କଟକ,୧୧/୦୧: ରାଜସ୍ୱ ବିଭାଗର ସବୁଠାରୁ ତୂଣମୂଳସ୍ତରରେ ଆର୍‌ଆଇ, ଆଡିସ୍‌ନାଲ୍‌ ଆର୍‌ଆଇ  ବା ଏଆର୍‌ଆଇ ଏବଂ ଅମିନମାନେ କାର୍ଯ୍ୟ କରିଥାନ୍ତି ।  କିନ୍ତୁ ତହସିଲ୍‌ଦାର ଏବଂ ଜିଲ୍ଲାପାଳଙ୍କ ଅନୁମୋଦନ ବିନା ବିଭିନ୍ନ ବିଭାଗ ପକ୍ଷରୁ ଏମାନଙ୍କୁ ଅଣରାଜସ୍ୱ  କାର୍ଯ୍ୟରେ ନିୟୋଜିତ କରାଯାଉଛି । ଏଭଳି କାର୍ଯ୍ୟକୁ ନେଇ ରାଜସ୍ୱ ବିଭାଗ ଉଦ୍‌ବେଗ ପ୍ରକାଶ କରିବା ସହ ଏହି ମର୍ମରେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଆରଆଇ, ଏଆର୍‌ଆଇ ଏବଂ ଅମିନଙ୍କୁ  ଅଣ-ରାଜସ୍ୱ କାର୍ଯ୍ୟରେ ନିୟୋଜିତ ନକରିବା ଲାଗି ଅନୁରୋଧ କରିଛି । ଯଦି ଅଣ-ରାଜସ୍ୱ କାର୍ଯ୍ୟରେ ଏହି କର୍ମଚାରୀଙ୍କୁ ନିୟୋଜିତ କରାଯାଏ  ତାହେଲେ ଏଥିପାଇଁ ଜିଲ୍ଲାପାଳଙ୍କ ଅନୁମତି  ବାଧ୍ୟତାମୂଳକ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । 

ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ସୁଷମାରାଣୀ  ଦେବୀଙ୍କ ପକ୍ଷରୁ ଲେଖାଯାଇଥିବା ଚିଠିରେ  କୁହାଯାଇଛି, ରାଜସ୍ୱ ପ୍ରାଶାସନିକ କାର୍ଯ୍ୟରେ  ଆର୍‌ଆଇ, ଏଆର୍‌ଆଇ ଏବଂ ଅମିନଙ୍କ ଗୁରୁତ୍ୱପୂର୍ଣ୍ଣ  ଭୂମିକା ଥାଏ । ଏମାନେ କେବଳ ରାଜସ୍ୱ ମାମଲା  ସମାଧାନ ପାଇଁ କାମ କରିନଥାନ୍ତି, ସରକାରଙ୍କ  ବିଭିନ୍ନ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇଥାନ୍ତି ।  ଏଥିସହ ସାଧାରଣ ଲୋକଙ୍କ ବିଭିନ୍ନ କାର୍ଯ୍ୟ ମଧ୍ୟ  କରିଥାନ୍ତି । କିନ୍ତୁ ଏବେ ଏହି କର୍ମଚାରୀଙ୍କୁ ବିଭିନ୍ନ  ଅଣରାଜସ୍ୱ କାର୍ଯ୍ୟରେ ନିୟୋଜିତ କରାଯାଉଛି ।  ଫଳରେ ସାଧାରଣ ଲୋକେ ରାଜସ୍ୱ ସଂପର୍କିତ  ବିଭିନ୍ନ ସେବାରୁ ବଞ୍ଚିତ ହେଉଛନ୍ତି । ଏନେଇ  ଓଡ଼ିଶା ରାଜ୍ୟ ଫିଲଡ୍‌ ଅଫିସର୍ସ ଆସୋସାସିଏସନ୍‌  ରାଜସ୍ୱ ବିଭାଗ, ବିଭିନ୍ନ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର  ଦେଇଥିଲେ । ତହସିଲ୍‌ଦାର ଏବଂ ଜିଲ୍ଲାପାଳଙ୍କ  ଅନୁମତି ବିନା ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ  ନିୟୋଜିତ କରାଯାଉଛି ବୋଲି ଅଭିଯୋଗ  କରିଥିଲେ । ଏଣୁ ଏହା ଉପରେ ଜିଲ୍ଲାପାଳମାନେ  ପଦକ୍ଷେପ ନେବାକୁ ଏହି ଚିଠିରେ କୁହାଯାଇଛି ।