ଭୁବନେଶ୍ୱର,୨୬/୧୨: ସ୍ଥିତି ଉଦ୍ବେଗଜନକ । ଦିଲ୍ଲୀ ସମେତ ଦେଶର ବଡ଼ ବଡ଼ ସହରଠାରୁ ଓଡ଼ିଶାର ବାୟୁମଣ୍ଡଳ ଅଧିକ ପ୍ରଦୂଷିତ ହୋଇଯାଇଛି । ଆଜିର ଦିନରେ ବାଲେଶ୍ୱର ଭାରତର ସବୁଠାରୁ ପ୍ରଦୂଷିତ ସହର । ବାଲେଶ୍ୱରର ବାୟୁର ମାନ(ଏକ୍ୟୁଆଇ) ୩୩୮ ଛୁଇଁଛି, ଯାହାକି ଅତି ନିମ୍ନମାନର । ଏଭଳି ପ୍ରଦୂଷିତ ପବନ ଶ୍ୱାସରୋଗୀଙ୍କ ସ୍ଥିତି ବିଗାଡ଼ିପାରେ ।

ଭାରତର ୧୦ଟି ସର୍ବାଧିକ ବାୟୁ ପ୍ରଦୂଷିତ ସହର ତାଲିକାରେ ଓଡ଼ିଶାର ୭ଟି ସହର ସ୍ଥାନ ପାଇଛି । ବାୟୁ ପ୍ରଦୂଷଣରେ ବାଲେଶ୍ୱର ଦେଶର ପ୍ରଥମ ସ୍ଥାନରେ ଥିବାବେଳେ ତାଳଚେର ଦ୍ୱିତୀୟ ଓ ବାରିପଦା ୬ ନମ୍ବରରେ ଅଛି । ତାଳଚେରରେ ଏକ୍ୟୁଆଇ ୩୨୦ ରେକର୍ଡ ହୋଇଥିବା ବେଳେ ପଶ୍ଚିମବଙ୍ଗର ହଳଦିଆରେ ୩୧୬, ପଞ୍ଜାବର ରୂପନଗରରେ ୩୧୧, ବିଶାଖାପାଟନମରେ ୩୦୩ ଏବଂ ବାରିପଦାରେ ଏକ୍ୟୁଆଇ ୩୦୧ ରହିଛି । ଗତ ୨୪ ଘଣ୍ଟାର ବାୟୁ ପ୍ରଦୂଷଣ ସ୍ତରକୁ ଅନୁଧ୍ୟାନ କରି ଗୁରୁବାର ଅପରାହ୍ନ ୪ଟାରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ଜାରି କରିଥିବା ହାରାହାରି ଏକ୍ୟୁଆଇ ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି । ଦେଶର ୬ଟି ସହରରେ ବାୟୁର ମାନ ଅତି ନିମ୍ନସ୍ତରୀୟ ଭାବେ ଲାଲ୍ ରଙ୍ଗରେ ଚିହ୍ନଟ କରାଯାଇଥିବାବେଳେ ଏଥିରେ ଓଡ଼ିଶାର ୩ଟି ସହର ରହିଛି । ଏକ୍ୟୁଆଇ ୩ ଶହରୁ ୪ଶହ ଭିତରେ ରହିଲେ ଏହାକୁ ଅତି ନିମ୍ନମାନର କୁହାଯାଇଥାଏ । ଆଜିର ରିପୋର୍ଟରେ ଦିଲ୍ଲୀରେ ଏକ୍ୟୁଆଇ ୨୩୪, ଫରିଦାବାଦରେ ୨୧୫, ଚେନ୍ନାଇରେ ୧୫୦, ବାଙ୍ଗାଲୋରରେ ୧୧୮, ଚଣ୍ଡୀଗଡ଼ରେ ୧୮୬, ମୁମ୍ବାଇରେ ୧୦୪, ଲକ୍ଷେ୍ନø ୧୬୩, ହାଇଦ୍ରାବାଦରେ ମାତ୍ର ୯୯ ରହିଛି । ଏସବୁ ବଡ଼ ସହରରେ ପ୍ରଦୂଷଣ ମାତ୍ରା କମ୍ ଥିବାବେଳେ ଓଡ଼ିଶାର ଅଧିକାଂଶ ସହରରେ ଢେର ଅଧିକ ରହିଛି ପ୍ରଦୂଷଣର ମାତ୍ରା ।

ଭୁବନେଶ୍ୱର, ବ୍ୟାସନଗର, କଟକ, ଅନୁଗୁଳରେ ସ୍ଥିତି ମଧ୍ୟ ଚିନ୍ତାଜନକ

ରାଜ୍ୟର ଅନ୍ୟ ପ୍ରଦୂଷିତ ସହର ଭିତରେ ଅନୁଗୁଳ ଏକ୍ୟୁଅଇ ୨୭୬, କଟକ ୨୬୨, ବ୍ୟାସନଗର ୨୬୦, ଭୁବନେଶ୍ୱର ୨୩୯, ରାଉରକେଲା ୧୭୮ ରହିଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ ନିରଞ୍ଜନ ମଲ୍ଲିକ କହିଛନ୍ତି, ଶୀତ ଦିନ ସମୟରେ ସାଧାରଣତଃ ବାୟୁ ପ୍ରଦୂଷଣ ବଢ଼ିଥାଏ । କୁହୁଡ଼ି ଆଉ ଏକ କାରଣ । ବିଭିନ୍ନ ସ୍ଥାନରେ ରାସ୍ତା ମରାମତି, ଖୋଳାତଡ଼ା ଚାଲିଥିବା ସମୟରେ ଅତ୍ୟଧିକ ଯାନବାହନ ଚଳାଚଳ ଯୋଗୁ ମଧ୍ୟ ବାୟୁର ମାନ ପ୍ରଦୂଷିତ ହୋଇଥାଏ । ପୁଣି କିଛିଦିନ ଭିତରେ ପ୍ରଦୂଷଣ ସ୍ତର କମିଥାଏ । ତଥାପି ପ୍ରଦୂଷଣକୁ ନେଇ ସମସ୍ତେ ସଚେତନ ହେବା ଆବଶ୍ୟକ ।

ବିଶେଷଜ୍ଞ କହିଛନ୍ତି, ଯେଉଁ ହାରରେ ବାୟୁ ପ୍ରଦୂଷିତ ହେଉଛି, ତାହା ଅତ୍ୟନ୍ତ ଚିନ୍ତାଜନକ । ଦିଲ୍ଲୀ ସମେତ ବଡ଼ ବଡ଼ ସହର ତୁଳନାରେ ଓଡ଼ିଶାର ଛୋଟ ସହର ଯଦି ଅଧିକ ପ୍ରଦୂଷିତ ହେଉଛି, ସେ ନେଇ ଠୋସ ପଦକ୍ଷେପ ନେବାକୁ ପଡ଼ିବ । ନଚେତ୍ ଶିଶୁ, ମହିଳା, ଯୁବବର୍ଗ, ବୟସ୍କ ସମସ୍ତେ ଗଭୀର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବେ । ଶ୍ୱାସ ଓ ହୃଦରୋଗୀଙ୍କ ପାଇଁ ସମସ୍ୟା ବଢ଼ିବ । ଏପରିକି ଚର୍ମ, ଚକ୍ଷୁ ଏବଂ କେଶ ଜନିତ ସମସ୍ୟା ବଢ଼ିପାରେ ।