ନୂଆଦିଲ୍ଲୀ,୧୬/୧୨: ଏଆଇ ଯୋଗୁ ବିଶ୍ୱ ଦ୍ରୁତ ଭାବେ ବଦଳୁଛି । ଆଇର୍ଟିଫିସିଆଲ ଇଣ୍ଟେଲିଜେନ୍ସି ବା ଏବେ ଏଲିଆନ ଇଣ୍ଟେଲିଜେନ୍ସ  ଭାବେ ଉଭା ହୋଇଛି । ଏଆଇ ଏବେ ନିଜେ ଶିଖିବା  ସହ ନିଜକୁ ଲଗାତାର ପରିବର୍ତ୍ତନ କରୁଛି । ଏଆଇର ଆଲଗୋରିଦିମ୍‌ ନିଜେ ନିଜେ ବିକଶିତ ହେଉଛି । 

ଏଆଇକୁ ବନାଇଥିବା ଇଞ୍ଜିନିୟର ମଧ୍ୟ କହିବାକୁ ସକ୍ଷମ ନୁହନ୍ତି ଯେ, ଏହା କେଉଁ ଆଧାରରେ ହେଉଛି । ଏଆଇ ଜରିଆରେ ପ୍ରକୃତରେ ଏକ ଭିନ୍ନ ପ୍ରଜାତି ସୃଷ୍ଟି ହେଉଛି । ଯାହା ଏକ ଭିନ୍ନ ଗ୍ରହର । ଏଆଇ ଏବେ ନିଜେ ଶିଖୁଛି । ମିଛ ମଧ୍ୟ କହୁଛି । ଏଭଳି କାରଣ ଯୋଗୁ ୨ରୁ ୩ ବର୍ଷରେ ବୃତ୍ତି ବଦଳାଇବାକୁ ପଡିପାରେ ବୋଲି ଖ୍ୟାତି ସମ୍ପନ୍ନ ପ୍ରଫେସର ଜୁଆଲ ନୁଆହ ଫରାରି କହିଛନ୍ତି।  

ପ୍ରଫେସର ଫରାରି କହିଲେ, ଆମେ  ଏବେ ଚାଟ୍‌ ଜିପିଟି କିମ୍ବା ଅନ୍ୟ ଏଆଇ ଟୁଲ୍‌  ଦେଖି ଉତ୍ସାହିତ ହେଉଛେ । ମାତ୍ର ଏହା ଆରମ୍ଭ  ମାତ୍ର । ଏଆଇ କ୍ଷେତ୍ରରେ ଆମେ ଏବେ ଆମିବା  ସ୍ତରରେ ରହିଛୁ । ଆଗକୁ ଡାଏନୋସର ଦେଖିବା  ବାକି ରହିଛି । ଆମିବା, ଡାଏନୋସର ଏବଂ ପୁଣି  ମାନବ ଯାଏ ଆସିବାକୁ ଢ଼େର ସମୟ ଲାଗିଛି । ମାତ୍ର  ଏଆଇ ରକେଟ୍‌ ଗତିରେ ବିକଶିତ ହେଉଛି । ଏହାକୁ  ଡାଏନୋସର ହେବାକୁ ମାତ୍ର କିଛି ଦଶନ୍ଧି ଲାଗିବ ।  କେହି ଠିକ୍‌ ଭାବେ ଜାଣନ୍ତିନି ଯେ, ଆଗାମୀ ୨୦  ବର୍ଷରେ ଏଆଇର ଶକ୍ତି କିଭଳି ହେବ । 

ଏଆଇ ମିଛ କହିପାରେ । ଏହା ସବୁଠାରୁ  ବଡ ବିପଦ । ଏହାକୁ ନେଇ ଏଆଇ ଇଞ୍ଜିନିୟର  ମଧ୍ୟ ଚିନ୍ତାବ୍ୟକ୍ତ କରୁଛନ୍ତି । ଏଆଇ ଏକ ଶକ୍ତିଶାଳୀ  ଟେକ୍ନୋଲୋଜି । ଖରାପ ଫାଇଦା ଲାଗି ମଣିଷ  ଏହାକୁ ବ୍ୟବହାର କରିବାର ଢ଼େର ଆଶଙ୍କା  ରହିଛି । ଏହା ଦ୍ୱାରା ଦୁନିଆରେ ଅସମାନତା ବୃଦ୍ଧି  ହୋଇପାରେ । ଯେଉଁ ଦେଶ ଏଆଇ କ୍ଷେତ୍ରରେ  ଟପ୍‌ରେ ରହିବ ସେ ସାରା ବିଶ୍ୱରେ ରାଜୁତି  କରିବ । ବର୍ତ୍ତମାନ ଏଆଇ ରେସ୍‌ରେ ବିଶ୍ୱର ୨  ପ୍ରମୁଖ ଦେଶ ଆମେରିକା ଏବଂ ଚୀନ ରହିଛନ୍ତି । 

ପ୍ରଫେସର ଫରାରି ପୁଣି କହିଲେ, ଏହି ୨  ଦେଶ ନିକଟରେ ଅଧିକ ସାମରିକ ଶକ୍ତି ରହିଛି ।  ତେବେ ଆଗାମୀ ୫ ବର୍ଷରେ ଏଆଇ ପାରମ୍ପରିକ  ସେନାକୁ ଅପ୍ରାସଙ୍ଗିକ କରିପାରେ । ଆଗକୁ ଅସ୍ତ୍ରଶସ୍ତ୍ର  ସ୍ୱୟଂଚାଳିତ ହେବ । ବର୍ତ୍ତମାନର ଯୁଦ୍ଧ ବିମାନ,  ଜାହାଜ ଏବଂ ଟ୍ୟାଙ୍କ କବାଡିଖାନାକୁ ଯିବ । ଏଆଇ  ଦ୍ୱାରା ଅନେକ ନିଯୁକ୍ତି ଶେଷ ହୋଇଯିବ । ଏଆଇ  ମଧ୍ୟ ଭଲ ବହି ଲେଖିପାରେ । ଏବେ ଜିପିଟି ଭଲ  ଉତ୍ତର ବି ଲେଖୁଛି । ଏଆଇ ରହିବା ସତ୍ୱେ ବି ନିଯୁକ୍ତି  ରହିବ । ମାତ୍ର ପ୍ରତିଯୋଗିତାରେ ତିଷ୍ଠି ରହିବାକୁ  ହେଲେ ନିଜକୁ ଅପ୍‌ଡେଟ କରିବାକୁ ହେବ । 

କାରଣ ପ୍ରତି ୨ରୁ ୩ ବର୍ଷରେ ନୂଆ ଫିଲ୍ଡ  ଖୋଜିବା ବଡ ଚ୍ୟାଲେଞ୍ଜ । ମାନବ ମେସିନ  ପ୍ରତିଯୋଗିତା ଚିନ୍ତାଜନକ ହେବ । ଏବେ ସ୍ମାର୍ଟଫୋନରେ ଏଆଇ ଜରିଆରେ ଲୋକଙ୍କ  ଉପରେ ନଜର ରଖାଯାଉଛି । ମୋବାଇଲ ଆମ  ନିଷ୍ପତ୍ତିକୁ ପ୍ରଭାବିତ କରୁଛି । ଆମ ଧ୍ୟାନ କେମିତି  ଆକର୍ଷଣ କରିବ ଏବଂ ସାମଗ୍ରୀ ଗୁଡିକୁ ମାର୍କେଟିଂ  କରିବାରେ ଆଲ୍‌ଗୋରିଦିମ ବିଶେଷ ଭାବେ  କାର୍ଯ୍ୟ କରୁଛି । ଯେଉଁ ଲୋକମାନେ ଦିନ ସାରା  ମୋବାଇଲ ହାତରେ ସ୍କ୍ରଲ୍‌ କରୁଛନ୍ତି ସେମାନଙ୍କ  ମୁଣ୍ଡକୁ ସ୍ମାର୍ଟଫୋନ କବଳିତ କରି ନେଇଛି । 

ସୋସିଆଲ ମିଡିଆ ବ୍ୟବହାର ନେଇ  ସେ କହିଲେ, ଏବେ ସୋସିଆଲ ମିଡିଆ ଜଙ୍କ  ଇନ୍‌ଫରମେସନ ବା ଅନାବଶ୍ୟକ ସୂଚନା ପ୍ରଦାନରେ  ଏକ ବଡ ମାଧ୍ୟମ ପାଲଟିଛି । ଅଧିକ ସୁଚନାର  ଅର୍ଥ ଅଧିକ ଜ୍ଞାନ ନୁହେଁ । ଏଭଳି କ୍ଷେତ୍ରରେ  ଇନଫରମେସନ ଫାଷ୍ଟ ଦ୍ୱାରା ଅନାବ୍ୟଶକ ସୂଚନାକୁ  ବାହାର କରିବା ଲାଗି ଧ୍ୟାନ କରିଥାଏ । 

ଏଆଇ ବିକଶିତ  କରିବା ଠାରୁ ଆମେ ଜଣେ ଅନ୍ୟ ଜଣଙ୍କୁ ଭରସା  କରିବା ଉପରେ ଅଧିକ ପ୍ରାଥମିକତା ଦେବା ଉଚିତ । ଏଆଇ ମଣିଷଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା  କରିପାରିବନି । ଏବେ ଏଆଇ ବିକାଶରେ ଅଧିକ  ନିବେଶ ହେଉଛି । ମାତ୍ର ସେହି ତୁଳନାରେ ମଣିଷର  ବୁଦ୍ଧିମତା ଏବଂ ଶାନ୍ତି ପ୍ରତିଷ୍ଠାରେ ନିବେଶ ହେଉନି । ବଡ  ଲିଡର ମାନେ ଟେକ୍ନୋଲୋଜି ବନାଇବା ଉପରେ ବେଶି  ଫୋକସ କରୁଛନ୍ତି । ମାତ୍ର ଭାଇଚାରା ପ୍ରେମ ଆଦି ଲାଗି  ମନ ଓ ମସ୍ତିସ୍କକୁ ବିକଶିତ କରିବା ଲାଗି ସମୟ ନାହିଁ ।

 ଇସ୍ରାଏଲ ଯୁଦ୍ଧ ଉପରେ ମତ ରଖି ସେ  କହିଲେ, ଇସ୍ରାଏଲ ଏବଂ ପାଲେଷ୍ଟାଇନ ଉଭୟେ  ଉଭୟଙ୍କ ଅସ୍ତିତ୍ୱକୁ ସ୍ୱୀକାର କରୁନାହାନ୍ତି । ଜୀଇଁବା  ଏବଂ ଅସ୍ଥିତ ନେଇ ଅଧିକାର ରହିଥିବା ଉଭୟେ  ମାନିଲେ ଯାଇ ଶାନ୍ତି ପ୍ରତିଷ୍ଠା ହୋଇପାରିବ । ଏହି ୨ଟି ସତ୍ୟତା ସ୍ୱୀକାର କଲେ ଇସ୍ରାଏଲ  ପାଲେଷ୍ଟାଇନ ସମସ୍ୟା ଆପେ ସମାଧାନ ହୋଇଯିବ  ବୋଲି ପ୍ରଫେସର ଫରାରି ଉଲ୍ଲେଖ କରିଛନ୍ତି ।