ନୂଆଦିଲ୍ଲୀ,୨୩/୧: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-ଟ୍ବେଣ୍ଟିରେ ଦମଦାର ବିଜୟ ହାସଲ କରିଛି ଭାରତୀୟ ଯୁବ ବାହିନୀ । ବ୍ୟାଟିଂ, ବୋଲିଂ ଫିଲ୍ଡିଂ ଓ ରଣନୀତିରେ ଟିମ୍ ଇଣ୍ଡିଆର ଉଚ୍ଚକୋଟୀର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ୭ ୱିକେଟରେ ପ୍ରଥମ ଟି-ଟ୍ବେଣ୍ଟି ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଛି ସୂର୍ଯ୍ୟସେନା । ଏହି ମ୍ୟାଚରେ ରେକର୍ଡ ସ୍ଥାପନ କରିଛନ୍ତି ବାମହାତୀ ବୋଲର ଅର୍ଶଦୀପ ସିଂହ । ୨ଟି ୱିକେଟ ନେଇଥିବା ଦ୍ରୁତ ବୋଲର ଟି-୨୦ ଫର୍ମାଟରେ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି । ୬୧ଟି ଅନ୍ତର୍ଜାତୀୟ ଟି-୨୦ ଖେଳି ୯୭ ୱିକେଟ ନେଇଛନ୍ତି । ଏହି କ୍ରମରେ ସେ ୟୁଝବେନ୍ଦ୍ର ଚହଳଙ୍କୁ ପଛରେ ପକାଇ ଦେଇଛନ୍ତି ।

କୋଲକାତାର ଇଡେନ ଗାର୍ଡେନ୍ସରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯାଇଥିଲା । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ମ୍ୟାଚରେ ଭାରତ ଭଲ ଆରମ୍ଭ କରିଥିଲା । ଭାରତକୁ ପ୍ରଥମ ସଫଳତା ଦେଇଥିଲେ ଅର୍ଶଦୀପ ସିଂହ । ପିଲ ସଲ୍ଟଙ୍କୁ ଦୁଇଟି ଡଟ୍ ଖେଳାଇବା ପରେ ଅର୍ଶଦୀପ ତାଙ୍କୁ ପାଭିଲିୟନ ପଠାଇଥିଲେ । ଦ୍ବିତୀୟ ଓଭରରେ ଅନ୍ୟତମ ବୋଲର ବେନ୍ ଡକେଟଙ୍କୁ ଆଉଟ କରିଥିଲେ ଅର୍ଶଦୀପ । ଏହି ୨ ୱିକେଟ ସଫଳତା ସହ ଅର୍ଶଦୀପ ଏକ ରେକର୍ଡ ଭଙ୍ଗିଛନ୍ତି । ଟି-ଟ୍ବେଣ୍ଟି କ୍ରିକେଟରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ହାସଲ କରିଛନ୍ତି ।


ଏହା ବି ପଢନ୍ତୁ...ପ୍ରଥମ ଟି-୨୦ରେ ଝୁଣ୍ଟିଲା ଇଂଲଣ୍ଡ, ୭ ଓ୍ବିକେଟରେ ଜିତିଲା ଭାରତ

ଇଂଲଣ୍ଡର ଦୁଇ ଓପନର ଫିଲ ସଲ୍ଟ ଓ ବେନ ଡକେଟଙ୍କୁ ଆଉଟ କରିଥିଲେ । ଏହି ଦୁଇ ୱିକେଟ ସହ ତାଙ୍କର ୱିକେଟ ସଂଖ୍ୟା ୯୭ରେ ପହଞ୍ଚିଥିଲା । ପୂର୍ବରୁ ଏହି ରେକର୍ଡ ୟୁଝବେନ୍ଦ୍ର ଚହଳଙ୍କ ନାମରେ ରହିଥିଲା । ସେ ୮୦ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳି ୯୬ଟି ୱିକେଟ ନେଇଥିଲେ । ଅର୍ଶଦୀପ ମାତ୍ର ୬୧ଟି ମ୍ୟାଚ ଖେଳି ଏହି ରେକର୍ଡ ଭାଙ୍ଗିଛନ୍ତି । ଅନ୍ୟ ଭାରତୀୟଙ୍କ ମଧ୍ୟରେ ଭୁବନେଶ୍ବର କୁମାର ୮୭ଟି ମ୍ୟାଚରୁ ୯୦, ଯଶପ୍ରୀତ ବୁମରା ୭୦ଟି ମ୍ୟାଚରୁ ୮୯, ହାର୍ଦ୍ଦିକ ପାଣ୍ଡ୍ୟା ୧୧୦ଟି ମ୍ୟାଚରୁ ୮୯ଟି ୱିକେଟ ଅକ୍ତିଆର କରିଛନ୍ତି ।