ପ୍ୟାରିସ୍‌, ୦୨/୦୩: ବିଶ୍ୱ ପ୍ରସିଦ୍ଧ ପୋଲ୍‌ ଭଲ୍ଟର ସ୍ୱିଡେନର ମୋଣ୍ଡୋ ଡୁପ୍ଲାଣ୍ଟିସ୍‌ ନୂଆ ବର୍ଷରେ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସେ ଫ୍ରାନ୍ସର କ୍ଲେର୍ମୋଣ୍ଟ ଫେରାଣ୍ଡ ଠାରେ ଅନୁଷ୍ଠିତ ଅଲ୍‌ ଷ୍ଟାର୍‌ ପୋଲ ଭଲ୍ଟ ପ୍ରତିଯୋଗିତାରେ  ୬.୨୭ ମିଟର ଉଚ୍ଚ ଜମ୍ପ କରି ନିଜ ଦ୍ୱାରା ସ୍ଥାପିତ ବିଶ୍ୱ ରେକର୍ଡକୁ ଭଙ୍ଗ କରିଥିଲେ । ସେ ଇତି ମଧ୍ୟରେ ୧୨ ଥର ବିଶ୍ୱ ରେକର୍ଡ ଭାଙ୍ଗ କରିବାରେ ସଫଳ ହୋଇଛନ୍ତି । ୨୦୨୦ରୁ ତାଙ୍କ ବିଶ୍ୱ ରେକର୍ଡ ଭଙ୍ଗ ଅଭିଯାନ ଆରମ୍ଭ  ହୋଇଛି । 

ଗତ ଥର ସେ ନିଜ ଦ୍ୱାରା ସ୍ଥାପିତ ବିଶ୍ୱ ରେକର୍ଡକୁ  ୩ଥର ଭାଙ୍ଗିଥିଲେ । ଗତ ପ୍ୟାରିସ ଅଲିମ୍ପିକ୍ସରେ ୬.୨୫  ମିଟର ଉଚ୍ଚ ଜମ୍ପ କରିଥିଲେ। କ୍ଲେର୍ମୋଣ୍ଡ ଫେରାଣ୍ଡରେ  ଅନୁଷ୍ଠିତ ଉକ୍ତ ପ୍ରତିଯୋଗିତାରେ ୬.୦୭ ମିଟର ଉଚ୍ଚ ଜମ୍ପ  କରି ସେ ପ୍ରଥମ ସ୍ଥାନ ନିଶ୍ଚିତ କରିସାରିଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଇମାନୁଏଲ  କାରାଲିସ୍‌ ୬.୦୨ମିଟର ଜମ୍ପ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ । ପ୍ରଥମ ସ୍ଥାନ ପକ୍କା କରିବା ପରେ ଡୁପ୍ଲାଣ୍ଟିସ୍‌  ନିଜ ରେକର୍ଡ ଭାଙ୍ଗିବା ପାଇଁ ବାର୍‌କୁ ୨୦ ସେଣ୍ଟିମିଟର ଉଚ୍ଚକୁ ନେଇଥିଲେ ଓ ସଫଳତାର ସହ ପାର୍‌ କରିଥିଲେ ।