏବଂ ଅନ୍ୟ ଜଣେ ବଳାତ୍କାରୀ ବୋଲି ଲେଖାଯାଇଛି। ତେବେ ଏହି ପୋଷ୍ଟର କିଏ ଲଗାଇଛି ତାହା ଜଣାପଡ଼ି ନାହିଁ।
ପ୍ରକାଶ ଥାଉକି, ଜଣେ ଯୁବତୀଙ୍କୁ କୋଲ୍ଡଡ୍ରିଙ୍କସ୍ରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଉଦିତ ପ୍ରଧାନ ଗିରଫ ହୋଇଛନ୍ତି। ଉଦିତ ଗିରଫ ହେବା ପରେ ତାଙ୍କୁ କଂଗ୍ରେସରୁ ନିଲମ୍ଵିତ କରାଯାଇଛି। ଏହି ଘଟଣାର ଅନୁଧ୍ୟାନ ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ଏକ କମିଟି ଗଠନ କରିଛନ୍ତି। ଏହି କମିଟିରେ ପିସିସି ଉପସଭାପତି ସସ୍ମିତା ବେହେରାଙ୍କୁ ଅଧ୍ୟକ୍ଷା କରାଯାଇଥିବା ବେଳେ ବିଧାୟିକା ସୋଫିଆ ଫିର୍ଦ୍ଦୋଶ, ଡ.ଦେବସ୍ମିତା ଶର୍ମା, ସୋନାଲି ସାହୁ, ଜୟଶ୍ରୀ ପାତ୍ର,ଡ. ମନିଶା ଦାସ ପଟ୍ଟନାୟକ ରହିଛନ୍ତି। ଉକ୍ତ କମିଟି ଖୁବ୍ଶୀଘ୍ର ଅଭିଯୋଗ କରିଥିବା ପୀଡ଼ିତାଙ୍କୁ ଭେଟିବା ସହିତ ଆଲୋଚନା କରିବେ। ଏକ ରିପୋର୍ଟ ପ୍ରସ୍ତୁତ କରି ପିସିସି ସଭାପତିଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।