ନୂଆଦିଲ୍ଲୀ,୧୫।୯: ଏସିଆ କପ୍ରେ ଭାରତ ପାକିସ୍ତାନ ମ୍ୟାଚ୍କୁ ନେଇ ବିବାଦ ଥମିବାର ନାଁ ଧରୁନି। ଏବେ କର୍ଣ୍ଣାଟକର ମନ୍ତ୍ରୀ ପ୍ରିୟଙ୍କ ଖଡଗେ ଏହି ମ୍ୟାଚ୍କୁ ନେଇ ଦେଇଛନ୍ତି ବିବାଦୀୟ ମନ୍ତବ୍ୟ। ସେ କହିଛନ୍ତି ଏହି ମ୍ୟାଚ୍ ଖେଳିବା ପହଲଗାମ୍ ହମଲାରେ ମୃତ ଲୋକ ଓ ସୈନିକଙ୍କ ଅପମାନ। ସରକାର ଦେଶ ଭକ୍ତିକୁ ଛାଡି ଲାଭକୁ ଚୟନ କରିଛନ୍ତି। କେବଳ ସେତିକି ନୁହେଁ, ଖଡଗେ ଟିମ୍ ଇଣ୍ଡିଆ ଉପରେ ମଧ୍ୟ ଟାର୍ଗେଟ କରିଛନ୍ତି ଓ ଭାରତୀୟ ଖେଳାଳିଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ସେ ଭାରତୀୟ କ୍ରିକେଟ ଟିମ୍ର ଖେଳାଳିଙ୍କୁ ବିସିସିଆଇର ଠିକା ମଜୁରିଆ ବୋଲି କହିଛି।
ପ୍ରିୟଙ୍କ କହିଛନ୍ତି, ମୁଁ ପୂର୍ବରୁ କହୁଥିଲି ଭାରତ-ପାକିସ୍ତାନର ଏହି ମ୍ୟାଚ୍ ଖେଳାଯିବା ଉଚିତ ନଥିଲା। ଏହା ଖୁବ୍ ଲଜ୍ଜାଜନକ ଯେ, ବିସିସିଆଇ ଏହି ମ୍ୟାଚ୍ କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ପହଲଗାମ୍ ହମଲାରେ ମୃତ ଲୋକ ଓ ଆମ ସୈନିକଙ୍କ ଅପମାନ। ସରକାର ସ୍ପଷ୍ଟ ଭାବରେ ଦେଶଭକ୍ତିକୁ ଛାଡି ଲାଭକୁ ଦେଖିଥିଲେ।’
ପ୍ରିୟଙ୍କ ଖଡଗେ ବିବାଦୀୟ ବୟାନ ଦେଇ କହିଛନ୍ତି, ଏବେ ଖେଳ ଖେଳିବା କ’ଣ ଦରକାର। ଏହି ହାତ ନମିଳାଇବାର ଡ୍ରାମା କ’ଣ ପାଇଁ ? କାହାକୁ ବୋକା ବନାଇବାର ଚେଷ୍ଟା କରାଯାଉଛି ? ସବୁ ରାଷ୍ଟ୍ରବାଦୀ କେଉଁଠି ଲୁଚିଗଲେ ? ଯଦି ଭାରତୀୟ ଟିମ୍ କ୍ୟାପଟେନ୍ ଖେଳକୁ ମନା କରିଦେଇଛନ୍ତି ତେବେ ମୁଁ ତାଙ୍କର ପ୍ରଶଂସା କରୁଛି। ଦୁର୍ଭାଗ୍ୟଜନକ କଥା ଯେ, ମେନ୍ ଇନ୍ ବ୍ଲୁ’ ଭାରତୀୟ ଟିମ୍ର ଖେଳାଳି ବିସିସିଆଇର ଠିକା ଶ୍ରମିକ ଛଡା କିଛି ନୁହେଁ। ଭାରତ ଏସିଆ କପ୍ ୨୦୨୫ ମୁକାବିଲାରେ ପାକିସ୍ତାନକୁ ଖେଳର ପ୍ରତି ବିଭାଗରେ ପଛରେ ପକାଇ ଦେଇଛି। ପ୍ରଥମେ ବୋଲରମାନେ ପାକିସ୍ତାନକୁ ୧୨୭ ରନ୍ରେ ରୋକିଥିଲେ। ଏହାପରେ ଟିମ୍ ଇଣ୍ଡିଆର ବ୍ୟାଟରମାନେ ୧୫.୫ ଓଭରରେ ଟାର୍ଗେଟ ହାସଲ କରିନେଇଥିଲେ।