ଭୁବନେଶ୍ଵର, ୦୭/୧୨ : ସୁଉଚ୍ଚ ଅଟ୍ଟାଳିକା, କ୍ୟାମ୍ପସର ଚତୁଃପାର୍ଶ୍ଵରେ ସିସିଟିଭି କ୍ୟାମେରା, ୨୪ ଘଣ୍ଟିଆ ସିକ୍ୟୁରିଟି ବ୍ୟବସ୍ଥା, ତା ସାଙ୍ଗକୁ ଅନ୍ୟାନ୍ୟ ଚାକଚକ୍ୟ। ସିକ୍ୟୁରିଟି ଗାର୍ଡଙ୍କ ଠାରୁ ସହାୟକ ସବୁକିଛି ହାତ ପାହାନ୍ତାରେ। କେବଳ ସେତିକି ନୁହେଁ, ଲୋକଙ୍କର ସମସ୍ତ ଯାତାୟତ ବିବରଣୀ ଯାଞ୍ଚ ହେଉଥିବା ଯୋଗୁଁ ସହରୀ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଆପାର୍ଟମେଣ୍ଟ। କିନ୍ତୁ ଏ ସବୁ ଏବେ ଫିକା ପଡିଛି। ଏବେ ଲୁଟେରାଙ୍କ ଟାର୍ଗେଟ୍‌ରେ ଆପାର୍ଟମେଣ୍ଟ। ସୁରକ୍ଷା ଦେବାରେ ପୋଲିସ ବି ଫେଲ୍। ଆପାର୍ଟମେଣ୍ଟ ସୁରକ୍ଷା ଉପରୁ ତୁଟିଲାଣି ଲୋକଙ୍କ ଭରସା। ଏବେ ପ୍ରଶ୍ନ ଉଠୁଛି ଏତେ ସୁରକ୍ଷା ବ୍ୟବସ୍ଥା ଥାଇ ବି କାହିଁକି ଅସୁରକ୍ଷିତ ହୋଇପଡିଛି ଆପାର୍ଟମେଣ୍ଟ ? 

ଭୁବନେଶ୍ୱର ଓ କଟକ ୟୁପିଡିରେ ଥିବା ଆପାର୍ଟମେଣ୍ଟରେ ଆତଙ୍କ ଖେଳାଉଛନ୍ତି ସିନ୍ଧିଚୋର। କମିଶନରେଟ୍‌ ପୁଲିସ୍‌ର ରିପୋର୍ଟ କହୁଛି, ଗତ ୧୦ ମାସ ୫ ଦିନ ମଧ୍ୟରେ ଟୁଇନ୍‌ସିଟିର ୯୮ଟି ଆପାର୍ଟମେଣ୍ଟରୁ ଚୋରି ହୋଇଛି। ସର୍ବାଧିକ ସିନ୍ଧି ଚୋରି ହୋଇଛି ପାହାଳ ଥାନା ଅଞ୍ଚଳରେ। ବିଶେଷକରି ଯେଉଁଠି ସିସିଟିଭି କାମ କରୁନି କିମ୍ବା ସୁରକ୍ଷା କର୍ମୀ ନାହାନ୍ତି ସେଭଳି ଆପାର୍ଟମେଣ୍ଟରେ ହୋଇଛି ସର୍ବାଧିକ ଚୋରି। ଏସବୁ ରୋକିବାକୁ ହେଲେ ଦକ୍ଷ ସୁରକ୍ଷା କର୍ମୀ ଲୋଡା। ହେଲେ କମ୍ ଟଙ୍କାରେ ତାଲିମ ପାଇଥିବା କିଛି ଲୋକଙ୍କୁ ସିକ୍ୟୁରିଟି ଗାର୍ଡ ଡ୍ରେସ୍ ପିନ୍ଧାଇ କରାଯାଉଛି ନିୟୋଜିତ। ନା ହେଉଛି ଭେରିଫିକେସନ ନା ସିକ୍ୟୁରିଟି ସଂସ୍ଥାର ତଦନ୍ତ। ଫଳରେ କମ୍ ଦରମା ପାଇ ସିକ୍ୟୁରିଟି ଗାର୍ଡ ପାଲଟୁଛନ୍ତି ଲୁଟେରାଙ୍କ ଖବରଦାତା। 

ସେପଟେ ପୋଲିସ ଏପର୍ଯ୍ୟନ୍ତ ୩୦ରୁ ଅଧିକ ଅପରାଧୀଙ୍କୁ ଗିରଫ କରିଛି। ହେଲେ ସମ୍ପତ୍ତି ଜବତ କରିବାରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଗତ ୩୦ ତାରିଖ ରାତିରେ ରାଜଧାନୀ ଉପକଣ୍ଠ ପୁବାଶାସନସ୍ଥିତ ଏକ ଆପାର୍ଟମେଣ୍ଟର ୪ଟି ଫ୍ଲାଟ୍‌ରେ ଦୁର୍ବୃତ୍ତମାନେ କଳାକନା ବୁଲାଇଥିଲେ । ବାଲିଅନ୍ତା ରଙ୍ଗବଜାର ଅଞ୍ଚଳର ୨ଟି ଆପାର୍ଟମେଣ୍ଟର ୩ଟି ଫ୍ଲାଟ୍‌ରୁ ବିପୁଳ ସୁନା ଅଳଙ୍କାର ଓ ଟଙ୍କା ଚୋରି ହୋଇଥିଲା । ପାହାଳ ଥାନା ଅନ୍ତର୍ଗତ ସନରାଇଜ୍‌ ସରୋବର୍‌ ଆପାର୍ଟମେଣ୍ଟରେ ଆତଙ୍କ ଖେଳାଇଥିଲେ । ପାଖରେ ଥିବା ଆଉ ଏକ ଆପାର୍ଟମେଣ୍ଟର ପାଚେରି ଡେଇଁ ଦୁର୍ବୃତ୍ତମାନେ ଭିତରକୁ ପଶିବା ପରେ ଶାବଳରେ ତାଲା ତାଡ଼ିଥିଲେ । ହେଲେ ଚୋରି କରି ପାରିନଥିଲେ । 

ଏ ସବୁ ଚୋରି ପରେ ଏବେ କମିଶନରେଟ୍‌ ପୋଲିସର ନିଦ ଭାଙ୍ଗିଛି। କମିଶନରେଟ୍‌ ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଟୁଇନ୍‌ ସିଟି ଓ ଏହାର ଉପକଣ୍ଠରେ ଥିବା ସମସ୍ତ ଆପାର୍ଟମେଣ୍ଟରେ ଆଇପି କ୍ୟାମେରା ଲଗାଇବା ବାଧ୍ୟତାମୂଳକ ବୋଲି କମିଶନର ଏସ୍‌. ଦେବଦତ୍ତ ସିଂହ କହିଛନ୍ତି । ଯଦି କୌଣସି ଆପାର୍ଟମେଣ୍ଟ ପକ୍ଷରୁ କ୍ୟାମେରା ନ ଲଗାଯାଏ, ଆଉ ପରବର୍ତ୍ତୀ ସମୟରେ ସେଠାରେ କିଛି ଅପରାଧ ଘଟେ ତା’ହେଲେ ସୋସାଇଟି ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଖାଲି ସେତିକି ନୁହେଁ ଆଇପି କ୍ୟାମେରା ଲଗାଇବା ପରେ ଉକ୍ତ କ୍ୟାମେରା ଫିଡ୍‌ କମିଶନରେଟ୍‌ ପୋଲିସର ସିସିଟିଭି କଣ୍ଟ୍ରୋଲ୍‌ ରୁମ୍‌କୁ ଦିଆଯିବ। କ୍ୟାମେରା ଫିଡ୍‌ କମିଶନରେଟ୍‌ ପୋଲିସର ସିସିଟିଭି କଣ୍ଟ୍ରୋଲ୍‌ ରୁମ୍‌ରେ ରହିବ। ଫଳରେ ୨୪ ଘଣ୍ଟା ଉକ୍ତ ଆପାର୍ଟମେଣ୍ଟର ସୁରକ୍ଷା ପୋଲିସ ଦେଖିବ । ଏ ସଂକ୍ରାନ୍ତରେ ଅଧିକ ଜାଣିବା ପାଇଁ ଏସିପି କେ.କେ ହରିପ୍ରସାଦଙ୍କୁ ୭୬୦୬୦୬୬୭୬୬ ନମ୍ଵରରେ କଲ୍ କରି ବୁଝିବାକୁ କୁହାଯାଇଛି।