ନୂଆଦିଲ୍ଲୀ : ତେଜ ପ୍ରତାପ ଯାଦବ ଓ ଅନୁଷ୍କା ଯାଦବଙ୍କ ମଧ୍ୟରେ କଥିତ ସମ୍ପର୍କକୁ ନେଇ ଥଣ୍ଡା ପଡ଼ିଥିବା ବିବାଦ, ଏବେ ପୁଣି ଥରେ ତେଜିଛି। ରାଷ୍ଟ୍ରୀୟ ଜନତା ଦଳ (RJD) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ। ଆକାଶ ଯାଦବ ତେଜ ପ୍ରତାପଙ୍କ ବିରୋଧରେ ପାଟନା କୋର୍ଟରେ ଏକ ସିଭିଲ୍ ମକଦ୍ଦମା ଦାୟର କରିଛନ୍ତି ଏବଂ ଅଭିଯୋଗ କରିଛନ୍ତି ଯେ, ତେଜ ପ୍ରତାପ ତାଙ୍କ ଭାଣେଜୀ ଉଜ୍ଜୟିନୀଙ୍କୁ ଭେଟିବା ପାଇଁ ତାଙ୍କ ଘରେ ଜୋର ଜବରଦସ୍ତ ପ୍ରବେଶ କରିଥିଲେ। ତାଙ୍କ ଅଭିଯୋଗ ସତ୍ତ୍ୱେ କୌଣସି ଏଫଆଇଆର୍ ପଞ୍ଜିକୃତ ନହେବାରୁ ଆକାଶ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଆକାଶ  ଅଭିଯୋଗ କରିଛନ୍ତି ଯେ ଉଜ୍ଜୟିନୀ ଏବଂ ତାଙ୍କ ପରିବାର ବିପଦ ଅନୁଭବ କରୁଛନ୍ତି। କାରଣ ସେହି ରାତିରେ ନିଜକୁ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର କହି ଜଣେ ବ୍ୟକ୍ତି ସେମାନଙ୍କୁ ବିଦେଶରୁ ଫୋନ୍‌ କରି ଧମକ ଦେଇ ଥିଲେ।

 

ଆକାଶ ଯାଦବ କୋର୍ଟରେ ଦାୟର ମାମଲା ସହ ପୁଲିସକୁ ଦେଇଥିବା ଅଭିଯୋଗର ଏକ କପି ମଧ୍ୟ ଯୋଡ଼ିଛନ୍ତି ଏବଂ କହିଛନ୍ତି ଯେ, ତାଙ୍କ ପାଖରେ ଅଭିଯୋଗ ପ୍ରମାଣ କରିବା ପାଇଁ ତଥ୍ୟ ଅଛି । ପୁଲିସକୁ ଦିଆଯାଇଥିବା ଅଭିଯୋଗରେ ଆକାଶ ଅଭିଯୋଗ କରିଛନ୍ତି ଯେ, ଯେବେ ସେ ଜୁନ୍ ୬ ରେ ରାଜସ୍ଥାନରେ ଥିଲେ, ସେତେବେଳେ ରାତିରେ ତେଜ ପ୍ରତାପ ତାଙ୍କ ପିଏ ମୋତି ଲାଲ ଯାଦବଙ୍କ ସହିତ ରାତିରେ ତାଙ୍କ ଘରେ ଜୋର ଜବରଦସ୍ତ ପ୍ରବେଶ କରିଥିଲେ। ଆକାଶ କହିଛନ୍ତି ,ତେଜ ପ୍ରତାପ ପ୍ରାୟତଃ ତାଙ୍କ ଘରକୁ ଜୋରଜବରଦସ୍ତ ଆସନ୍ତି ଏବଂ ଭୟରେ ସେ ତାଙ୍କୁ ଭିତରକୁ ଛାଡିବାକୁ ଦିଅନ୍ତି। ଆକାଶ ଅଭିଯୋଗ କରିଛନ୍ତି ଯେ, ତେଜ ପ୍ରତାପ ଉଜ୍ଜୟିନୀଙ୍କୁ ଭେଟିବା ପାଇଁ ଜୋର ଜବରଦସ୍ତ ଘରେ ପଶିବାକୁ ଚେଷ୍ଟା କରିଥିଲେ। ଘରେ ଥିବା ତାଙ୍କ ମାଆ ଓ ଭଉଣୀ ଗେଟ୍‌ ନଖୋଲିବାରୁ ସେ ଶୌଚାଳୟ ଯିବାକୁ ବାହାନା କରି ଘରେ ପଶି ଥିଲେ ଏବଂ ବାହାରକୁ ଆସି ନଥିଲେ।

 

ଆକାଶ କହିଛନ୍ତି , ପାଟନାରୁ ଏହି ବିଷୟରେ ସୂଚନା ପାଇବା ପରେ, ସେ ମୋତିଲାଲଙ୍କୁ ଫୋନ୍ କରି ତେଜ ପ୍ରତାପଙ୍କ ଘରେ ପ୍ରବେଶ କରି ଉଜ୍ଜୟିନୀଙ୍କୁ ନେଇଯିବାକୁ ଚେଷ୍ଟା କରିବା ବିଷୟରେ ପଚରା ଉଚରା କରିଥିଲେ। ଆକାଶଙ୍କ କହିବା ଅନୁଯାୟୀ, କିଛି ସମୟ ପରେ ମୋତିଲାଲ ଫୋନରେ ତେଜ ପ୍ରତାପଙ୍କ ସହ ତାଙ୍କୁ କଥା କରାଇ ଥିଲେ। ଯେଉଁଥିରେ ତାଙ୍କୁ ଧମକ ଦିଆ ଯାଇ କୁହାଯାଇଥିଲା ଯେ ,ଯଦି ସେ ତାଙ୍କୁ ଉଜ୍ଜୟିନୀଙ୍କୁ ଭେଟିବାରୁ ବାରଣ କରନ୍ତି, ତେବେ ସେ ତାଙ୍କ ଭାଣେଜୀଙ୍କୁ ଅପହରଣ କରି ନେବେ। କିଛି ସମୟ ପରେ ମୋତିଲାଲ ପୁଣି ଫୋନ୍ କରି ଏହି ଘଟଣା ଏବଂ କଥାବାର୍ତ୍ତାକୁ ଗୋପନ ରଖିବାକୁ ନିର୍ଦ୍ଦେଶ ଦେଇ ଥିଲେ। ଆକାଶଙ୍କ କହିବାନୁସାରେ , ଏହାପରେ ଏକ ବିଦେଶୀ ନମ୍ୱରରୁ ନିଜକୁ ଲରେନ୍ସ ବିଷୋଇର ଲୋକ ବୋଲି ଦାବି କରୁଥିବା ବ୍ୟକ୍ତିଙ୍କ ଏକ କଲ୍ ଆସିଥିଲା। ତେଜ ପ୍ରତାପଙ୍କ ବିରୋଧରେ ପୁଲିସରେ କହିଲେ ଗୁଳି କରିବାକୁ ଧମକ ଦେଇଥିଲେ। ଆକାଶ ଜୁନ୍ ୧୦ରେ ପାଟଳୀପୁତ୍ର ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ, କିନ୍ତୁ କୌଣସି ଏଫଆଇଆର ପଞ୍ଜିକୃତ ନହେବାରୁ ସେ କୋର୍ଟରେ ଅଭିଯୋଗ କରିଥିଲେ।

 

ଉଲ୍ଲେଖନୀୟ ଯେ, ଅନୁଷ୍କା ଯାଦବଙ୍କ ଝିଅ ଉଜ୍ଜୟିନୀର ଜନ୍ମ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ହୋଇ ଥିଲା। ସେତେବେଳେ ତେଜ ପ୍ରତାପ ଯାଦବ କହିଥିଲେ , ତାଙ୍କର ନାମ ଏହି ଦୁଇଜଣଙ୍କ ସହିତ ଯୋଡ଼ି ତାଙ୍କୁ ବଦନାମ କରିବା ପାଇଁ ଏ ଷଡ଼ଯନ୍ତ୍ର ଚାଲିଛି। ସେ କହିଥିଲେ - ଯାହାଙ୍କ ସହିତ ତାଙ୍କ ନାମ ଯୋଡା ଯାଉଛି ,ତାଙ୍କର ସମ୍ୱନ୍ଧ ଆକାଶ ଭାଟି ନାମକ ଜଣେ ବ୍ୟକ୍ତିଙ୍କ ସହ ରହିଛି। ତେଜ ପ୍ରତାପ ଏବଂ ଅନୁଷ୍କା ଯାଦବଙ୍କ ମଧ୍ୟରେ ବିବାଦ ସେବେ ଠାରୁ ଥଣ୍ଡା ପଡ଼ିଥିଲା। କିନ୍ତୁ ଏବେ, ଆକାଶଙ୍କ ମାମଲା କୋର୍ଟରେ ପହଞ୍ଚିବା ପରେ ସବୁ ପ୍ରସଙ୍ଗ ପୁଣି ଥରେ ସାମ୍ନାକୁ ଆସିଛି।

ଆହୁରି ମଧ୍ୟ ପଢନ୍ତୁ -ପରିମଲ ନାଥଓ୍ବାନୀ ଜିତିଲେ ଝାରଖଣ୍ଡ ରାଜ୍ୟସଭା ନିର୍ବାଚନ, କଂଗ୍ରେସକୁ ଲାଗିଲା ବଡ଼ ଝଟକା