ମୁମ୍ବାଇ,୧୨।୪: ଆରପାରିରେ ବଲିଉଡର ଲିଜେଣ୍ଡ ସିଙ୍ଗର ଆଶା ଭୋସଲେ। ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ଥିଲେ। ତାଙ୍କର ପରଲୋକ ଖବର ପରେ ସାରା ଦେଶରେ କୋଟି କୋଟି ପ୍ରଶଂସକଙ୍କୁ ଲାଗିଛି ବଡ଼ ଝଟକା। ୯୨ ବର୍ଷୀୟ ଆଶା ହେଉଛନ୍ତି ଦିଗଂଗତ ସିଙ୍ଗର ଲତା ମଙ୍ଗେସକରଙ୍କ ସାନ ଭଉଣୀ। ନିଜ ବଡ଼ ଭଉଣୀ ଭଳି ଆଶାଙ୍କର କ୍ୟାରିୟର ବି ଐତିହାସିକ ରହିଛି। ତେବେ ଏହି ପରିଚୟ ଏବଂ ସଫଳତା ତାଙ୍କୁ ହାସଲ କରିବାକୁ ଅନେକ ଷ୍ଟ୍ରଗଲ କରିବାକୁ ପଡିଛି। ୮୦ ବର୍ଷର ସିଙ୍ଗିଙ୍ଗ କ୍ୟାରିୟରରେ ପ୍ରାୟ ୧୨୦୦୦ରୁ ଅଧିକ ଗୀତ ଏବଂ ୨୦ରୁ ଅଧିକ ଭାଷାରେ ସେ ଗୀତ ଗାଇଛନ୍ତି। ତାଙ୍କ ନାଁ ମଧ୍ୟ ଗିନିଜ ବୁକ୍ ଅଫ୍ ରେକର୍ଡରେ ସ୍ଥାନିତ ହୋଇଛି।
ଆଶା ନିଜର କ୍ୟାରିୟରରେ ସବୁ ପ୍ରକାର ଗୀତ ଗାଇଛନ୍ତି। ତାହା ପାର୍ଟି ଗୁଡିକରେ ବାଜୁଥିବା ଗୀତ ‘ପିୟା ତୁ ଅବ୍ ତୋ ଆଜା କିମ୍ବା ଦିଲ୍ ଚିଜ୍ ହୈ କ୍ୟା’। ଆଶାଙ୍କ ପ୍ରତିଟି ଗୀତ ନିଜକୁ ନିଜ ଭିତରେ ଆଇକନିକ୍ ଥିଲା। ୧୯୪୩ରେ ସେ ତାଙ୍କ କ୍ୟାରିୟରର ଶୁଭାରମ୍ଭ କରିଥିଲେ, ଯେତେବେଳେ ତାଙ୍କ ବାପା ଦୀନାନାଥ ମଙ୍ଗେସକରଙ୍କ ପରଲୋକ ହୋଇଥିଲା। ପରିବାରର ବଡ଼ ଝିଅ ହୋଇଥିବାରୁ ଲତାଙ୍କ ଉପରେ ସବୁ ଦାୟିତ୍ବ ଆସିଥିଲା। ସେ ୧୪ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିିଥିଲେ। ଆଡ଼ ଭଉଣୀ ଲତାଙ୍କୁ ଦେଖି ଆଶା ବି ମାତ୍ର ୧୦ ବର୍ଷ ବୟସହେର ଗୀତ ଗାଇବା ଆରମ୍ଭ କରିଥିଲେ।
୧୯୪୩ ରେ ଆଶାଙ୍କ ପ୍ରଥମ ଗୀତ ଏକ ମରାଠୀ ଫିଲ୍ମରେ ଆସିଥିଲା। ସେତେବେଳେ ତାଙ୍କ ବୟସ ୧୦ ବର୍ଷ ଥିଲା। ଆଶାଙ୍କ ପ୍ରଥମ ବଲିଉଡ ଗୀତ ୧୯୪୮ ରେ ଫିଲ୍ମ ‘ଚୁନରିୟା’ରେ ଆସିଥିଲା। ୧୯୫୭ରୁ ଆରମ୍ଭ ହୋଇଯାଇଥିଲା। ତାଙ୍କର ଗୀତ ‘ଉଡେ ଜବ ଜବ ଜୁଲଫେ୍ ତେରି’ ଖୁବ୍ ହିଟ୍ ହୋଇଥିଲା। ଯାହାକୁ ସେ ମହମ୍ମଦ ରଫିଙ୍କ ସହିତ ଗାଇଥିଲେ। ହଠାତ ସେ ନିଜ ବଡ଼ ଭଉଣୀ ଲତା ମଙ୍ଗେସକରଙ୍କ ସେକ୍ରେଟରୀ ଗଣପତରାଓ ଭୋସଲେଙ୍କୁ ବିବାହ କରିଥିଲେ। ସେତେବେଳେ ତାଙ୍କ ବୟସ ମାତ୍ର ୧୬ ବର୍ଷ ଥିଲା। ଏହି ସମୟରେ ପୁରା ପରିବାର ତାଙ୍କ ନିଷ୍ପତ୍ତିକୁ ନେଇ ଖୁବ୍ ଅସନ୍ତୋଷ ଥିଲା। ଆଶାଙ୍କ ବିବାହ ଏବଂ ବ୍ୟକ୍ତିଗତ ଜୀବନ ଖୁବ୍ କଷ୍ଟକର ଥିଲା। ଦୁଇଟି ବିବାହରେ ବିଫଳତା ଏବଂ ସନ୍ତାନଙ୍କୁ ହରାଇ ମଧ୍ୟ ଭାଙ୍ଗି ପଡିନଥିଲେ ସେ।
ଏହା ପରେ ଗାୟିକାଙ୍କୁ ପରିଚିତି ମିଳିବା ଆରମ୍ଭ ହୋଇଥିଲା, କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ବହୁତ ଅଶାନ୍ତ ହୋଇଯାଇଥିଲା। ଆଶା ଏବଂ ତାଙ୍କ ସ୍ୱାମୀ ଗଣପତରାଓ ଭୋସଲେ ମଧ୍ୟ ସମ୍ପର୍କ ଖରାପ ହେବାରେ ଲାଗିଥିଲା। ଏପରିକି ଆଶାଙ୍କୁ ତାଙ୍କ ସ୍ବାମୀ ନିର୍ଯ୍ୟାତନା ଦେଉଥିଲେ ବୋଲି କୁହାଯାଏ। ଏପରିକି ସେ ଥରେ ଆତ୍ମହତ୍ୟା ପାଇଁ ମଧ୍ୟ ଚେଷ୍ଟା କରିଥିଲେ। କିଛି ବର୍ଷ ପରେ ଆଶା ତାଙ୍କ ସ୍ୱାମୀଙ୍କ ଘରୁ ଚାଲିଯାଇଥିଲେ। ୧୯୫୦ ରୁ ୧୯୮୦ ଦଶକ ପର୍ଯ୍ୟନ୍ତ, ଆଶା ଯଥେଷ୍ଟ ପ୍ରସିଦ୍ଧି ହାସଲ କରିଥିଲେ। ତା'ପରେ ୯୦ ଦଶକ ଆସିଥିଲା, ଯେତେବେଳେ ଏ.ଆର. ରହମାନ ତାଙ୍କୁ ‘ରଙ୍ଗୀଲା’ ଚଳଚ୍ଚିତ୍ରର ଟାଇଟଲ୍ ଟ୍ରାକ୍ ପାଇଁ ବାଛିଥିଲେ। ଏହି ଗୀତଟି ଆଜି ମଧ୍ୟ କିଛି ସ୍ଥାନରେ ଶୁଣାଯାଏ ଏବଂ ଖୁବ୍ ପସନ୍ଦ କରାଯାଏ।
ଆଶା ମହମ୍ମଦ ରଫି, କିଶୋର କୁମାର ଏବଂ ମାନ୍ନା ଡେଙ୍କ ଭଳି ମହାନ ଗାୟକଙ୍କ ସହ ଅନେକ ଗୀତ ଗାଇଥିଲେ। ରୋଶନ, ଓ.ପି. ନାୟାର, ଏସ୍.ଡି. ବର୍ମନ ଏବଂ ଆର.ଡି. ବର୍ମନଙ୍କ ପରି ସେ ସମୟର ପ୍ରସିଦ୍ଧ ସଂଗୀତଜ୍ଞଙ୍କ ସହ ମଧ୍ୟ କାମ କରିଥିଲେ। ଆଶା ଦ୍ୱିତୀୟ ଥର ପାଇଁ ସଂଗୀତଜ୍ଞ ଆର.ଡି. ବର୍ମନଙ୍କୁ ବିବାହ କରିଥିଲେ। ୧୯୮୦ ଦଶକର ପ୍ରାରମ୍ଭରେ ଦୁହେଁ ପୁଣି ଏକାଠି ହୋଇଥିଲେ, କିନ୍ତୁ ୧୯୮୦ ଦଶକର ଶେଷ ସୁଦ୍ଧା ସେମାନେ ଅଲଗା ହୋଇଗଲେ। ଏହାର କାରଣ ଆରଡି ବର୍ମନଙ୍କ ନିଶା ଅଭ୍ୟାସ ବୋଲି କୁହାଯାଏ। ତଥାପି,ବିବାହ ବିଚ୍ଛେଦ ସତ୍ତ୍ୱେ, ସେମାନଙ୍କର ବନ୍ଧୁତା ଅକ୍ଷୁର୍ଣ୍ଣ ରହିଥିଲା।
ଆଶା ଓ ଲତା ଦୁହେଁ ବଲିଉଡର ସୁରସାମାଜ୍ଞ୍ରୀ ଭାବରେ ପରିଚିତ ଥିଲେ। ଲତା ଭାରତ ରତ୍ନ ଓ ଆଶା ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିଲେ। ଆଶାଙ୍କର ନିଜ ବଡ଼ ଭଉଣୀ ଲତାଙ୍କ ସହ ସମ୍ପର୍କି ସବୁବେଳେ ଭଲ ଥିଲା। କିନ୍ତୁ ତାଙ୍କ ଭିତରେ ସମସ୍ୟା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଆଶା ମାତ୍ର ୧୬ ବର୍ଷ ବୟସରେ ବିବାହ କରିବାର ନିଷ୍ପତ୍ତି ନେଇଥିଲେ। ଯେତେବେଳେ ଆଶାନିଜ ପୁଅ ହେମନ୍ତଙ୍କୁ ଜନ୍ମ ଦେଇଥିଲେ, ସେତେବେଳେ ତାଙ୍କ ପରିବାର ଭିତରେ ଥିବା ବିବାଦର ସମାଧାନ ହୋଇଥିଲା। ଆଶା ଓ ଲତାଙ୍କ ବ୍ୟକ୍ତିଗତ ସମ୍ପର୍କ ସବୁବେଳେ ଭଲ ଥିଲା, କିନ୍ତୁ ପେଶାଗତ ଭାବରେ ଦୁହେଁ ଉଭୟ ଏକ ପ୍ରକାରର କମ୍ପିଟିଟର ଥିଲେ। ଯଦିଓ ଦୁହିଁଙ୍କ ଗୀତ ସବୁବେଳେ ପରସ୍ପରଠାରୁ ଭିନ୍ନ ଥିଲା।
ଆହୁରି ପଢନ୍ତୁ : ୧୦ ବର୍ଷ ବୟସରେ ପ୍ରଥମ ଗୀତ, ୧୬ରେ ବିବାହ: ପୁଅ-ଝିଅଙ୍କୁ ହରାଇ ହାରି ନଥିଲେ ଆଶା