କଟକ,୦୭/୦୧: ନିକଟରେ ରିଲିଜ୍‌ ହୋଇଥିବା ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଫିଲ୍ମ ‘ୱାଇଫ୍‌’କୁ ନେଇ ଆପତ୍ତି ଉଠାଇଛନ୍ତି ଅଭିନେତା ଅନୁଭବ ମହାନ୍ତି । ଏ ନେଇ ସେ ସୋସିଆଲ୍‌ ମିଡିଆରେ  ଏକ ପୋଷ୍ଟ କରିଛନ୍ତି । ତାଙ୍କ ବୌବାହିକ ଜୀବନକୁ ନେଇ ବର୍ଷା କରିଥିବା ଫିଲ୍ମ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । 

ଯେଉଁଥିରେ ସେ ଦର୍ଶାଇଛନ୍ତି, ବର୍ଷା ନିଜେ ଅଭିନୟ କରିଥିବା ଏହି ଫିଲ୍ମରେ ତାଙ୍କୁ ଭୁଲ ଭାବେ ଚିତ୍ରଣ କରିଥିବାରୁ ଅନୁଭବ ସୋସିଆଲ୍‌ ମିଡିଆ ମାଧ୍ୟମରେ ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବର୍ଷା ତାଙ୍କ ନାଁରେ ମିଛ ଅଭିଯୋଗ କରି ଅପପ୍ରଚାର କରିଥିବା ସେ ଲେଖିଛନ୍ତି । ଏଥିପାଇଁ ବର୍ଷାଙ୍କୁ ଖୋଲା ମଞ୍ଚକୁ ବିତର୍କ ପାଇଁ ଆହ୍ୱାନ କରିଛନ୍ତି ଅନୁଭବ । 

ସେ  ଆହୁରି ଲେଖିଛନ୍ତି କୋର୍ଟରେ ଛାଡ଼ପତ୍ର  ମାମଲାରେ ତାଙ୍କର ବିଜୟ ହୋଇଛି ।  ତେଣୁ ତାଙ୍କ ଦାମ୍ପତ୍ୟ ଜୀବନକୁ ନେଇ ପୁଣି ଥରେ ବିବାଦ ନକରିବାକୁ ସେ ବର୍ଷାଙ୍କୁ ପରାମର୍ଶ ଦେଇଛନ୍ତି । ସାରା ଓଡିଶାରେ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍‌  ଥିବା ବେଳେ ତାଙ୍କୁ କୌଣସି ଭୁଲ ବାର୍ତ୍ତା ନଦେଇ ଏହି ଅଧ୍ୟ୍ୟାୟକୁ ଏଇଠି ବନ୍ଦ କରିବାକୁ କହିଛନ୍ତି ଅନୁଭବ । 


ସୂଚନା  ଅନୁଯାୟୀ, ଜାନୁଆରୀ ୩ ତାରିଖରେ  ଓଡ଼ିଶାର ୧୦ଟି ହଲ୍‌ରେ ବର୍ଷାଙ୍କ ଏହି  ଫିଲ୍ମ ‘ୱାଇଫ୍‌’ରିଲିଜ୍‌ ହୋଇଥିଲା । ଫିଲ୍ମ ପ୍ରମିୟର ଅବସରରେ ଅନୁଭବଙ୍କ ସହ ତାଙ୍କ ଦାମ୍ପତ୍ୟ ଜୀବନକୁ ନେଇ  କରିଥିବା ଏହି ଫିଲ୍ମ ପ୍ରସଙ୍ଗରେ  ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ ସେ ଏହାକୁ ଏଡ଼ାଇ ଯାଇଥିଲେ । ସମାଜକୁ ଏକ ସକରାତ୍ମକ ବାର୍ତ୍ତା ଦେବାକୁ ଏହି ଫିଲ୍ମ କରିଥିବା କହିଥିଲେ ।