ନୂଆଦିଲ୍ଲୀ, ୧୮।୦୯: ବାମପନ୍ଥୀ ଫାସିଷ୍ଟ ବିରୋଧୀ ଆଣ୍ଟିଫାକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ପରେ ପୁଣି ଥରେ ଟାର୍ଗେଟ୍ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଘନିଷ୍ଠ ସହଯୋଗୀ ତଥା ଦକ୍ଷିଣପନ୍ଥୀ ରାଜନେତା ଚାର୍ଲି କିର୍କଙ୍କ ହତ୍ୟାର କିଛି ଦିନ ପରେ ଟାର୍ଗେଟ୍ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ରେ ଏକ ପୋଷ୍ଟ କରି ରାଷ୍ଟ୍ରପତି ଟ୍ରମ୍ପ ଆଣ୍ଟିଫା ଆନ୍ଦୋଳନକୁ ପାଣ୍ଠି ଯୋଗାଉଥିବା ଲୋକଙ୍କୁ ସିଧା ସିଧା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଏହି ଆନ୍ଦୋଳନକୁ ସମର୍ଥନ କରୁଥିବା ଲୋକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ।
ରାଷ୍ଟ୍ରପତି ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି, “ମୁଁ ମୋର ସମସ୍ତ ଆମେରିକୀୟ ଦେଶଭକ୍ତଙ୍କୁ ଜଣାଇ ଖୁସି ହେଉଛି ଯେ ମୁଁ ଆଣ୍ଟିଫାକୁ ଏକ ଅସୁସ୍ଥ, ବିପଦଜନକ, ମୌଳବାଦୀ ବାମପନ୍ଥୀକୁ ଏକ ପ୍ରମୁଖ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରୁଛି । ମୁଁ ଦୃଢ଼ ଭାବରେ ସୁପାରିଶ କରୁଛି ଯେ, ଆଣ୍ଟିଫାକୁ ପାଣ୍ଠି ଯୋଗାଉଥିବା ଲୋକଙ୍କୁ ସର୍ବୋଚ୍ଚ ଆଇନଗତ ମାନଦଣ୍ଡ ଏବଂ ସମ୍ପୂର୍ଣ୍ଣ ତଦନ୍ତ କରାଯିବା ଉଚିତ୍ ।”
କହିରଖୁଛୁ ଯେ, ଆଣ୍ଟିଫା ହେଉଛି "ଆଣ୍ଟି-ଫାସିଷ୍ଟ"ର ସଂକ୍ଷିପ୍ତ ଶବ୍ଦ, ଯାହା ବାମପନ୍ଥୀ ଗୋଷ୍ଠୀଗୁଡ଼ିକର ଏକ ବିଚ୍ଛିନ୍ନ ଗୋଷ୍ଠୀକୁ ବର୍ଣ୍ଣନା କରିବା ପାଇଁ ବ୍ୟବହୃତ ହୁଏ । ଏହା ଆମେରିକାରେ ଏକ ବାମପନ୍ଥୀ, ଫାସିବାଦ ବିରୋଧୀ ରାଜନୈତିକ ଆନ୍ଦୋଳନ ଯାହା ଜାତିଗତ ହିଂସା ଏବଂ ଭେଦଭାବ ବିରୁଦ୍ଧରେ ସମର୍ଥନ କରେ । ସଂଗଠନଟି ସାଧାରଣତଃ ଏହାର ଉଦ୍ଦେଶ୍ୟ ହାସଲ କରିବା ପାଇଁ ଅହିଂସା ଉପାୟ ବ୍ୟବହାର କରେ, କିନ୍ତୁ ଅନେକ ସମୟରେ ହିଂସାତ୍ମକ ପଦକ୍ଷେପ ମଧ୍ୟ ଗ୍ରହଣ କରିଛି ।
ଆଣ୍ଟିଫା ଲଗାତାର ପୋଷ୍ଟର, ବ୍ୟାନର ଏବଂ ଫ୍ଲାୟାର ଭଳି ଅହିଂସାତ୍ମକ ରଣନୀତି ବ୍ୟବହାର କରିଛି । ତଥାପି, କେତେକ ଡିଜିଟାଲ ସକ୍ରିୟତା, ଡକ୍ସିଂ, ଉତ୍ପୀଡ଼ନ ଏବଂ ଏପରିକି ଶାରୀରିକ ହିଂସା ଏବଂ ସମ୍ପତ୍ତି କ୍ଷତି ଭଳି ରଣନୀତି ମଧ୍ୟ ବ୍ୟବହାର କରିଛନ୍ତି । ଏହି ଆନ୍ଦୋଳନର ସମର୍ଥକମାନେ ଡାହାଣପନ୍ଥୀ ଉଗ୍ରବାଦୀମାନଙ୍କୁ ମୁକାବିଲା କରିବାକୁ ଲକ୍ଷ୍ୟ ରଖନ୍ତି ଏବଂ ଜାତିଗତ ଭେଦଭାବ ବିରୁଦ୍ଧରେ ମଧ୍ୟ ଲଢ଼ନ୍ତି । ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ ଅନୁଯାୟୀ, ଆଣ୍ଟିଫା ଦ୍ୱାରା ବ୍ୟବହୃତ ସବୁଠାରୁ ସାଧାରଣ ପ୍ରତୀକ ମଧ୍ୟରୁ ଗୋଟିଏ ହେଉଛି ୧୯୧୭ର ରୁଷ ବିପ୍ଳବର ଲାଲ୍ ପତାକା ଏବଂ ୧୯ ଶତାବ୍ଦୀର ଅରାଜକତାବାଦୀଙ୍କ କଳା ପତାକାର ମିଶ୍ରଣ । ଆଣ୍ଟିଫା ଗୋଷ୍ଠୀଗୁଡ଼ିକ ପ୍ରାୟତଃ ଡାହାଣପନ୍ଥୀ ସମାବେଶ ଏବଂ ରାଲିକୁ ବାଧା ଦେବା ପାଇଁ ପ୍ରତିବାଦ କରନ୍ତି । ସେମାନେ ସାମାଜିକ ଗଣମାଧ୍ୟମ, ଏନକ୍ରିପ୍ଟେଡ୍ ପିଅର୍-ଟୁ-ପିଅର୍ ନେଟୱାର୍କ ଏବଂ ସିଗନାଲ ଭଳି ମେସେଜିଂ ସେବା ମାଧ୍ୟମରେ ସେମାନଙ୍କର କାର୍ଯ୍ୟକଳାପ ପରିଚାଳନା କରନ୍ତି ।
ତହିରଖୁଛୁ ଯେ, ସେପ୍ଟେମ୍ବର ୧୦ରେ ୟୁଟା ଭ୍ୟାଲି ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମ ସମୟରେ ୩୧ ବର୍ଷୀୟ ଚାର୍ଲି କିର୍କଙ୍କୁ ହତ୍ୟା କରାଯାଇଥିଲା । ତାଙ୍କ ବେକରେ ଗୁଳି ବାଜିଥିଲା । ଆକ୍ରମଣର କିଛି ମୁହୂର୍ତ୍ତ ପରେ ଆକ୍ରମଣକାରୀ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ପରେ ଆକ୍ରମଣକାରୀ ଟାଇଲର୍ ରବିନସନ୍ଙ୍କୁ ଗିରଫ କରାଯାଇଥିଲା । କିର୍କ ଲାଭ ନେଉନଥିବା ରାଜନୈତିକ ସଂଗଠନ ‘ଟର୍ଣ୍ଣିଂ ପଏଣ୍ଟ ୟୁଏସଏ’ର ସହ-ପ୍ରତିଷ୍ଠାତା ଏବଂ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଥିଲେ । ରାଷ୍ଟ୍ରପତି ଟ୍ରମ୍ପ ସୋସିଆଲ ମିଡିଆରେ ତାଙ୍କ ମୃତ୍ୟୁ ଘୋଷଣା କରି କିର୍କଙ୍କୁ ଜଣେ ମହାନ ବ୍ୟକ୍ତି ଭାବେ ପ୍ରଶଂସା କରିଥିଲେ ।