ନୂଆଦିଲ୍ଲୀ,୨୭/୦୨; ଦିଲ୍ଲୀ ମଦ ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆଙ୍କୁ ରାଉଜ ଆଭେନ୍ୟୁ କୋର୍ଟ ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି । ପ୍ରମାମ ଅଭାବରୁ ମନୀଷ ଏବଂ ଅରବିନ୍ଦଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି କୋର୍ଟ । ନିର୍ଦ୍ଦୋଶ ସାବ୍ୟସ୍ତ ହେବା ପରେ କୋର୍ଟ ବାହାରେ ଗଣମାଧ୍ୟମ ଆଗରେ ଭୋ-ଭୋ ହୋଇ କାନ୍ଦି ପକାଛନ୍ତି ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ଭାବପ୍ରବଣ ହୋଇ କେଜରିୱାଲ ଏହାକୁ ସ୍ୱାଧୀନ ଭାରତର ସବୁଠାରୁ ବଡ଼ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି । କୋର୍ଟ ତାଙ୍କୁ ଏବଂ ସିସୋଦିଆଙ୍କୁ ସଚ୍ଚୋଟ ବୋଲି କହି ମୁକ୍ତ କରିଥିବା ନେଇ କାନ୍ଦି ପକାଇଛନ୍ତି । ଏହି ସମୟରେ ମନୀଷ ସିସୋଦିଆ ମଧ୍ୟ ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଛି ।
ଦୋଷମୁକ୍ତ ହେବା ପରେ କୋର୍ଟ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି, '' ମୁଁ ଦୁର୍ନୀତିଗ୍ରସ୍ତ ନୁହେଁ । କୋର୍ଟ ମୋତେ ଏବଂ ମନୀଷ ସିସୋଦିଆକୁ ସଚ୍ଚୋଟ୍ ବୋଲି କହିଛନ୍ତି । ଆଜି, କୋର୍ଟ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ମୁକ୍ତ କରିଛନ୍ତି । ଆମେ ସବୁବେଳେ କହିଥିଲୁ ଯେ ସତ୍ୟର ବିଜୟ ହୁଏ । ଆମର ଭାରତୀୟ ଆଇନ ବ୍ୟବସ୍ଥା ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି । ଅମିତ ଶାହ ଏବଂ ମୋଦି ଜୀ ମିଶି ଆପ୍କୁ ସମାପ୍ତ କରିବା ପାଇଁ ସବୁଠାରୁ ବଡ଼ ରାଜନୈତିକ ଷଡ଼ଯନ୍ତ୍ର ରଚିଥିଲେ ଏବଂ ଦଳର ୫ ଜଣ ବଡ଼ ନେତାଙ୍କୁ ଜେଲ ପଠାଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଘରୁ ଟାଣି ଆଣି ଜେଲରେ ପଶାଇ ଦିଆଯାଇଥିଲା । କେଜରିୱାଲ ଦୁର୍ନୀତିଗ୍ରସ୍ତ ନୁହଁନ୍ତି । ମୁଁ ମୋ ଜୀବନରେ କେବଳ ସଚ୍ଚୋଟତା ଅର୍ଜନ କରି ଛି। ଆଜି, କୋର୍ଟ କହିଛନ୍ତି ଯେ କେଜରିୱାଲ, ମନୀଷ ସିସୋଦିଆ ଏବଂ ଆପ୍ ସଚ୍ଚୋଟ । ଏହା ମିଥ୍ୟା ମାମଲା ଥିଲା । କାଦୁଆ ଫିଙ୍ଗା ଯାଇଥିଲା । ୨୪ ଘଣ୍ଟା ଟିଭି ଚ୍ୟାନେଲରେ ଖବର ପ୍ରସାରିତ ହୋଇଥିଲା କେଜ୍ରିୱାଲ ଦୁର୍ନୀତିଗ୍ରସ୍ତ । କେଜ୍ରିୱାଲ ଦୁର୍ନୀତିଗ୍ରସ୍ତ ନୁହେଁ ଏହା ଆଜି ପ୍ରମାଣିତ । ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିବାକୁ ଚାହୁଁଛି କ୍ଷମତା ପାଇଁ ସମ୍ବିଧାନ ସହ ସେ ନଖେଳନ୍ତୁ । "
ଏହା ବି ପଢନ୍ତୁ...ମଦ ଦୁର୍ନୀତି ମାମଲା : ସିବିଆଇକୁ କୋର୍ଟଙ୍କ ଶକ୍ତ ଚାପୁଡ଼ା, କେଜରିୱାଲ ଓ ମନୀଷ ସିସୋଦିଆ ନିର୍ଦ୍ଦୋଷରେ ଖଲାସ
କହି ରଖୁଛୁ କି, ୨୦୨୨-୨୩ରେ ଦିଲ୍ଲୀରେ ମଦ ଦୁର୍ନୀତି ଅଭିଯୋଗରେ ସିବିଆଇ ମାମଲା ରୁଜୁ କରିଥିଲା । ପରେ ମନି ଲଣ୍ଡ୍ରିଂ ମାମଲାରେ ଇଡି କେସ୍ ରୁଜୁ କରିଥିଲା । ଆମ୍ ଆଦମୀ ପାର୍ଟିର ବହୁ ନେତା ଏହି ମାମଲାରେ ଜେଲ୍ ଯାଇଥିଲେ। ବହୁ ଜଣଙ୍କର ଜାମିନ ଆବେଦନ ଖାରଜ ହୋଇଥିଲା । ହେଲେ ପରେ ସେମାନଙ୍କୁ ଜାମିନ ମିଳିଥିଲା । ସିବିଆଇର ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ବଡ଼ ରାୟ ଦେଇ ଅରବିନ୍ଦ କେଜରିୱାଲ ଓ ମନୀଷ ସିସୋଦିଆଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାରେ ପର୍ଯ୍ୟାପ୍ତ ପ୍ରମାଣ ନଥିବାରୁ ଉଭୟଙ୍କୁ ଦୋଷ ମୁକ୍ତ କରିଛନ୍ତି କୋର୍ଟ । ଦିଲ୍ଲୀ କୋର୍ଟଙ୍କ ରାୟକୁ ସ୍ଵାଗତ କଲେ ସୁନୀତା କେଜ୍ରିୱାଲ। ଏକ୍ସରେ ପୋଷ୍ଟ କରି ସୁନୀତା ଲେଖିଛନ୍ତି ଯେ, ସତ୍ୟର ସବୁବେଳେ ବିଜୟ ହୁଏ । କୋର୍ଟରୁ କେଜ୍ରିୱାଲ ଏବଂ ସିସୋଦିଆଙ୍କୁ କ୍ଲିନ୍ ଚିଟ୍ ମିଳିଛି ।