ନୂଆଦିଲ୍ଲୀ : ତଥାକଥିତ ବାବା ଆଶାରାମଙ୍କ ପୁଅ ନାରାୟଣ ସାଇ, ଯିଏକି ଯୌନ ଶୋଷଣ ଅଭିଯୋଗରେ ଏବେ ଜେଲରେ ଅଛନ୍ତି । ସେ ଗୁଜରାଟର ସୁରତ ଜେଲରେ ଏବେ ବନ୍ଦୀ ଜୀବନ ବିତାଉଛନ୍ତି । ତଥାପି, ଜେଲ ଭିତରେ ଥାଇ ମଧ୍ୟ ନାରାୟଣ ସାଇ ତାଙ୍କ ହୀନ କାର୍ଯ୍ୟକଳାପରୁ ନିବୃତ୍ତ ରହୁନାହାଁନ୍ତି। ତଦନ୍ତ ସମୟରେ ତାଙ୍କ ନିକଟରୁ ଏକ ମୋବାଇଲ୍ ଫୋନ୍ ମିଳିଛି । ରିପୋର୍ଟ ଅନୁଯାୟୀ, ସେ ବ୍ୟାଟେରୀ ଏବଂ ସିମ୍ କାର୍ଡକୁ ଅଲଗା ଅଲଗା ସ୍ଥାନରେ ଲୁଚାଇ ରଖିଥିଲେ। ଏହି ଖୁଲାସା ଏବେ ପୁଣି ଥରେ ନାରାୟଣ ସାଇଙ୍କୁ ବିବାଦ ଘେରକୁ ଆଣିଛି। ସୁରତର ଲାଜପୋର ଜେଲରେ ବଳାତ୍କାର ମାମଲାରେ ସଜା କାଟୁଥିବା ବିବାଦୀୟ ଧର୍ମଗୁରୁ ନାରାୟଣ ସାଇଙ୍କ ବାରାକର ତଲାସି ସମୟରେ ଜେଲ୍ ସ୍କ୍ବାଡ୍ ଏକ ଜିଓ ସିମ୍ କାର୍ଡ ପାଇଛନ୍ତି ।
ଏହି ଘଟଣାରେ ଜେଲ୍ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୁରତର ସଚିନ୍ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଛି। ପୋଲିସ ଏବେ ତଦନ୍ତ କରୁଛି ଯେ, ଫୋନ୍ ଜେଲକୁ କିପରି ପହଞ୍ଚିଲା ଏବଂ କେଉଁ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରାଯାଉଥିଲା।
ପୁଲିସ ଅନୁଯାୟୀ ଏକ ସ୍କ୍ୱାଡ୍ ନଭେମ୍ବର ୨୭ ତାରିଖରେ ନାରାୟଣ ସାଇଙ୍କ ବାରାକ୍ ଖୋଜାଖୋଜି କରିଥିଲା ଏବଂ ଏକ ମୋବାଇଲ୍ ଫୋନ୍ ଉଦ୍ଧାର କରିଥିଲା। ତାଙ୍କ ବ୍ୟାଗରୁ ଏକ ଜିଓ ସିମ୍ କାର୍ଡ ମଧ୍ୟ ମିଳିଥିଲା। ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ନାରାୟଣ ସାଇ କଥାବାର୍ତ୍ତା ପରେ ତାଙ୍କ ମୋବାଇଲ୍ ଫୋନ୍ ରୁ ବ୍ୟାଟେରୀ ଏବଂ ସିମ୍ କାର୍ଡ କାଢି ଦେଉତିଲେ । ସେ ସିମ୍ କାର୍ଡକୁ ନିଜ ପାଖରେ ରଖିଥିଲେ ଏବଂ ବ୍ୟାଟେରୀକୁ ଏକ ସୁରକ୍ଷିତ ସ୍ଥାନରେ ଲୁଚାଇ ରଖିଥିଲେ।
ଗତ ୧୧ ମାସ ମଧ୍ୟରେ ସୁରଟର ଲାଜପୋର ଜେଲରୁ ୧୨ ରୁ ଅଧିକ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ସାଇ ଜଣେ ହାଇ-ପ୍ରୋଫାଇଲ୍ କଏଦୀ ହୋଇଥିଲେ ମଧ୍ୟ, ଫୋନ୍ ମିଳିବା ପ୍ରଶାସନିକ ତ୍ରୁଟିର ଏକ ପ୍ରମୁଖ ସୂଚନା। ପୋଲିସ ଏବେ ତଦନ୍ତ କରୁଛି ଯେ ଫୋନ୍ କିପରି ଭିତରକୁ ଗଲା, କିଏ ସାହାଯ୍ୟ କଲା ଏବଂ ଏହାକୁ କ'ଣ ପାଇଁ ବ୍ୟବହାର କରାଯାଇଥିଲା।