ନୂଆଦିଲ୍ଲୀ,୦୩/୧୦: ଆମ୍‌ ଆଦ୍‌ମୀ  ପାର୍ଟି(ଆପ୍‌)ର ଆବାହକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଖୁବ୍‌ ଶୀଘ୍ର ପରିବାର ସହିତ ନୂଆ ଘରକୁ ଶିଫ୍ଟ ହେବେ । ଫ୍ଲାଗଷ୍ଟାଫ୍‌ ରୋଡ୍‌ରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସେ ଆସନ୍ତା ୪  ତାରିଖରେ ଖାଲି କରିବେ ବୋଲି ସୂଚନା ମିଳିଛି । 

ଏ ସଂପର୍କରେ ବୁଧବାର ଦଳ  ପକ୍ଷରୁ କୁହାଯାଇଛି ଯେ, ମଣ୍ଡି ହାଉସ୍‌ ନିକଟରେ ଫିରୋଜଶାହ ରୋଡ୍‌ରେ  ଆପ୍‌ର ରାଜ୍ୟସଭା ସାଂସଦଙ୍କୁ ଆବଣ୍ଟିତ ୨ଟି ବଙ୍ଗଳା ମଧ୍ୟରୁ ଗୋଟିଏରେ ସେ ରହିବେ । ଉଭୟ ବଙ୍ଗଳା ରବି ଶଙ୍କର ଶୁକ୍ଲା ଲେନ୍‌ସ୍ଥିତ ଦଳର ମୁଖ୍ୟାଳୟଠାରୁ  ମାତ୍ର କିଛି ମିଟର ଦୂରରେ ରହିଛି । ଦିଲ୍ଲୀ  ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ  ମାମଲାରେ କୋର୍ଟରୁ ଜାମିନରେ ଆସିବା ପରେ ଗତ ମାସରେ କେଜରିୱାଲ ନିଜ  ପଦରୁ ଇସ୍ତଫା ଦେଇଥିଲେ । ଏହାପରେ  ଏକ ଜାତୀୟ ଦଳର ମୁଖ୍ୟ ଭାବେ  କେଜରିୱାଲଙ୍କୁ ଘର ପ୍ରଦାନ ଲାଗି ଆପ୍‌ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ  ଦାବି କରାଯାଇଥିଲା । କେଜରିୱାଲ ଏବେ ନୂଆ ଦିଲ୍ଲୀ ବିଧାନସଭା କ୍ଷେତ୍ରରୁ  ବିଧାୟକ ଅଛନ୍ତି । ମୁଖ୍ୟମନ୍ତ୍ରୀ  ହେବା ପୂର୍ବରୁ ସେ ଗାଜିଆବାଦର  କୌଶାମ୍ବୀ ଅଞ୍ଚଳରେ ରହୁଥିଲେ ।