ଦୁବାଇି, ୧୭/୦୯: ଚଳିତ ଏସିଆ କପ୍ର ଗ୍ରୁପ୍ ଏ’ରେ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳାଯିବ । ପାକିସ୍ତାନ ଓ ୟୁଏଇ ଏହି ମ୍ୟାଚ ଜରିଆରେ ସୁପର-୪ ରାଉଣ୍ଡରେ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବେ । ଉଭୟ ଦଳ ପାଇଁ ଶେଷ ସୁଯୋଗ ରହିଛି । ଏହି ମ୍ୟାଚ୍ର ବିଜେତା ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବେ ଓ ପରାଜିତ ଦଳ ବିଦାୟ ନେବେ ।
ପାକିସ୍ତାନ ୨ଟି ମ୍ୟାଚ୍ରେ ଯଥାକ୍ରମେ ଓମାନକୁ ପରାସ୍ତ କରିଥିବାବେଳେ ଭାରତ ଠାରୁ ପରାଜିତ ହୋଇଥିଲା । ୟୁଏଇ ମଧ୍ୟ ସମାନ ସ୍ଥିତି ଦେଇ ଆଗକୁ ବଢିଛି । ଏହି ଗ୍ରୁପ୍ରୁ ଭାରତ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇସାରିଥିବାରୁ ଆଉ ଗୋଟିଏ ସ୍ଥାନ ବାକି ରହିଛି ।
ବୁଧବାର ମ୍ୟାଚରେ ପାକିସ୍ତାନର ପଲା ଭାରି ରହିଥିଲେ ହେଁ ବିପର୍ଯ୍ୟୟ ଘଟାଇବାର ସାମର୍ଥ୍ୟ ୟୁଏଇ ନିକଟରେ ରହିଛି । ଅଧିନାୟକ ମହମ୍ମଦ ୱାସିମ ଚମତ୍କାର ଫର୍ମରେ ରହିଛନ୍ତି । ଆଲିସାନ ସରାଫୁ ଓ ଆସିଫ ଖାନ ମଧ୍ୟ ଫର୍ମ ଫେରି ପାଇଛନ୍ତି । ଗତ ମାସରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଟି-ଟ୍ୱେଣ୍ଟି ସିରିଜରେ ଆସିଫ ପାକିସ୍ତାନ ବିପକ୍ଷରେ ୩୫ବଲରୁ ୭୭ ରନ ସଂଗ୍ରହ କରିଥିଲେ ।
ପାକିସ୍ତାନକୁ ସବୁ ବିଭାଗରେ ଉନ୍ନତି ଆଣିବାକୁ ହେବ । ୟୁଏଇକୁ ଦୁର୍ବଳ ଭାବିବା ମହଙ୍ଗା ପଡ଼ିପାରେ । ବିଶେଷ କରି ସାଏମ ଆୟୁବ ଫର୍ମକୁ ଫେରିଲେ ପାକିସ୍ତାନର ବିଜୟ ସହଜ ହେବ । ପାକିସ୍ତାନର ସ୍ପିନ୍ ବୋଲିଂ ବିଭାଗ ଫର୍ମରେ ରହିଥିବାରୁ ଦୁବାଇ ପିଚ୍ର ଫାଇଦା ଉଠାଇବା ନିଶ୍ଚିତ ।
ଦୁବାଇ ପିଚ ସ୍ପିନରଙ୍କୁ ବେଶ ସହାୟତା କରୁଛି । ଏଠାରେ ସ୍ପିନରମାନେ ପିଚ୍ର ଯଥେଷ୍ଟ ଫାଇଦା ଉଠାଇବାରେ ସଫଳ ହୋଇଛନ୍ତି । ଉଭୟ ଦଳ ନିକଟରେ ଦକ୍ଷ ସ୍ପିନର ରହିଛନ୍ତି । ତେଣୁ ମ୍ୟାଚ ରୋମାଞ୍ଚକର ହେବା ନିଶ୍ଚିତ । ରାତ୍ରିରେ ମ୍ୟାଚ୍ ଖେଳାଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।
ସମ୍ଭାବ୍ୟ ଦଳ
ପାକିସ୍ତାନ: ସାହିବଜାଦା ଫରହାନ, ସାଏମ ଆୟୁବ, ଫଖାର ଜମାନ, ସଲମାନ ଅଲି ଆଘା(ଅଧିନାୟକ), ହାସାନ ନୱାଜ, ମହମ୍ମଦ ହାରିସ୍, ମହମ୍ମଦ ନୱାଜ, ଫହିମ ଅସ୍ରଫ, ସହିନ ଆଫ୍ରିଦି, ସୁଫିୟାନ ମୁକିମ, ଅବରାର ଅହମ୍ମଦ ।
ୟୁଏଇ: ଆଲିସାନ ସରାଫୁ, ମହମ୍ମଦ ୱାସିମ(ଅଧିନାୟକ), ମହମ୍ମଦ ଜୋହେବ, ଆସିଫ ଖାନ, ହର୍ଷିତ କୌଶିକ, ରାହୁଲ ଚୋପ୍ରା, ଧ୍ରୁବ ପରାସର, ହାଇଦର ଅଲି, ମହମ୍ମଦ ରୋହିଦ, ମହମ୍ମଦ ଜୱାଦୁଲ୍ଲା, ଜନୈଦ ସିଦ୍ଦିକି ।