ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ ପଞ୍ଜାବରୁ ରାଜ୍ୟସଭା ପାଇଁ ଲଢ଼ିବେ ନାହିଁ। ଟ୍ରାଇଡେଣ୍ଟ ଗ୍ରୁପର ମାଲିକ ଏବଂ ବ୍ୟବସାୟୀ ରାଜେନ୍ଦ୍ର ଗୁପ୍ତା ଆମ ଆଦମୀ ପାର୍ଟିର ରାଜ୍ୟସଭା ପ୍ରାର୍ଥୀ ହେବେ। ଗୁପ୍ତାଙ୍କୁ ୨୦୨୨ ମସିହାରେ ଆମ ଆଦମୀ ପାର୍ଟି ସରକାର ଦ୍ୱାରା ପଞ୍ଜାବ ଯୋଜନା ବୋର୍ଡରେ ନିଯୁକ୍ତ କରାଯାଇଥିଲା। ରାଜେନ୍ଦ୍ର ଗୁପ୍ତା ସେହି ପଦବୀରୁ ଇସ୍ତଫା ଦେଇଛନ୍ତି। ଲୁଧିଆନା ପଶ୍ଚିମ ଉପନିର୍ବାଚନରେ ​​ସଞ୍ଜୀବ ଆରୋରା ବିଜୟୀ ହେବାରୁ ରାଜ୍ୟସଭା ଆସନ ଖାଲି ହୋଇଜି । ଏବେ ଏହି ଆସନରୁ ରାଜେନ୍ଦ୍ର ଗପ୍ତା ରାଜ୍ୟସଭାକୁ ଯିବେ । ହେଲେ ତାଙ୍କ ନାମ ଏପର୍ଯ୍ୟନ୍ତ ଦଳ ପକ୍ଷରୁ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନାହିଁ।

ବିଧାନସଭା ଉପନିର୍ବାଚନ ପାଇଁ ସଞ୍ଜୀବ ଆରୋରାଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରାଯିବା ପରଠାରୁ ଆପ୍‌ କାହାକୁ ରାଜ୍ୟସଭାକୁ ପଠାଇବ ସେନେଇ ଚର୍ଚ୍ଚା ହେଉଥିଲା। ଏହି ଆସନରୁ ଦଳର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ରାଜ୍ୟସଭା ଯିବେ ବୋଲି କୁହାଯାଉଥିଲା। ପଞ୍ଜାବର ବିରୋଧୀ ଦଳଗୁଡ଼ିକ ଦାବି କରିଥିଲେ ଯେ, କେଜ୍ରିୱାଲ ରାଜ୍ୟସଭାକୁ ଯିବେ। ପରେ କେଜ୍ରିୱାଲ ନିଜେ ଏଭଳି ଦାବିକୁ ଖଣ୍ଡନ କରିଥିଲେ ଏବଂ ରାଜ୍ୟସଭା ଯିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । 

ଚଳିତ ବର୍ଷ ଜୁନ୍ ମାସରେ ସଞ୍ଜୀବ ଆରୋରା ଲୁଧିଆନା ପଶ୍ଚିମ ଉପନିର୍ବାଚନରେ ​​୧୦,୦୦୦ରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିଲେ। ସେ କଂଗ୍ରେସ ପ୍ରାର୍ଥୀ ଭାରତ ଭୂଷଣ ଆଶୁଙ୍କୁ ପରାସ୍ତ କରିଥିଲେ। ବିଜେପିର ଜୀବନ ଗୁପ୍ତା ତୃତୀୟ ସ୍ଥାନରେ ରହିଥିଲେ। ଆରୋରା ୩୫,୧୭୯ ଭୋଟ ପାଇଥିବା ବେଳେ, ଆଶୁ ୨୪,୫୨୫ ଭୋଟ ପାଇଥିଲେ। ଉପନିର୍ବାଚନରେ ​​ବିଜୟୀ ହେବା ପରେ, ସଞ୍ଜୀବ ଆରୋରା ରାଜ୍ୟସଭା ସଦସ୍ୟ ପଦରୁ  ଇସ୍ତଫା ଦେଇଥିଲେ ଏବଂ ପରେ ପଞ୍ଜାବରେ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ। କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୀବ ଆରୋରା ମୋଟ ତିନୋଟି ବିଭାଗ ରଖିଛନ୍ତି।

ପଞ୍ଜାବରେ ମୋଟ ୭ଟି ରାଜ୍ୟସଭା ଆସନ ରହିଛି। ଗୋଟିଏ ସିଟ୍ ଖାଲି ଅଛି । ଅବଶିଷ୍ଟ ୬ ସାଂସଦ AAPରୁ ରହିଛନ୍ତି । ରାଘବ ଚଢ଼ା,  ଅଶୋକ କୁମାର ମିତ୍ତଲ, ସନ୍ଦୀପ ପାଠକ, ବିକ୍ରମଜିତ ସିଂହ ସାହନି, ହରଭଜନ ସିଂହ ଏବଂ ସନ୍ତ ବଲବୀର ସିଂ ରାଜ୍ୟସଭା ସାଂସଦ ଅଛନ୍ତି।