ବଡ଼ବିଲ,୨୦/୦୧: କେନ୍ଦୁଝର ଜିଲ୍ଲା ଖଣିଜ ସହର ବଡ଼ବିଲର କଳିଙ୍ଗ ରାସ୍ତା ସ୍ଥିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରେ ସୋମବାର ସଶସ୍ତ୍ର ଡକାୟତି ହୋଇଛି । ୬ ଜଣ ଦୁର୍ବୃତ୍ତ ବ୍ୟାଙ୍କ ଭିତରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୫ କୋଟିରୁ ଅଧିକ ଟଙ୍କାର ସୁନା ଓ ୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଦିନ ଦିପ୍ରହରେ ଘଟିଥିବା ଏହି ଡକାୟତି ଘଟଣା ସମଗ୍ର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଥାନାଠାରୁ ମାତ୍ର ୧ କିଲୋମିଟର ଏବଂ ବଡ଼ବିଲ ଏସ୍‌ଡିପିଓଙ୍କ ଅଫିସଠାରୁ ୫ଶହ ମିଟର ଦୂରରେ ଥିବା ଏହି ବ୍ୟାଙ୍କରେ ଦିନ ଦ୍ୱିପ୍ରହରରେ ଦୁର୍ବୃତ୍ତମାନେ ଏପରି ଲୁଟ୍ କରି ପୁଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ।

ସୂଚନା ଅନୁଯାୟୀ, ସୋମବାର ଅପରାହ୍ଣ ପ୍ରାୟ ୨ଟା ହେବ । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ବଡ଼ବିଲ୍ ଶାଖାର ମ୍ୟାନେଜର ଓ କ୍ୟାସିଅରଙ୍କୁ ନେଇ ମୋଟ ୬ ଜଣ କର୍ମଚାରୀ ପ୍ରତିଦିନ ପରି ନିଜ ନିଜ କ୍ୟାବିନ୍‌ରେ କାର୍ଯ୍ୟରତ ଥିଲେ । ମଧ୍ୟାହ୍ନ ଭୋଜନ ବିରତି ମାତ୍ର ଆଉ କିଛି ସମୟ ପରେ ହୋଇଥାନ୍ତା । ତେଣୁ ବ୍ୟାଙ୍କ ପରିସର ମଧ୍ୟରେ ହାତଗଣତି କେଇଜଣ ଉପଭୋକ୍ତା ବି ତରବର ହେଉଥାନ୍ତି । ଠିକ୍ ସେହି ସମୟରେ ବ୍ୟାଙ୍କ ଆଗରେ ଲାଗିଲା ୫ଟି ବାଇକ୍ । ସେଥିରୁ ୬ ଦୁର୍ବୃତ୍ତ କଳା ମୁଖା ପିନ୍ଧି ଓହ୍ଲାଇଥିଲେ । ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ । ହଠାତ୍ ସେମାନେ ବନ୍ଧୁକ ବାହାର କରି ବ୍ୟାଙ୍କ କର୍ମଚାରୀ ଓ ଉପସ୍ଥିତ ଗ୍ରାହକମାନଙ୍କୁ ଭୟଭୀତ କରିଥିଲେ । କ୍ୟାସିୟର ବସିଥିବା କ୍ୟାବିନ୍‌କୁ ଯାଇ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ । କ୍ୟାସ୍ ଡ୍ରରେ ରହିଥିବା ଆନୁମାନିକ ୮ ଲକ୍ଷ ଟଙ୍କା ନେଇଯାଇଥିଲେ । ତା’ପରେ ସେମାନେ ଲକର ଖୋଲିବାକୁ ଧମକ ଦେଇଥିଲେ । ନିରୁପାୟ ହୋଇ ବ୍ୟାଙ୍କ କର୍ତ୍ତୃପକ୍ଷ ଲକର ଖୋଲିବାରୁ ସେଠାରେ ରଖାଯାଇଥିବା ପ୍ରାୟ ୫ କୋଟି ଟଙ୍କାର ସୁନା ଗହଣା ଲୁଟ୍ କରି ବାଇକ୍ ଯୋଗେ ଫେରାର ହୋଇଯାଇଥିଲେ । ହଠାତ୍ ଏମିତି ଅଭାବନୀୟ ଘଟଣା ଦେଖି ବ୍ୟାଙ୍କ ଭିତରେ ଥିବା ଗ୍ରାହକ ଓ କର୍ମଚାରୀମାନେ ହତ୍ବାକ୍ ହୋଇ ପଡ଼ିଥିଲେ । ତେବେ ଏହି ଘଟଣାରେ ଦୁର୍ବୃତ୍ତମାନେ କାହାରିକୁ କ୍ଷତି ପହଞ୍ଚାଇ ନଥିବା ବ୍ୟାଙ୍କର ଜଣେ କର୍ମଚାରୀ କହିଛନ୍ତି ।

ସୂଚନା ପାଇବା କ୍ଷଣି ବଡବିଲ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କ ପରିସରକୁ ଘେରାଉ କରିଥିଲେ । ପୁଲିସ ପକ୍ଷରୁ ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରାଯାଉଛି । ଡକାୟତମାନେ କେଉଁ ଦିଗକୁ ଫେରାର ହୋଇଥିଲେ ତାହାର ତଦନ୍ତ ଜୋରଦାର କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇ ଡକାୟତମାନଙ୍କୁ ଧରିବା ପାଇଁ ପୁଲିସ ଯାଞ୍ଚ ଜାରି ରଖିଛି । ବ୍ୟାଙ୍କ ପକ୍ଷରୁ ଲୁଟ୍ ହୋଇଥିବା ନଗଦ ଟଙ୍କା ଓ ସୁନାର ସଠିକ୍ ପରିମାଣ ସମ୍ପର୍କରେ ଅଧିକାରୀଙ୍କ ସୂଚନା ଏ ପର୍ଯ୍ୟନ୍ତ ମିଳିନାହିଁ । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।