ନୂଆଦିଲ୍ଲୀ: ବିଜେପି ରେଖା ଗୁପ୍ତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚୟନ କରିବା ପରେ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଆତିଶୀଙ୍କ ପ୍ରତିକ୍ରିୟା ମିଳିଛି । ମୁଖ୍ୟମନ୍ତ୍ରୀ ନେଇ ଘୋଷଣାର କିଛି ମିନିଟ୍ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆପ ନେତା ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆତିଶୀ । ସେମାନେ କହିଛନ୍ତି ଯେ, ଦିଲ୍ଲୀବାସୀଙ୍କ ବିକାଶ ପାଇଁ ପ୍ରତ୍ୟେକ କାର୍ଯ୍ୟରେ ତାଙ୍କୁ(ରେଖା ଗୁପ୍ତା) ସମର୍ଥନ କରିବେ। ଏହା ସହ ନୂତନ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ଦିଲ୍ଲୀବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବେ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି । 

ବିଜେପିକୁ ଏହାର ଏକ ପ୍ରମୁଖ ନିର୍ବାଚନ ପ୍ରତିଶ୍ରୁତି ମନେ ପକାଇ ଦେଇ ଆତିଶୀ କହିଛନ୍ତି, ‘ଆମେ ଆଶା କରୁଛୁ ଯେ ବିଜେପି ମହିଳାମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ମାସିକ ୨୫୦୦ ଟଙ୍କା  ମାର୍ଚ୍ଚ ୮ରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ପଠାଇବ ।’ ୧୯୯୮ ମସିହାରୁ ଦିଲ୍ଲୀରେ ଶାସନକୁ ଫେରିନଥିବା ବିଜେପି ୨୦୨୫ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ସରକାର ଗଢ଼ିବାକୁ ଯାଉଛି । ବିଜେପିର ବୃହତ୍ତ ବିଜୟ ହୋଇଥିବା ବେଳେ ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ ଏବଂ ସୌରଭ ଭରଦ୍ୱାଜଙ୍କ ସମେତ ଅନେକ ଶୀର୍ଷ ଆପ ନେତା ପରାଜିତ ହୋଇଛନ୍ତି ।




ଦିଲ୍ଲୀ ନିର୍ବାଚନରେ ବିଜୟୀ ହେବାକୁ ବିଜେପି ମହିଳାମାନଙ୍କୁ ପ୍ରସଙ୍ଗକୁ ଅଧିକ ଗରୁତ୍ବ ଦେଇଥିଲା । ମହିଳାମାନଙ୍କ ପାଇଁ ମାସିକ ୨୫୦୦ ଟଙ୍କା ସହାୟତା ରାଶି ଦେବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ବିଜେପିର ଏହି ପ୍ରତିଶ୍ରୁତି ମହିଳାମାନଙ୍କୁ ଆପ୍‌ ଦେଇଥିବା ପ୍ରତଶ୍ରୁତି ଉପର ଭାରୀ ପଡ଼ିଥିଲା । ମହିଳାମାନଙ୍କୁ ୨୧୦୦ ଟଙ୍କା, ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କୁ ୨୧,୦୦୦ ଟଙ୍କା ଆର୍ଥିକ ସହାୟତା, ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ୨୫୦୦ ଟଙ୍କା ପେନସନ୍ ପ୍ରତିଶ୍ରୁତି ଦେଇଥିଲା ଆପ୍‌ । ସେପଟେ ପିଟିଆଇରେ ପ୍ରକାଶିତ ଖବର ଅନୁସାରେ, ମହିଳାମାନଙ୍କ ଉପରେ କେନ୍ଦ୍ରିତ ଯୋଜନା ପାଇଁ ଗୁରୁବାର ସୁଦ୍ଧା ଡ୍ରାଫ୍ଟ ପ୍ରସ୍ତୁତ କରିବାକୁ ଦିଲ୍ଲୀ ମହିଳା ଏବଂ ଶିଶୁ ବିକାଶ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।