ପୁରୀ,୨୯/୦୭: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଓ ଗଣତିମଣତିକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ସୋମବାର ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ରତ୍ନଭଣ୍ଡାର ନୂତନ ଜୀବନ ପାଇଲା ବୋଲି କେତେକ ଫଟୋକୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରିଥିଲା । ଏହି ଫଟୋ ମଧ୍ୟରେ ଶ୍ରୀମନ୍ଦିର ପାଟଅଗଣା ସହ ରତ୍ନଭଣ୍ଡାର ସ୍ପଷ୍ଟ ଦେଖାଯାଉଛି । ତେବେ ଏହି ଫଟୋ ରତ୍ନଭଣ୍ଡାର ମରାମତି ପୂର୍ବର ବୋଲି ଜଣାପଡ଼ୁଛି ।
ସେହିପରି ଭୋଗମଣ୍ଡପ ଦ୍ୱାର, ସାତପାହାଚ, ଘଣ୍ଟିଦ୍ୱାର ପ୍ରଭୃତି ମଧ୍ୟ ଫଟୋରୁ ବେଶ ସ୍ପଷ୍ଟ ଜଣାପଡ଼ୁଛି । ଶ୍ରଦ୍ଧାଳୁଙ୍କ ବିଶେଷ ଗହଳି ନଥିବା ସମୟରେ ଏହି ଫଟୋ ଉଠାଯାଇଛି । ଏଏସ୍ଆଇ ପକ୍ଷରୁ ଶ୍ରୀମନ୍ଦିରର ଏଭଳି ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯିବା ପରେ ଏହାକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି । ରାତି ପ୍ରାୟ ୧୧ଟାରେ ଏହି ଫଟୋଗୁଡିକୁ ଏଏସଅଇ କର୍ତ୍ତୃପକ୍ଷ ଡିଲିଟ୍ କରି ଦେଇଛନ୍ତି ।
ଶ୍ରୀମନ୍ଦିର ସୁରକ୍ଷା ଓ ଭିତରର ଧାର୍ମିକ ବାତାବରଣ ବଜାୟ ରଖିବାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତରକୁ ମୋବାଇଲ, କ୍ୟାମେରା ପ୍ରଭୃତି ନିଷିଦ୍ଧ କରାଯାଇଛି । ତେବେ ଏଏସ୍ଆଇ ଏହାକୁ ଦୃଷ୍ଟି ନଦେଇ ଶ୍ରୀମନ୍ଦିର ଭିତର ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡ଼ିଥିଲା । ପୂର୍ବରୁ ଅନେକ ବ୍ୟକ୍ତି ପ୍ରଶାସନିକ ଏହି ବାରଣ ନିର୍ଦ୍ଦେଶ ନମାନି ଦଣ୍ଡ ପାଇଛନ୍ତି । ତେଣୁ ଏଏସ୍ଆଇ କ୍ଷେତ୍ରରେ ଏହାକୁ କିପରି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାର କଥା ।
ସେପଟେ ଏଏସ୍ଆଇ ଏହି ପୋଷ୍ଟରେ ରତ୍ନଭଣ୍ଡାର ମରାମତି ସମ୍ପର୍କରେ ବିଶେଷ ଅବତାରଣା କରିଛି । ମାର୍ଚ୍ଚ ୨୦୨୩ରେ ଟେକ୍ନିକାଲ କୋର କନଜରଭେସନ କମିଟିର ପରାମର୍ଶ ମୁତାବକ ଏଏସ୍ଆଇ ବଡ଼ଦେଉଳ ଓ ରତ୍ନଭଣ୍ଡାର ମରାମତି ନିମନ୍ତେ ପଦକ୍ଷେପ ନେଇଥିଲା । ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାର ଜିପିଆର ସର୍ଭେ ୨୦୨୪ ସେପ୍ଟେମ୍ବରରେ ସରିଥିଲା । ଯାହା ପରେ ଏଠାରେ କୌଣସି ଗୁପ୍ତ କୋଠରୀ ନଥିବା ଜଣାପଡ଼ିଥିଲା । ଏହା ପରେ ଉକ୍ତ ବର୍ଷ ଡିସେମ୍ବର ୧୭ରେ ମରାମତି ଓ ସଂରକ୍ଷଣ କାମ ଆରମ୍ଭ ହୋଇଥିଲା । ଦୁଇଟି ପର୍ଯ୍ୟାରେ ମିଳିଥିବା ସମୟ ସୀମା ଭିତରେ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାମ ସରିଥିଲା । ରତ୍ନଭଣ୍ଡାର ପ୍ଲାଷ୍ଟର ଛଡ଼ାଇବା ସମେତ ଛାତ, କାନ୍ଥ, ପୀଢ଼, ଚଟାଣ ପ୍ରଭୃତି ଅନ୍ୟାନ୍ୟ କାମ ଏହି ସମୟରେ ହୋଇଥିଲା । ଖରାପ ହୋଇଥିବା ପୁରୁଣା ଲୁହା ବିମ୍କୁ ବଦଳାଇ ଷ୍ଟେନଲେସ୍ ଷ୍ଟିଲ୍ ବକ୍ସ ବିମ୍ ଦିଆଯାଇଥିଲା ବୋଲି ଏହି ପୋଷ୍ଟରେ ଏଏସ୍ଆଇ ସଂକ୍ଷେପରେ ଉଲ୍ଲେଖ କରିଛି ।
ଏ ସମ୍ପର୍କରେ ଶ୍ରୀମନ୍ଦିର ପୁରୋହିତ ବିଶ୍ୱଜିତ ମହାପାତ୍ର କହିଛନ୍ତି, ଏଏସ୍ଆଇ ଏଭଳି ଫଟୋ ପୋଷ୍ଟ କରିବା ଠିକ୍ ହୋଇନାହିଁ । ଓଡ଼ିଶା ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ଡ. ଡି ବି ଗଡ଼ନାୟକଙ୍କୁ ପଚରାଯିବାରେ ସେ କହିଥିଲେ, ଏଭଳି ଫଟୋ ପୋଷ୍ଟ ନ କରିବାକୁ ମୁଖ୍ୟାଳୟକୁ ପରାମର୍ଶ ଦିଆଯାଇଥିଲା । ତଥାପି ମୁଖ୍ୟାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଏଭଳି ପୋଷ୍ଟ କରାଯାଇଛି । ଏନେଇ ପ୍ରଶାସନ ଯାହା କିଛି ପଦକ୍ଷେପ ନିଆଯିବ ତା ଉପରେ ମୁଖ୍ୟାଳୟ ପକ୍ଷରୁ ଉତ୍ତର ରଖାଯିବ ।