• ସଙ୍ଗୀତ ପେଶାକୁ ଅଲବିଦା କହିଲେ ଅରଜିତ୍ ସିଂହ
  • ସୋସିଆଲ ମିଡ଼ିଆରେ ପୋଷ୍ଟରେ ଜଣାଇଲେ
  • ଅନେକ ସଂଗୀତଜ୍ଞ ଓ ପ୍ରଶଂସକ ଦେଲେ ପ୍ରତିକ୍ରିୟା

ମୁମ୍ୱାଇ : 'ଆଚ୍ଛା ଚଲତା ହୁଁ ଦୁଆଓଁ ମେଁ ୟାଦ୍ ରଖନା', 'ଫିର୍ ମୋହବତ୍ କରନେ ଚଲା ହୈ ତୁ' ଏବଂ 'ଖୈରିୟତ ପୁଛୋ କଭି ତୋ' ଭଳି ପ୍ରସିଦ୍ଧ ଗୀତ ଗାଇ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ନେଇଥିବା ପ୍ଲେବ୍ୟାକ୍ ଗାୟକ , ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଂରୁ କରିଛନ୍ତି ଅବସର ଘୋଷଣା। ଏବେ ଆଉ କେହି ପ୍ଲେବ୍ୟାକ୍ ଗୀତରେ ଅରିଜିତଙ୍କ ମଧୁର କଣ୍ଠସ୍ୱର ଶୁଣିବାକୁ ପାଇବେ ନାହିଁ। ଅରିଜିତ ସିଂହ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ତାଙ୍କର ଅବସର ଖବର ପ୍ରଶଂସକଙ୍କୁ ଜଣାଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖୁଛନ୍ତି- ହାଲୋ ... ଆପଣ ସମସ୍ତଙ୍କୁ ନୂତନ ବର୍ଷର ହାର୍ଦ୍ଦିକ ଶୁଭକାମନା। ଏତେ ବର୍ଷ ଧରି ମୋର ଗୀତ ସବୁ ଶୁଣି ମୋତେ ଏତେ ମାତ୍ରାରେ ଭଲ ପାଇବା ଦେଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ମୋତେ ଏହା ଘୋଷଣା କରି ଖୁସି ଲାଗୁଛି ଯେ, ଏବେଠାରୁ ମୁଁ ପ୍ଲେବ୍ୟାକ୍ ଭୋକାଲିଷ୍ଟ ଭାବେ କୌଣସି ନୂଆ କାମ ହାତକୁ ନେବି ନାହିଁ।

ମୁଁ ଏହି ପେଶାକୁ ଅଲବିଦା କହୁଛି –

ଅରିଜିତ ସିଂହ ତାଙ୍କ ପୋଷ୍ଟରେ ଲେଖୁଛନ୍ତି -ମୁଁ ଏହି ପେଶାକୁ ଅଲବିଦା କହୁଛି। ଏହା ଏକ ସୁନ୍ଦର ଯାତ୍ରା ରହିଥିଲା। ଅରିଜିତ ସିଂହଙ୍କ ଏହି ପୋଷ୍ଟ କିଛି କ୍ଷଣରେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। କମେଣ୍ଟ ସେକ୍ସନରେ ଅନେକ ସଂଗୀତଜ୍ଞ ଏବଂ ପ୍ରଶଂସକ ସେମାନଙ୍କର ପ୍ରତିକ୍ରିୟା ଦେବାର ଦେଖିବାକୁ ମିଳିଛି। ବିଗ୍ ବସ୍ ସିଜନ୍ -୧୯ର ଏକ ସଦସ୍ୟ ପାଲଟି ଥିବା ସିଙ୍ଗର ଅମାଲ୍ ମଲିକ କମେଣ୍ଟ କରି ଲେଖିଛନ୍ତି –ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଛି। ଏହି ନିଷ୍ପତ୍ତି ମୋର ବୁଝିବା ବାହାରେ, କିନ୍ତୁ ମୁଁ ତୁମର ନିଷ୍ପତ୍ତିକୁ ସମ୍ମାନ କରେ। କେବଳ ଏତିକି ଜାଣି ରଖ ଯେ, ମୁଁ ସର୍ବଦା ଜଣେ ଅରିଜିତଙ୍କ ପ୍ରଶଂସକ ଥିଲି , ଅଛି ଏବଂ ସବୁବେଳେ ରହିବି।

 
 
 
 
 
 
 
 
 
 
 
 
 
 
 

A post shared by Arijit Singh (@arijitsingh)

ଅମାଲ ମଲିକ ଆହୁରି ଲେଖିଛନ୍ତି – ଯଦି ଏହା ସତ୍ୟ , ତ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ତୁମ ବିନା ଫିଲ୍ମ ସଙ୍ଗୀତ କେବେବି ପୂର୍ବଭଳି ରହିବ ନାହିଁ । ମୁଁ ଭାଗ୍ୟବାନ ଯେ, ତୁମ ଯୁଗରେ ଜନ୍ମ ହୋଇଛି। ଅନ୍ୟପଟେ ସଙ୍ଗୀତକାର ଯଶରାଜ ମୁଖାଟେ କମେଣ୍ଟ କରି ଲେଖିଛନ୍ତି - ମୁଁ ଭାବୁଛି ଏବେ ଆମକୁ କିଛି ଭଲ ଇଣ୍ଡି ସଙ୍ଗୀତ ଶୁଣିବାକୁ ମିଳିବ। ଯଶରାଜ ଏହା ବିଶ୍ୱାସ କରୁଛନ୍ତି ଯେ, ଯଦିଓ ଅରିଜିତ ଗୀତ ନ ଗାଇବେ, ତ ସେ ମ୍ୟୁଜିକ୍ କମ୍ପୋଜ କରିବାରେ ଇଣ୍ଡଷ୍ଟ୍ରୀରେ ସକ୍ରିୟ ରହିବେ। ଏହାସହ ତାଙ୍କର ପ୍ରଶଂସକମାନେ ତାଙ୍କୁ କନସର୍ଟରେ ଶୁଣି ପାରିବେ।