କେନ୍ଦ୍ରାପଡ଼ା, ୧୯/୦୨ (ଜୀବନ ସିଂହ): ରାତି ପାହିଲେ ଦୁଇଟି ଭିକ୍ଷା ଝୁଲା ଧରି ଆଶ୍ରମରୁ ବାହାରି ଯାଆନ୍ତି ସେ । ଗୋଟେ ଝୁଲା ଦେଖାଇ ଭିକ୍ଷା କରନ୍ତି । ଆର ଝୁଲାଟିରେ ଥାଏ ରୋଗୀ ସେବାର ଯାବତୀୟ ଉପକରଣ ଓ କିଛି ଜରୁରି ଔଷଧପତ୍ର । ଗାଁରେ ବୁଲି ବୁଲି ଭିକ୍ଷା ମାଗିବା ବେଳେ ଅସହାୟ ରୋଗୀମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଅନ୍ତି ସେ । କେନ୍ଦ୍ରାପଡ଼ା ଜିଲ୍ଲା ସଦର ବ୍ଲକ୍‌ ଅଧୀନ କୋରୋ ଗାଁର ଶ୍ରୀଜଗନ୍ନାଥ ମନ୍ଦିରରେ ଅଛନ୍ତି ଏମିତି ଜଣେ ସନ୍ନ୍ୟାସିନୀ, ଯାହାଙ୍କ ସେବାରେ ରୋଗମୁକ୍ତ ହେଉଛନ୍ତି ଦୀନଦୁଃଖୀ । ଏହି ସନ୍ନ୍ୟାସିନୀ-ସେବିକା ହେଲେ ଉମା ଦାସୀ । ବୟସ ପ୍ରାୟ ୪୦ ବର୍ଷ ହେବ । ଗତ ୬ ବର୍ଷ ଧରି ମନ୍ଦିର ପରିସରରେ ଥିବା ବୃଦ୍ଧାଶ୍ରମରେ ଆଶ୍ରୟ ନେଇଛନ୍ତି ସେ । ତାଙ୍କ ନିଃସ୍ୱାର୍ଥପର ସେବାକୁ ନେଇ ଏବେ ଅଞ୍ଚଳରେ ବେଶ୍‌ ଚର୍ଚ୍ଚା । 

ସନ୍ନ୍ୟାସିନୀ-ଡାକ୍ତରାଣୀ ଓ ସନ୍ନ୍ୟାସିନୀ-ସେବିକା ନାଁରେ ଅଞ୍ଚଳରେ ପରିଚିତି ପାଇଥିବା ଉମା ଦାସୀଙ୍କ ଜୀବନ କାହାଣୀ ଯେତିକି ରୋମାଞ୍ଚକର ସେତିକି ପ୍ରେରଣାଦାୟୀ। ସନ୍ନ୍ୟାସ ନେଇଥିବାରୁ ନିଜ ପୂର୍ବାଶ୍ରମ ଜୀବନ ସଂପର୍କରେ ଅଧିକ ତଥ୍ୟ ଦେବାକୁ ଅନିଚ୍ଛୁକ ଉମା ଦାସୀ । ତେବେ ସୂଚନା ଅନୁସାରେ, ଉମା ଉଚ୍ଚଶିକ୍ଷିତା । ସ୍ଥାନୀୟ ଅଞ୍ଚଳର ବାସିନ୍ଦା । ସ୍ନାତକ ଡିଗ୍ରୀ ପରେ ସେ ପ୍ରଥମେ ଏଏନ୍‌ଏମ୍‌ ଓ ପରେ ଜିଏନ୍‌ଏମ୍‌ କୋର୍ସ କରିଥିଲେ । ପାଠପଢ଼ା ଶେଷ ପରେ କୋରାପୁଟର ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀ ଭାବେ ନିଯୁକ୍ତି ବି ପାଇଥିଲେ । କିନ୍ତୁ ହଠାତ୍‌ ଦିନେ ସାଂସାରିକ ମୋହ ମାୟା ତୁଟାଇ ସେ ବୃନ୍ଦାବନ ଚାଲିଗଲେ । ସେଠାରେ ଗୁରୁଙ୍କଠାରୁ ସନ୍ୟାସ ଦୀକ୍ଷା ଗ୍ରହଣ କରି ପ୍ରାୟ ୮ ବର୍ଷ କାଳ ସାଧନା କରିଥିଲେ । କିନ୍ତୁ ଶେଷରେ ଓଡ଼ିଶା ଫେରି ଆସି କେନ୍ଦ୍ରାପଡ଼ାର କୋରୋ ଗାଁକୁ ନିଜ କର୍ମ ଓ ଧର୍ମ ଭୂମି ଭାବେ ବାଛି ନେଇଛନ୍ତି । 
ସେବା ଓ ଚିକିତ୍ସା ପାଲଟିଛି ତାଙ୍କ ଧର୍ମ । ବୃଦ୍ଧାଶ୍ରମରେ ରହୁଛନ୍ତି । ଭିକ୍ଷା କରି ଆଶ୍ରମ ଚଳାଉଛନ୍ତି । ଆଖପାଖ ଗାଁରେ ମାଗଣା ଚିକିତ୍ସା ସେବା ଯୋଗାଉଛନ୍ତି । 

ପ୍ରତ୍ୟହ ରାତି ପାହିଲେ ଉମା ପୂଜାପାଠ ଶେଷ କରି ଭିକ୍ଷା ମାଗିବା ପାଇଁ ବାହାରି ଯାଆନ୍ତି। ଭିକ୍ଷା ଝୁଲି ସହ ସାଙ୍ଗରେ ଆଉ ଏକ ଝୁଲାରେ ନେଇଯାଆନ୍ତି ଷ୍ଟେଥୋସ୍କୋପ୍‌, ରକ୍ତଚାପ ମାପିବା ଯନ୍ତ୍ର, ଓଜନ ମାପିବା ଯନ୍ତ୍ର ଓ କିଛି ଔଷଧ । ଘର ଘର ବୁଲି ଭିକ୍ଷା ମାଗିବା ସହିତ କାହା ଘରେ କେହି ରୋଗୀ ଥିଲେ ତା’ର ସେବାରେ ଲାଗି ପଡ଼ନ୍ତି । କାହାର ରକ୍ତଚାପ ମପାଯାଏ ତ’ କାହାର ଓଜନ ଦେଖନ୍ତି । ଜଟିଳ ରୋଗ ଭୋଗୁଥିବା ବୟସ୍କ ରୋଗୀମାନଙ୍କ ପରିସ୍ରା ନଳୀ ବା କ୍ୟାଥେଟର୍‌ ବଦଳାଇବା, ଇଞ୍ଜେକ୍‌ସନ୍‌ ଦେବା ପ୍ରଭୃତି କାମ ସେ ନିୟମିତ କରନ୍ତି । ଆଖପାଖ ଅଞ୍ଚଳରୁ ବି ଉମା ଦାସୀଙ୍କୁ ଖବର ଆସେ ରୋଗୀ ଦେଖି ଯିବାକୁ । ଏହି ମହତ୍‌ କାମ ପାଇଁ ସେ ଗାଁ ଗାଁରେ ଏବେ ଡାକ୍ତରାଣୀ-ମାତା ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ଲୋକଙ୍କୁ ନିଃସ୍ୱାର୍ଥପର ଭାବେ ଚିକିତ୍ସା ସେବା ଯୋଗାଇ ଚାଲିଛନ୍ତି । ଭିକ୍ଷା ଥାଳରେ ସେ କେବଳ ହାତମୁଠା ଚାଉଳ ଗ୍ରହଣ କରିଥାନ୍ତି । ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଥିବା ଯେଉଁ ବ୍ୟକ୍ତି ଅର୍ଥାଭାବରୁ ଡାକ୍ତରଖାନା ପର୍ଯ୍ୟନ୍ତ ଯାଇ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ପାରନ୍ତି ନାହିଁ ତାଙ୍କ ଘରେ ପହଞ୍ଚି ଉମା ନିରବଚ୍ଛିନ୍ନ ସେବା ଯୋଗାଇଦିଅନ୍ତି । ଏହା ସମ୍ପୃକ୍ତ ରୋଗୀଙ୍କ ପାଇଁ ବରଦାନ କହିଲେ କିଛି ଭୁଲ ହେବ ନାହିଁ । 

ରାତି ପାହିଲେ ଉମା ଦାସୀଙ୍କ ପାଖକୁ ସ୍ୱାସ୍ଥ୍ୟ ପରାମର୍ଶ ନେବା ପାଇଁ ଲୋକେ ଧାଇଁ ଆସନ୍ତି । କାହା ଦେହରେ ଘା’ ଘଉଡ଼ ହୋଇଥିଲେ ସେ ଡ୍ରେସିଂ ବି କରିଦିଅନ୍ତି । ଏ ସବୁ ପାଇଁ କିନ୍ତୁ କାହାଠୁ ଟଙ୍କାଟିଏ ବି ନିଅନ୍ତି ନାହିଁ । ସହରକୁ ଯାଇ ଖର୍ଚ୍ଚାନ୍ତ ହେଉଥିବା ଗରିବ ଅସହାୟ ରୋଗୀଙ୍କ ପାଇଁ ସତେଯେପରି ଉମା ସେବାର ଦେବୀ ପାଲଟି ଯାଇଛନ୍ତି । ଭିକ୍ଷା ମାଗି ବୃଦ୍ଧାଶ୍ରମ ଚଳାଇବା ସହିତ ରୋଗୀସେବାକୁ ଆପଣାଇଥିବା ଏହି ସନ୍ନ୍ୟାସିନୀଙ୍କୁ ଏ ସଂପର୍କରେ ପଚାରିବାରେ ତାଙ୍କ ଉତ୍ତର ହେଲା, ଅସହାୟ ଲୋକଙ୍କ ଚିକିତ୍ସା କରିବାରେ ମୋତେ ଶାନ୍ତି ମିଳେ । ମୋ ସେବାରେ ରୋଗୀ ଖୁସି ହେଲେ ମୋତେ ବି ଖୁସି ଲାଗେ । ଜୀବନଯାକ ମୁଁ ଏଭଳି କରି ଚାଲିଥିବି ।

ଏହି ଖବରଟିକୁ ପଢନ୍ତୁ- ଜୀବନ ଯନ୍ତ୍ରଣାର ଅଗ୍ନିପରୀକ୍ଷାରେ ସଫଳ ଜାନକୀ, ଇଟାଭାଟିରେ ଗଣଦୁଷ୍କର୍ମ ପରେ ଛାଡ଼ିଦେଲେ ସ୍ଵାମୀ, ଏବେ ସଫଳ ଚାଷୀ