ନ୍ୟୁୟର୍କ,୦୮/୦୯: ବିଶ୍ୱର ଏକ ନମ୍ବର ତଥା ଡିଫେଣ୍ଡିଂ ଚାମ୍ପିଅନ ବେଲାରୁଷର ଆର୍ନ୍ୟା ସାବାଲେଙ୍କା ଘରୋଇ ତାରକା ଆମଣ୍ଡା ଆନିସିମୋଭାଙ୍କୁ ହରାଇ ୟୁଏସ୍‌ ଓପନ ମହିଳା ସିଙ୍ଗଲ୍ସ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛନ୍ତି । ଫାଇନାଲରେ ଟପ୍‌ ସିଡ୍‌ ସାବାଲେଙ୍କା ୬-୩, ୭-୬ (୭-୩)ରେ  ବିଜୟ ହାସଲ କରିଥିଲେ । କ୍ୟାରିୟରରେ ସେ ଚତୁର୍ଥ ଗ୍ରାଣ୍ଡ୍‌ସ୍ଲାମ ଟାଇଟଲ ବିଜୟୀ ହେବାରେ ସଫଳ ହୋଇଛନ୍ତି ।

ରବିବାର ପ୍ରଥମ ସେଟ୍‌ରେ ସାବାଲେଙ୍କା  ୬-୩ରେ ସହଜ ବିଜୟ ହାସଲ କରିଥିଲେ । କିନ୍ତୁ ଦ୍ୱିତୀୟ ସେଟ୍‌ରେ ଆନିସିମୋଭା  କଡ଼ା ଟକ୍କର ଦେଇଥିଲେ । ଫଳରେ ଏହା ଟାଇବ୍ରେକରରେ ନିର୍ଣ୍ଣୟ ହୋଇଥିଲା । ସାବାଲେଙ୍କା ଶେଷରେ ୭-୬ (୭-୩) ରେ ବିଜୟୀ ହୋଇଥିଲେ । ଏଥିସହ ଆନିସିମୋଭାଙ୍କ କ୍ୟାରିୟରରେ ପ୍ରଥମ  ଗ୍ରାଣ୍ଡ୍‌ସ୍ଲାମ ଜିତିବାର ସ୍ୱପ୍ନ ଧୂଳିସାତ  ହୋଇଥିଲା । ୧ ଘଣ୍ଟା ୩୪ ମିନିଟ ଧରି ଏହି  ମ୍ୟାଚ୍‌ ଚାଲିଥିଲା ।  

 

୨୭ ବର୍ଷୀୟା ସାବାଲେଙ୍କା ଫ୍ରେଞ୍ଚ  ଓପନ ଓ ୱିମ୍ବଲଡନରେ ଚଳିତ ବର୍ଷ  ଫାଇନାଲରେ ପ୍ରବେଶ କରିଥିଲେ । ମାତ୍ର ତାଙ୍କୁ  ରନର୍ସଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଶେଷରେ ସିଜନର ଅନ୍ତିମ ଗ୍ରାଣ୍ଡସ୍ଲାମରେ ସେ  ବର୍ଷର ପ୍ରଥମ ଟାଇଟଲ ହାସଲ କରିବାରେ  ସଫଳ ହୋଇଥିଲେ । ପୂର୍ବରୁ ୨୦୨୩ ଓ  ୨୦୨୪ରେ ଅଷ୍ଟ୍ରେଲିଆନ ଓପନ ଏବଂ  ୨୦୨୪ରେ ୟୁଏସ୍‌ ଓପନ ହାସଲ କରିଥିଲେ ।

ଅଷ୍ଟମ ସିଡ୍‌ ୨୪ ବର୍ଷୀୟା ଆନିସିମୋଭା  ଚଳିତ ବର୍ଷ ୱିମ୍ବଲଡନ ଓ ୟୁଏସ୍‌ ଓପନ  ଫାଇନାଲ ଖେଳିଥିଲେ । ୱିମ୍ବଲଡନରେ ଇଗା  ସ୍ୱିଟେକଙ୍କ ଠାରୁ ୬-୦, ୬-୦ରେ ପରାଜିତ  ହୋଇଥିଲେ ।

ସାବାଲେଙ୍କା ନିଜର ଧୈର୍ଯ୍ୟ  ଏବଂ ଅଭିଜ୍ଞତା ବଳରେ ଘରୋଇ ମାଟିରେ ଆନିସିମୋଭାଙ୍କୁ ପରାଜିତ କରିବାରେ ସଫଳ ହୋଇପାରିଥିଲେ । ଫ୍ରେଞ୍ଚ ଓପନରେ ଫାଇନାଲ ଏବଂ ୱିମ୍ବଲଡନରେ ସେମି ଫାଇନାଲ ହାରିବା ପରେ ସାବାଲେଙ୍କା ନିଜ  ଭାବପ୍ରବଣତା ଉପରୁ ନିୟନ୍ତ୍ରଣ ହରାଇଥିଲେ । ସେ କହିଥିଲେ, ‘ପୁଣି ଥରେ ୟୁଏସ୍‌  ଓପନରେ ମୋ ସହ ଘଟୁ ତାହା ମୁଁ ଚାହିଁ ନଥିଲି । କିଛି ଏମିତି ମୁହୂର୍ତ୍ତ ଥିଲା ମୋତେ ବେଶ ଶାନ୍ତ ଓ ଧୈର୍ଯ୍ୟ ଧରିବାକୁ ପଡ଼ିଥିଲା ।’ ଫ୍ରେଞ୍ଚ ଓପନରେ କୋକୋ ଗୌଫ  ଓ ସାବାଲେଙ୍କାଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ଶେଷରେ ଗୌଫ ୬–୭(୫– ୭), ୬–୨, ୬–୪ରେ ବିଜୟୀ ହୋଇଥିଲେ ।