ନୂଆଦିଲ୍ଲୀ,୨୫/୦୨: ୧୯୮୪ର ବହୁ ଚର୍ଚ୍ଚିତ ଶିଖ୍ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଜ୍ଜନ କୁମାରକୁ ଆଜୀବନ ସଜା ହୋଇଛି । ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟ । ସରସ୍ବତୀ ବିହାରରେ ଶିଖ୍ ବାପା-ପୁଅ ହତ୍ୟା ମାମଲାରେ ଏହି ସଜା ଶୁଣାଯାଇଛି । ଗତ ୧୨ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ ।

ଦିଲ୍ଲୀର ସରସ୍ବତୀ ବିହାରରେ ୧୯୮୪ ନଭେମ୍ବର ୧ ତାରିଖ ରେ ହୋଇଥିବା ଶିଖ୍ ବିରୋଧୀ ହିଂସା ମାମଲାରେ ସଜ୍ଜନଙ୍କୁ ଆଜୀବନ ଜେଲ ହୋଇଛି । ଏହି ଦଙ୍ଗାରେ ସର୍ଦ୍ଦାର ଜସବନ୍ତ ସିଂହ ଏବଂ ତାଙ୍କ ପୁଅ ତରୁଣଦୀପ ସିଂହଙ୍କ ହତ୍ୟା ମାମଲାରେ ସଜ୍ଜନଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ରାଉସ ଆଭେନ୍ୟୁ କୋର୍ଟର ସ୍ବତନ୍ତ୍ର ବିଚାରପତି କାବେରୀ ବାୱେଜା ରାୟ ଶୁଣାଇଛନ୍ତି । ଶିଖ୍ ଦଙ୍ଗା ମାମଲାରେ ପୀଡିତଙ୍କୁ ପରିବାରକୁ ୪୧ ବର୍ଷ ପରେ ନ୍ୟାୟ ମିଳିଛି ।

ଗତ ଫେବୃଆରୀ ୧୨ ତାରିଖରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ ହୋଇଥିଲେ । ତିହାର ସେଣ୍ଟ୍ରାଲ ଜେଲ କର୍ତ୍ତୃପକ୍ଷଙ୍କୁ ସଜ୍ଜନଙ୍କ ମାନସିକ ସ୍ବାସ୍ଥ୍ୟ ନେଇ ରିପୋର୍ଟ ମାଗିଥିଲେ । ଶିଖ୍ ଦଙ୍ଗା ମାମଲାରେ ପ୍ରଥମେ ପଞ୍ଜାବ ବାଗ  ଥାନାରେ ମାମଲା ରୁଜ୍ଜୁ ହୋଇଥିଲା । ଏହାପରେ ମାମଲା ତଦନ୍ତ ଆରମ୍ଭ ହୋଇଥିଲା । ୨୦୨୧ ଡିସେମ୍ବର ୧୬ ତାରିଖରେ ସଜ୍ଜନଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା । ସେବେ ସଜ୍ଜନ କୁମାର ସାଂସଦ ଥିଲେ । ଦଙ୍ଗାକାରୀ ମାନେ ବାପ-ପୁଅଙ୍କୁ ଲୁହା ରଡ ଓ ବାଡିରେ ଆକ୍ରମଣ କରିଥିଲେ । ଦୁଇଜଣଙ୍କୁ ଜିଅନ୍ତା ଜାଳି ଦେଇଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦେଶବ୍ୟାପୀ ଶିଖ୍ ସମ୍ପ୍ରଦାୟ ବିରୋଧରେ ଦଙ୍ଗା ହୋଇଥିଲା ।  ସଜ୍ଜନ କୁମାର ଭିଡ ଉସକାଇଥିବା ଅଭିଯୋଗ କରିଥିଲେ ପୀଡିତଙ୍କ ପରିବାର ।

କହି ରଖୁଛୁ କି, ସଜ୍ଜନ କୁମାରଙ୍କୁ ଦ୍ବିତୀୟ ଥର ଆଜୀବନ ଜେଲ ଦଣ୍ଡ ମିଳିଛି । ପୂର୍ବରୁ ସେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ମାମଲାରେ ଆଜୀବନ ସଜା କାଟୁଛନ୍ତି । ତାଙ୍କ ବିରୋଧରେ ଶ ଶିଖ୍ ବିରୋଧୀ ଦଙ୍ଗା ନେଇ ୩ଟି ମାମଲା ରହିଥିଲା । ସେଥିରୁ ଗୋଟି କରେ ସେ ଖଲାସ ହୋଇ ସାରିଛନ୍ତି ।