ବ୍ରହ୍ମପୁର,୦୪/୦୬:  ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍‌ଆଇ। ବ୍ରହ୍ମପୁର ମହିଳା ପୋଲିସ ଥାନାର ଏଏସଆଇ ବବିତା ସୁନା  ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଜଣେ ଅଭିଯୁକ୍ତଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଟିମ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି। 

ସୂଚନା ମୁତାବକ, ଏକ ଯୌତୁକ ନିର୍ଯାତନା ମାମଲାର ରଫା ଦଫା ପାଇଁ ଅଭିଯୁକ୍ତଙ୍କୁ ଲାଞ୍ଚ ମାଗିଥିଲେ ମହିଳା ଏଏସଆଇ ଜଣଙ୍କ। ଏ ନେଇ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଏଏସଆଇଙ୍କୁ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଥିଲେ। ଏହି ମହିଳା ଏଏସଆଇଙ୍କ ଗତ ଏପ୍ରିଲ ମାସରେ ଅନ୍ୟ ଏକ ପୁଲିସ ଥାନାକୁ ବଦଳି ହୋଇଥିଲା। ହେଲେ ସେ ଗାଦି ଛାଡ଼ି ଯାଇ ନଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ବଦଳିକୁ ଗତ ୨୨ ତାରିଖରେ ଅନ୍ୟ ଏକ ନିର୍ଦ୍ଦେଶନାମାରେ ବାତିଲ ହୋଇଥିଲା ।