ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ଆଞ୍ଚଳିକ ଦଳ ଉପରେ ବିଜେପିର ଆଧିପତ୍ୟ ବିସ୍ତାରକୁ ନେଇ ଶାସକ ଓ ବିରୋଧୀ ମଧ୍ୟରେ ବାକଯୁଦ୍ଧ ତେଜିଛି । ବିଶେଷ କରି ବିଜେଡି ନେତାଙ୍କୁ ବିଜେପି ନିଜ ଆଡ଼କୁ ଆକର୍ଷିତ କରିବା ପ୍ରସଙ୍ଗରେ ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ ଶାଣିତ ଆକ୍ରମଣ କରିଛନ୍ତି । ବିଜେଡି ବିଧାୟକ ଅରୁଣ ସାହୁ ବିଜେପିର ରଣନୀତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, "କ୍ଷମତା ଏବଂ ଅର୍ଥ ବଳରେ କୌଣସି ଦଳକୁ ଭଙ୍ଗା ଯାଇପାରେ, କିନ୍ତୁ ଏହାକୁ ଗଣତନ୍ତ୍ର କୁହାଯିବ ନାହିଁ ।
"ଯେଉଁମାନେ ଦଳ ଛାଡ଼ିଲେ ଓ ଯେଉଁମାନେ ସେମାନଙ୍କୁ ଗ୍ରହଣ କଲେ, ସେମାନେ କେତେ ଭଦ୍ର ଲୋକ ?" ବୋଲି ସେ ପ୍ରଶ୍ନ କରିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ସାଂସଦ ବା ବିଧାୟକଙ୍କୁ ନିଜ ଦଳକୁ ନେଇଗଲେ ଦଳ ମଜଭୁତ ହୁଏନାହିଁ । ପୂର୍ବରୁ କଂଗ୍ରେସ ମଧ୍ୟ ଏପରି କରିଥିଲା, କିନ୍ତୁ ଶେଷରେ ତାର ପରିଣାମ କ’ଣ ହେଲା ସମସ୍ତେ ଜାଣନ୍ତି । ବିଜେଡି ଛାଡ଼ି ବିଜେପିକୁ ଯାଇଥିବା ନେତାମାନେ ଏବେ ସେଠାରେ କେମିତି 'ଦହଗଞ୍ଜ' ହେଉଛନ୍ତି, ତାହା ସେମାନଙ୍କୁ ପଚାରିଲେ ଜଣାପଡ଼ିବ ବୋଲି ସେ କଟାକ୍ଷ କରିଛନ୍ତି ।
ଆସନ୍ତା ୩୦ ତାରିଖରେ ଡକାଯାଇଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ ନେଇ ମଧ୍ୟ ସରକାରଙ୍କୁ ଘେରିଛନ୍ତି ଅରୁଣ ସାହୁ । ସେ କହିଛନ୍ତି ଯେ, ପୂର୍ବରୁ କେନ୍ଦ୍ର ସରକାର ଅବେଳରେ ସଂସଦ ଡାକିଥିଲେ, ଯାହାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ୪୮ ଘଣ୍ଟା ପୂର୍ବରୁ ବିଧାନସଭା ଡାକିବାକୁ ଦାବି କରିଥିଲେ । ବିଜେପି କୌଣସି ଆଲୋଚନା ନ କରି ବିଲ୍ ଆଣୁଛି ଏବଂ ଏବେ ଏହି ସ୍ୱତନ୍ତ୍ର ଅଧିବେଶନ କାହିଁକି ଡକାଯାଇଛି ତାହାର କାରଣ ମଧ୍ୟ ସ୍ପଷ୍ଟ ନାହିଁ । ସରକାରଙ୍କ ଏହି ପଦକ୍ଷେପକୁ ସେ 'ଡ୍ରାମା' ଓ 'ରାଜନୈତିକ ବାହାନା' ବୋଲି କହିବା ସହ ୩୦ ତାରିଖରେ ଗୃହରେ ଏହାର ମୁହାଁମୁହିଁ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଲୋକଙ୍କ ଅସନ୍ତୋଷ ଯେବେ ଚରମରେ ପହଞ୍ଚିବ, ସେବେ କେନ୍ଦ୍ର ଓ ରାଜ୍ୟରେ ବିଜେପିକୁ ଲୋକେ ସଫା କରିଦେବେ ବୋଲି ଅରୁଣ ସାହୁ କହିଛନ୍ତି ।