ପ୍ରମୂଖ ଖବର
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ମାଲକାନଗିରି ସହରରେ କୃତିମ ବନ୍ୟା, ଲୋକଙ୍କ ଘରେ ପଶିଲା ଡ୍ରେନର ବର୍ଷା ପାଣି

Published By : Gurupada Nath | July 4, 2025 8:55 PM

ମାଲକାନଗିରି, ୪/୭ : ଗତ କିଛିଦିନ ହେଲା ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବାବେଳେ ମାଲକାନଗିରି ସହରରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କ ଘରେ ଡ୍ରେନର ବର୍ଷା ପାଣି ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପୌରପରିଷଦର ଡ୍ରେନେଜ ସିଷ୍ଟମ ଠିକ ନ ଥିବାରୁ ମାଲକାନଗିରି ଜିଲ୍ଲା ସଦରରେ ଲୋକଙ୍କ ଘରେ ପଶିଛି ପାଣି । ଜିଲ୍ଲାରେ ଗତ ୩ଦିନ ଧରି ଲଗାଣ ବର୍ଷା ହେତୁ ନାଳ ନରଦମା ଓ ଜମିରେ ପାଣି ଜମା ହୋଇ ଲୋକଙ୍କ ଘର ମୁହାଁ ହୋଇଛି। ଜିଲ୍ଲା ସଦରରେ ଥିବା ସାମ୍ବାୟାଗୁଡା, ହାଟ ପଦା ଭଳି ବିଭିନ୍ନ ସ୍ଥାନରେ ଫୁଟେ ଉଚ୍ଚର ପାଣି ପଶି ଲୋକେ ହନ୍ତସନ୍ତ ହେଉଛନ୍ତି। ଘର ମଧ୍ୟରେ ପାଣି ପଶିବାରୁ ଲୋକଙ୍କୁ ନାନା ସମସ୍ୟା ଭୋଗିବାକୁ ପଡୁଛି। ଧୀରେ ଧୀରେ ବର୍ଷା କମିବାରୁ ଜଳ ସ୍ତର ମଧ୍ୟ କମିବାରେ ଲାଗିଛି। ତେବେ ଯେଉଁ ପାଣି ବିଗତ ଦିନରେ କିଛି ଘଣ୍ଟା ମଧ୍ୟରେ କମି ଯାଉଥିଲା ତାହା ରାତି ଯାଇ ଦିନ ହୋଇଥିଲେ ମଧ୍ୟ କମି ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ଜିଲ୍ଲା ସଦରର ଦେଇ ଯାଇଥିବା ଜାତୀୟ ରାଜପଥ ପାର୍ଶ୍ଵରେ ରହିଥିବା ସାମ୍ବାୟାଗୁଡା ସାହିର କିଛି ଘର ମଧ୍ୟରେ ଗତ ରାତିରୁ ବର୍ଷା ଜଳ ଘର ମଧ୍ୟରେ ପଶିବାରେ ଲାଗିଥିଲା। ପାହାଡ ପାଣି ଓ ଜମି ମଧ୍ୟରୁ ପାଣି ପଶି ପ୍ରାୟ ଆଣ୍ଠୁଏ ଉଚ୍ଛର ଜଳ ପଶିବାରୁ ଲୋକେ ନାନା ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି। ଘର ମଧ୍ୟରେ ପାଣି ପଶିବାରୁ ଲୋକେ ବିଦ୍ୟୁତ ସରଞ୍ଜାମ ବ୍ୟବହାର କରିବାରେ ଭୟ କରୁଥିବାବେଳେ ଅନେକ ଘରୋଇ ସାମଗ୍ରୀ ପାଣି ମଧ୍ୟରେ ବୁଡ଼ି ରହିଥିବା ଅଭିଯୋଗ ହୋଇଛି। ଜିଲ୍ଲା ସଦରରେ ଏପରି ସ୍ଥିତି ହୋଇଥିବାବେଳେ ନାଳ ନର୍ଦ୍ଦମାର ସଠିକ ବ୍ୟବସ୍ଥା ନ ଥିବାରୁ ଏପରି ସ୍ଥିତି ଉପୁଜିଥିବା ଲୋକେ ପ୍ରକାଶ କରିବା ସହ ତୁରନ୍ତ ଏହାର ସମାଧାନ ପାଇଁ ଦାବି କରିଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.