ନୂଆଦିଲ୍ଲୀ,୦୪/୦୭: ଆଗାମୀ ଏସିଆ କପ୍‌ ହକି ଏବଂ ଜୁନିୟର ପୁରୁଷ  ହକି ବିଶ୍ୱକପ୍‌ ଭାରତ ଆୟୋଜନ କରିବ । ପାକିସ୍ତାନ ଏହି ଦୁଇ ଟୁର୍ଣ୍ଣାମେଣ୍ଟରେ ଭାଗ  ନେବ କି ନାହିଁ, ସେନେଇ ଅନିଶ୍ଚିତତା ଦେଖା  ଦେଇଥିଲା । ମାତ୍ର ଜାତୀୟ ଗଣମାଧ୍ୟମର  ରିପୋର୍ଟ ଅନୁସାରେ, ଭାରତ ସରକାର  ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ନେଇ  ପାକିସ୍ତାନ ଦଳକୁ ଅନୁମତି ପ୍ରଦାନ କରିଛନ୍ତି ।  କିନ୍ତୁ ଏବେ କେବଳ ପାକିସ୍ତାନ ଖେଳାଳିଙ୍କ ଭିସା ଅନୁମତି ଉଭୟ କେନ୍ଦ୍ର ବୈଦେଶିକ ଓ  ଗୃହ ମନ୍ତ୍ରଣାଳୟରେ ବିଚାରଧୀନ ରହିଛି । ଏସିଆ କପ୍‌ ବିହାରର ରାଜଗିରରେ ଏବଂ  ଜୁନିୟର ହକି ବିଶ୍ୱକପ୍‌ ତାମିଲନାଡୁର  ମଦୁରାଇରେ ଆୟୋଜିତ ହେବ ।

ଗତ  ଏପ୍ରିଲ ମାସରେ ଜାମ୍ମୁ-କାଶ୍ମୀରରେ  ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ହତ୍ୟା  କରିବା ପରେ ଭାରତ,ପାକିସ୍ତାନ ମଧ୍ୟରେ  ସୀମାରେ ତୀବ୍ର ଉତ୍ତେଜନା ପ୍ରକାଶ  ପାଇଥିଲା । ଦୁଇ ଦେଶ  ମଧ୍ୟରେ ସବୁ ପ୍ରକାର  ସଂପର୍କ ଛିନ୍ନ ହୋଇଥିଲା ।  ତେଣୁ ଆଶା କରାଯାଉଥିଲା  ଯେ ପାକିସ୍ତାନ ହୁଏତ  ଭାରତ ଗସ୍ତରେ ଆସିବ  ନାହିଁ । କିନ୍ତୁ ପାକିସ୍ତାନର  ଆଗ୍ରହ ପରେ ଭାରତ  ସରକାର ଅନୁମତି ପ୍ରଦାନ କରିଛନ୍ତି । ଆସନ୍ତା ଅଗଷ୍ଟ ୨୭ରୁ ସେପ୍ଟେମ୍ବର  ୭ ତାରିଖ ପର୍ଯ୍ୟନ୍ତ ଏସିଆ କପ୍‌  ଖେଳାଯିବ । ସେହିପରି ନଭେମ୍ବର  ୨୮ରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ  ଚେନ୍ନାଇ ଓ ମଦୁରାଇରେ ପୁରୁଷ ଜୁନିୟର  ବିଶ୍ୱକପ୍‌ (୨୧ ବର୍ଷରୁ କମ୍‌ ) ଖେଳାଯିବ।