ନୂଆଦିଲ୍ଲୀ,୩।୮: ସ୍ପାଇସଜେଟ୍ ଏୟାରଲାଇନ୍ସ କହିଛି ଯେ ୨୬ ଜୁଲାଇ ୨୦୨୫ରେ ଶ୍ରୀନଗରରୁ ଦିଲ୍ଲୀ ଯାଉଥିବା ଏକ ବିମାନରେ ଜଣେ ଯାତ୍ରୀ ଏହାର ଚାରି ଜଣ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। କର୍ମଚାରୀଙ୍କୁ ଏତେ ମାଡ଼ ଦିଆଯାଇଥିଲା ଯେ ଜଣେ କର୍ମଚାରୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା ଏବଂ ଜଣଙ୍କର ପାଟିରେ ଜୋରଦାର ଆଘାତ ଲାଗିଥିଲା। ପୀଡିତଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏହି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଏୟାରଲାଇନ୍ସ ସରକାରଙ୍କୁ ଏକ ଚିଠି ଲେଖିଛି।
ଜଣେ ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି, '୨୬ ଜୁଲାଇ୨୦୨୫ରେ ଶ୍ରୀନଗରରୁ ଦିଲ୍ଲୀ ଯାଉଥିବା ବିମାନ ନମ୍ବର SG-୩୮୬ର ବୋର୍ଡିଂ ଗେଟରେ ଜଣେ ଯାତ୍ରୀ ସ୍ପାଇସଜେଟର ଚାରି ଜଣ କର୍ମଚାରୀଙ୍କୁ ଆକ୍ରମଣ କରି ଗୁରୁତ କରିଥିଲେ। କର୍ମଚାରୀମାନଙ୍କୁ ଗୋଇଠା ଏବଂ ବିଧା ମାରିବା ସହ ଲାଇନିଂ ପାଇଁ ବ୍ୟବହୃତ ଷ୍ଟାଣ୍ଡରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ କର୍ମଚାରୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିଲା ଏବଂ ମୁହଁରେ ଗମ୍ଭୀର ଆଘାତ ଲାଗିଥିଲା। ଜଣେ କର୍ମଚାରୀ ତଳେ ଚେତାଶୂନ୍ୟ ହୋଇ ପଡ଼ିଥିଲେ, କିନ୍ତୁ ଏହା ପରେ ମଧ୍ୟ ଯାତ୍ରୀ ତାଙ୍କୁ ମାନ ଚାଲିଥିଲେ। ଅଚେତ କର୍ମଚାରୀଙ୍କୁ ସାହାଯ୍ୟ କରୁଥିବା ଅନ୍ୟ ଜଣେ କର୍ମଚାରୀଙ୍କୁ ମଧ୍ୟ ଯାତ୍ରୀ ଜଣକ ମାଡ଼ ମାରିଥିଲା। ଫଳରେ ତାଙ୍କ ନାକ ଏବଂ ପାଟିରୁ ରକ୍ତସ୍ରାବ ହେବାକୁ ଲାଗିଲା। କର୍ମଚାରୀମାନେ ଗୁରୁତର ଆହତ ହୋଇଛନ୍ତି ଏବଂ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏୟାରଲାଇନ୍ସ କହିଛି ଯେ ଅଭିଯୁକ୍ତ ଯାତ୍ରୀ ଜଣେ ବରିଷ୍ଠ ସାମରିକ ଅଧିକାରୀ ଥିଲେ।
ସ୍ପାଇସଜେଟ୍ କହିଛି ଯେ 'ଯାତ୍ରୀ ଜଣକ ମୋଟ ୧୬ କିଲୋଗ୍ରାମ ଓଜନର ଦୁଇଟି କ୍ୟାବିନ୍ ବ୍ୟାଗ୍ ଧରି ଆସୁଥିଲେ, ଯାହା ୭ କିଲୋଗ୍ରାମର ସୀମାଠାରୁ ଦୁଇଗୁଣ ଅଧିକ। ତାଙ୍କୁ ଅଧିକ ଲଗେଜ ବିଷୟରେ ନମ୍ରତାର ସହିତ ସୂଚନା ଦିଆଯାଇଥିଲା ଏବଂ ପ୍ରଯୁଜ୍ୟ ଶୁଳ୍କ ଦେବାକୁ କୁହାଯାଉଥିଲା, ଯାତ୍ରୀ ମନା କରିଦେଇଥିଲେ। ବୋର୍ଡିଂ ପ୍ରକ୍ରିୟା ସମାପ୍ତ ନକରି ଜୋରଜବରଦସ୍ତ ବିମାନ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହା ବିମାନ ସୁରକ୍ଷା ପ୍ରୋଟୋକଲର ସ୍ପଷ୍ଟ ଉଲ୍ଲଂଘନ ଥିଲା। ତା'ପରେ CISF ସୁରକ୍ଷା କର୍ମୀମାନେ ଯାତ୍ରୀଙ୍କୁ ଗେଟ୍ ପର୍ଯ୍ୟନ୍ତ ଫେରାଇ ନେଇଥିଲେ। ଗେଟ୍ ପାଖରେ, ଯାତ୍ରୀଙ୍କ ଆଚରଣ ଆହୁରି ଆକ୍ରମଣାତ୍ମକ ହୋଇଗଲା ଏବଂ ସେ ସ୍ପାଇସଜେଟ୍ ଗ୍ରାଉଣ୍ଡ ଷ୍ଟାଫ୍ଙ୍କ ଚାରି ଜଣ ସଦସ୍ୟଙ୍କୁ ଆକ୍ରମଣ କଲେ।'
ସ୍ଥାନୀୟ ପୋଲିସ ଏହି ମାମଲାରେ ଏକ ଏଫଆଇଆର ରୁଜୁ କରିଛି ଏବଂ ବିମାନ କମ୍ପାନୀ ବେସାମରିକ ବିମାନ ଚଳାଚଳ ନିୟମ ଅନୁଯାୟୀ ଯାତ୍ରୀଙ୍କୁ ନୋ-ଫ୍ଲାଏ ତାଲିକାରେ ରଖିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ସ୍ପାଇସଜେଟ୍ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ତାର କର୍ମଚାରୀଙ୍କ ଉପରେ ହୋଇଥିବା ହତ୍ୟାକାରୀ ଆକ୍ରମଣ ବିଷୟରେ ଅବଗତ କରିଛି ଏବଂ ଯାତ୍ରୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ଏୟାରଲାଇନ୍ସ କମ୍ପାନୀ ଘଟଣାର ସିସିଟିଭି ଫୁଟେଜ୍ ନେଇ ପୋଲିସକୁ ହସ୍ତାନ୍ତର କରିଛି।