କେନ୍ଦୁଝର ସଦର,୨୫/୧୧ : କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ କାଠବାଂଶୁଳି ଗ୍ରାମର ସ୍ବର୍ଗତ ଅନାମ ବାରିକଙ୍କ ସାନ ପୁଅ ଅଶୋକ କୁମାର ବାରିକ(୨୩) ଗତକାଲି ସାଙ୍ଗମାନଙ୍କ ସହ କୋଇଡ଼ା ଅଞ୍ଚଳରୁ ଏକ ବୋଲେରୋ ଯୋଗେ ଜଗା ଦର୍ଶନ ପାଇଁ ପୁରୀ ଯାଉଥିଲେ। ଆଜି ସକାଳ ୪ଟା ସମୟରେ କଟକ ଟାଙ୍ଗୀ ଅଞ୍ଚଳରେ ବୋଲେରୋଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଅଶୋକ ବାରିକ ସମେତ ଆଉ ଦୁଇ ଜଣ ସାଙ୍ଗ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ବୋଲେରୋ ଚାଳକଙ୍କ ଆଖି ଲାଗି ଯିବାରୁ ଗାଡ଼ିଟି ପ୍ରଥମେ ଏକ କର୍ଲଭୋଟ, ପରେ ତେଲ ଟ୍ୟାଙ୍କର ଗାଡ଼ିରେ ପିଟି ହୋଇଥିଲା । କଟର ସାହାଯ୍ୟରେ ଗାଡ଼ିକୁ କାଟି ମୃତଦେହ ଏବଂ ଗୁରତରଙ୍କୁ ଉଦ୍ଧାର କରାଯାଇଥିଲା । ଗାଡ଼ିରେ ମୋଟ୍ ୫ଜଣ ଯୁବକ ଥିଲେ । ତିନି ଜଣ ମୃତ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅନ୍ୟ ମୃତ ଦୁଇ ଜଣ ବିହାର ରାଜ୍ୟର ବୋଲି ଜଣାପଡ଼ିଛି । ସକାଳୁ ସକାଳୁ ଜଗା ଦର୍ଶନ କରିବା ପରେ କାମ କରୁଥିବା ମାଲିକଙ୍କ ପୁଅର ବାହାଘର ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ଅଶୋକ କୁମାର ବାରିକ ଘରର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକ ଭାଙ୍ଗିପଡିଛନ୍ତି।