ନିୟନ୍ତ୍ରଣ ହରାଇ ଖସିଲା ଟ୍ରକ…
୧ ହଜାର ଫୁଟ ତଳେ ଜୀବନ…
କଠିନ ହେଉଛି ଉଦ୍ଧାର କାର୍ଯ୍ୟ…
ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଭାରତୀୟ ରାଜ୍ୟ ଅରୁଣାଚଳ ପ୍ରଦେଶରୁ ଏକ ହୃଦୟବିଦାରକ ଖବର ଏବେ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ ଭାରତ-ଚୀନ ସୀମା ନିକଟରେ ଶ୍ରମିକ ମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଏକ ଗଭୀର ଖାଈକୁ ଖସି ପଡ଼ିଛି। ଏହି ଟ୍ରକରେ ୨୧ ଜଣ ଶ୍ରମିକ ଥିଲେ। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଦୁର୍ଘଟଣା କେଉଁଠାରେ ଘଟିଛି ?
ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ଅରୁଣାଚଳ ପ୍ରଦେଶର ଭାରତ-ଚୀନ ସୀମା ନିକଟବର୍ତ୍ତି ହାୟୁଲିୟାଙ୍ଗ-ଚଗଲାଗାମ ରାସ୍ତାରେ ଘଟିଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ରିପୋର୍ଟ ଅନୁଯାୟୀ, ୧୭ରୁ ଅଧିକ ଲୋକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗୁରୁତରଙ୍କୁ ଉଦ୍ଧାର କରିବା ଅଧିକ ଚ୍ୟାଲେଞ୍ଜିଂ ହୋଇପଡିଛି । ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
କେମିତି ଘଟିଲା ଦୁର୍ଘଟଣା ?
ସନ୍ଦେହ କରାଯାଉଛି ଯେ, ଶ୍ରମିକ ମାନଙ୍କୁ ନେଇ ଯାଉଥିବା ଟ୍ରକଟି ପାହାଡ଼ି ରାସ୍ତାରୁ ଖସି ପ୍ରାୟ ୧୦୦୦ ଫୁଟ ଗଭୀର ଗର୍ତ୍ତରେ ଖସି ପଡ଼ିଥିଲା। ଆହତ ଶ୍ରମିକ ମାନେ ନିର୍ମାଣ କାର୍ଯ୍ୟ ପାଇଁ ହାୟୁଲିଆଙ୍ଗକୁ ଯାତ୍ରା କରୁଥିଲେ। ଟ୍ରକଟି ପାହାଡିଆ ରାସ୍ତା ଅତିକ୍ରମ କରୁଥିବା ସମୟରେ ନିୟନ୍ତ୍ରଣ ହରାଇ ଗଭୀର ଘାଟି ଭିତରକୁ ଖସିପଡ଼ିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଅଧିକାରୀ ମାନେ ଉଦ୍ଧାରକାରୀ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ।