ଦୁବାଇ/ନୂଆଦିଲ୍ଲୀ,୧୪/୦୯: ଏସିଆ କପ୍ରେ ରବିବାର ହେବ ହାଇଭୋଲ୍ଟେଜ ଲଢ଼େଇ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ହେବେ ମୁହାଁମୁହିଁ । କିନ୍ତୁ ସୁପର ସନଡେ’ରେ ଏହି ମହାଲଢ଼େଇକୁ ନେଇ ପ୍ରଶଂସକ ଏତେ ଉତ୍ସାହିତ ନୁହଁନ୍ତି । ଉତ୍କଣ୍ଠା ଶିଥିଳ ପଡ଼ିଛି । କେହି ମତୁଆଲା ନୁହଁନ୍ତି । ସାମାଜିକ ଗଣମାଧ୍ୟମରେ ଏହି ମ୍ୟାଚକୁ ବୟକଟ୍ କରିବା ନେଇ ଚାପା ଗୁଞ୍ଜରଣ ଦେଖା ଦେଇଛି । ରବିବାର ରାତି ୮ଟାରୁ ମ୍ୟାଚ୍ ଆରମ୍ଭ ହେବ।
ଗତ ଏପ୍ରିଲ ୨୨ ତାରିଖରେ ପହଲଗାମରେ ସାଧାରଣ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଯାହାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଅତି ତିକ୍ତ ରହିଛି । ଏହି ତିକ୍ତତା ମଧ୍ୟରେ ଦୁଇ ଦଳ ରବିବାର ମଇଦାନକୁ ଓହ୍ଲାଇବେ । କିନ୍ତୁ କ୍ରିକେଟପ୍ରେମୀ ପହଲଗାମ ଘଟଣାକୁ ଭୁଲି ନାହାନ୍ତି । ତେଣୁ ମ୍ୟାଚକୁ ନେଇ କେହିବି ଉତ୍ସାହିତ ନୁହଁନ୍ତି । ଭାରତ- ପାକ୍ ମ୍ୟାଚକୁ ବାତିଲ କରିବା ନେଇ ପୂର୍ବରୁ ସୁପ୍ରିମକୋର୍ଟରେ ଜନ ସ୍ୱାର୍ଥ ମାମଲା ହୋଇଥିଲା । ସେମିତି ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିବା ବ୍ୟକ୍ତି ବିଶେଷଙ୍କ ପରିବାର ପକ୍ଷରୁ ଏହି ମ୍ୟାଚକୁ ବୟକଟ କରିବା ନେଇ ଆହ୍ୱାନ ଦିଆଯାଇଛି ।
ବରିଷ୍ଠଙ୍କ ଅନୁପସ୍ଥିତି
ଉଭୟ ଦଳରେ ବରିଷ୍ଠଙ୍କ ଅନୁପସ୍ଥିତିରେ ଯୁବ ଖେଳାଳି ମୁଖ୍ୟ ଆକର୍ଷଣରେ ରହିବେ । ବିରାଟ କୋହଲି ଓ ରୋହିତ ଶର୍ମା, ସେମିତି ବାବର ଆଜାମ ଓ ମହମ୍ମଦ ରିଜୱାନଙ୍କୁ ଏହି ମ୍ୟାଚ୍ରେ ଦେଖିବାକୁ ମିଳିବ ନାହିଁ । ସେମାନଙ୍କ ଅନୁପସ୍ଥିତିରେ ଶୁଭମନ ଗିଲ, ଅଭିଷେକ ଶର୍ମା, ସଇମ ଆୟୁବ ଓ ଆଘା ସମସ୍ତଙ୍କ ନଜରରେ ରହିବେ ।
ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ବିପକ୍ଷରେ ସେମିତି ବଡ଼ ଇନିଂସ ଖେଳିପାରି ନାହାନ୍ତି । ଗତ ୫ଟି ମ୍ୟାଚ୍ରେ ସେ ଇନିଂସରେ ୨୦ରୁ ଊଦ୍ଧ୍ୱର୍ ରନ୍ କରିପାରି ନାହାନ୍ତି । ତେଣୁ ତାଙ୍କ ଠାରୁ କାଲି ଏକ ବଡ଼ ଇନିଂସ ଦେଖିବା ନେଇ ଦର୍ଶକ ଅପେକ୍ଷା କରିଛନ୍ତି । ସେମିତି ଯୁବ ତାରକା ଆଘାଙ୍କ ନେତୃତ୍ୱରେ ପାକିସ୍ତାନ ଏଥର ଭାରତର ବିଜୟ ଧାରାରେ ବ୍ରେକ ଲଗାଇବାକୁ ଲକ୍ଷ୍ୟ ରଖିଛି । ପୂର୍ବ ରେକର୍ଡ ଅନୁସାରେ, ୨୦୨୧ରୁ ଏ ପର୍ଯ୍ୟନ୍ତ ଉଭୟ ଦଳ ୫ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି । ଭାରତ ୩ଟି ଓ ପାକିସ୍ତାନ ୨ଟିରେ ବିଜୟୀ ହୋଇଛି । ଶେଷ ୨ ମ୍ୟାଚରେ ଭାରତ ଅପରାଜେୟ ରହିଛି ।
ଭାରତୀୟ ଦଳରେ ସେମିତି ପରିବର୍ତ୍ତନ ଆଶା ନାହିଁ । ଯଶପ୍ରୀତ ବୁମରାଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ପେସ ବୋଲିଂ ଦାୟିତ୍ୱ ନିର୍ବାହ କରିବେ । ଆବଶ୍ୟକ ସ୍ଥଳରେ ଶିବମ ଦୁବେଙ୍କୁ ବିନିଯୋଗ କରାଯାଇ ପାରେ । କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲ ସ୍ପିନ ବିଭାଗ ସମ୍ଭାଳିବେ । ସଞ୍ଜୁ ସାମସନ ମଧ୍ୟ ଦଳରେ ସ୍ଥାନ ବଜାୟ ରଖିବେ ବୋଲି ଆଶା କରାଯାଉଛି । ଗତ ଦୁଇ ବର୍ଷରେ ଦୁବାଇ ପିଚରେ ହାଇ ସ୍କୋର ଦେଖିବାକୁ ମିଳିନି । ପ୍ରଥମ ଇନିଂସରେ ଆଭରେଜ ରନ ରେଟ୍ ୭.୭ ରହିଛି । ପେସରଙ୍କୁ ଅଧିକ ୱିକେଟ୍ ମିଳିଛି । କିନ୍ତୁ ସ୍ପିନର ମାନେ ବେଶ କଞ୍ଜୁସି ବୋଲିଂ କରିବାର ନଜିର ରହିଛି । ରବିବାର ବର୍ଷା ହେବାର ସମ୍ଭାବନା ନାହିଁ ।
ଭାରତୀୟ ସମ୍ଭାବ୍ୟ ଦଳ: ଅଭିଷେକ ଶର୍ମା, ଶୁଭମନ ଗିଲ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା ଓ ବରୁଣ ଚକ୍ରବର୍ତ୍ତୀ ।
ପାକିସ୍ତାନ ସମ୍ଭାବ୍ୟ ଦଳ: ସାହିବଜାଦା ଫରହାନ, ସଇମ ଆୟୁବ, ଫଖର ଜମାନ, ସଲମାନ ଆଘା (ଅଧିନାୟକ), ହାସନ ନୱାଜ, ମହମ୍ମଦ ହାରିସ, ମହମ୍ମଦ ନୱାଜ, ଫଇମ ଅସ୍ରଫ, ସାହିନ ଶାହ ଆଫ୍ରିଦି, ସୁଫିଆନ ମୁକିମ, ଅବରାର ଅହମ୍ମଦ ।