ନୂଆଦିଲ୍ଲୀ, ୧୫।୪: ଆଣ୍ଡାମାନ ସାଗରରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ମାଲେସିଆ ଅଭିମୁଖେ ବେଆଇନ ଭାବେ ଯାତ୍ରା କରୁଥିବା ଏକ ଡଙ୍ଗା ସମୁଦ୍ର ମଝିରେ ବୁଡ଼ିଯିବା ଫଳରେ ପ୍ରାୟ ୨୫୦ରୁ ଅଧିକ ଲୋକ ନିଖୋଜ ଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ ସୁଦ୍ଧା ମାତ୍ର ୯ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ରିପୋର୍ଟ ଅନୁଯାୟୀ, ବୋଟ୍ରେ ପ୍ରାୟ ୨୫୦ ରୁ ୨୮୦ ଜଣ ଯାତ୍ରୀ ଥିଲେ । ଏଥିମଧ୍ୟରେ ଅଧିକାଂଶ ରୋହିଙ୍ଗ୍ୟା ଶ୍ରମିକ ଓ ବାଂଲାଦେଶୀ ନାଗରିକ ଥିବା ସୂଚନା ମିଳିଛି । ଚିଟାଗଙ୍ଗରୁ ଇଣ୍ଡୋନେସିଆ ଅଭିମୁଖେ ଯାଉଥିବା ବାଂଲାଦେଶୀ ଜାହାଜ 'MT ମେଘନା ପ୍ରାଇଡ୍' ସମୁଦ୍ରରେ ଭାସୁଥିବା ୯ ଜଣଙ୍କୁ ଉଦ୍ଧାର କରିଥିଲା । ପରେ ସେମାନଙ୍କୁ ବାଂଲାଦେଶ ତଟରକ୍ଷୀ ବାହିନୀର ଜାହାଜ 'ମନସୁର ଅଲି'କୁ ହସ୍ତାନ୍ତର କରାଯାଇଛି । ପ୍ରବଳ ଢେଉ ଯୋଗୁଁ ସମୁଦ୍ର ମଝିରେ ଡଙ୍ଗାଟି ଓଲଟି ପଡ଼ିଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ... Hormuz Tension: ହୋର୍ମୁଜରେ ଟ୍ରମ୍ପଙ୍କ ‘ମାଷ୍ଟରପ୍ଲାନ୍’, ଥମିଗଲା ଇରାନର ଗତିପଥ, ବିନା ଯୁଦ୍ଧରେ ଜିତିଲା ଆମେରିକା !

ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ରୋହିଙ୍ଗ୍ୟା ଯୁବକ ରଫିକୁଲ ଇସଲାମ ଚାଲାଣକାରୀଙ୍କ କଳାକାରନାମା ବିଷୟରେ ଚୋକାବହ ତଥ୍ୟ ଦେଇଛନ୍ତି । ଚାକିରିର ମିଥ୍ୟା ପ୍ରତିଶ୍ରୁତି ଦେଇ ଏପ୍ରିଲ ୨ ତାରିଖରେ ତାଙ୍କୁ ଟେକନାଫ ଅଞ୍ଚଳକୁ ଅଣାଯାଇଥିଲା । ଏକ ନିଛାଟିଆ ଘରେ ୨୦-୨୫ ଜଣଙ୍କୁ ଅମାନବୀୟ ଅବସ୍ଥାରେ ବନ୍ଦୀ କରି ରଖାଯାଇଥିଲା । ସେଠାରୁ ଖସିବାକୁ ଚେଷ୍ଟା କଲେ ସେମାନଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମରାଯାଉଥିଲା । ଡଙ୍ଗାରେ ପ୍ରାୟ ୧୫୦ ଜଣ ରୋହିଙ୍ଗ୍ୟା ଯେଉଁଥିରେ ୨୧ ଜଣ ମହିଳା ଓ ୪ ଶିଶୁ ଏବଂ ବାକି ବାଂଲାଦେଶୀ ନାଗରିକ ଥିଲେ । ଏଥିସହ ୧୩ ଜଣ କ୍ରୁ ସଦସ୍ୟ ଓ ଚାଲାଣକାରୀ ମଧ୍ୟ ଥିଲେ । ଏହି ଘଟଣାଟି ଏପ୍ରିଲ ୯ ତାରିଖରେ ଘଟିଥିବା ବାଂଲାଦେଶ ତଟରକ୍ଷୀ ବାହିନୀର ଲେଫ୍ଟନାଣ୍ଟ କମାଣ୍ଡର ସବ୍ବିର ଆଲାମ ସୁଜାନ ସୂଚନା ଦେଇଛନ୍ତି ।

ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଯାତ୍ରୀ ରଫିକୁଲ ଇସଲାମ କହିଛନ୍ତି, "ଉଚ୍ଚ ଢ଼େଉ ମାଡ଼ରେ ଜାହାଜଟି ଓଲଟି ପଡ଼ିଲା । ମୁଁ କୌଣସି ପ୍ରକାରେ ନିଜ ଜୀବନ ବଞ୍ଚାଇ ପାରିଲି, କିନ୍ତୁ ମୋ ଆଖି ଆଗରେ ଅନେକ ବୁଡ଼ିଗଲେ।" ଏବେ ସୁଦ୍ଧା ବାକି ଯାତ୍ରୀଙ୍କ ବିଷୟରେ କୌଣସି ସଠିକ୍ ସୂଚନା ମିଳିପାରିନାହିଁ । ସମୁଦ୍ରରେ ନିଖୋଜଙ୍କୁ ଖୋଜିବାକୁ ସନ୍ଧାନ ଅଭିଯାନ ଜାରି ରହିଛି । ଏହି ଘଟଣା ଆନ୍ତର୍ଜାତୀୟ ସ୍ତରରେ ମାନବ ଚାଲାଣର ଭୟଙ୍କର ଚିତ୍ରକୁ ପୁଣି ଥରେ ସାମ୍ନାକୁ ଆଣିଛି ।