ନୂଆଦିଲ୍ଲୀ,୦୯/୧୦: କାଜାଖସ୍ତାନର ଅସ୍ତାନା ଠାରେ ଚାଲିଥିବା ଏସିଆନ୍ ଟେବୁଲ ଟେନିସ୍ (ଟିଟି) ଚାମ୍ପିଅନସିପ୍ରେ ଭାରତୀୟ ମହିଳା ଦଳ ଇତିହାସ ରଚିଛନ୍ତି । କ୍ୱାର୍ଟର ଫାଇନାଲ୍ରେ ଦଳ ୩-୨ରେ ଦ୍ୱିତୀୟ ସିଡ୍ କୋରିଆକୁ ହରାଇ ସେମିରେ ପ୍ରବେଶ କରିବା ସହ ପ୍ରଥମ ଥର ପଦକ ପକ୍କା କରିଛି । ପ୍ରତିଭାବାନ ଖେଳାଳି ଆହିକା ମୁଖାର୍ଜୀ ଦଳର ଐତିହାସିକ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ପ୍ରଥମ ସିଙ୍ଗଲ୍ସରେ ଆହିକା ୧୧-୯, ୭-୧୧, ୧୨-୧୦, ୭-୧୧, ୧୧-୭ରେ ବିଶ୍ୱର ୮ନଂ ଖେଳାଳି ୟୁବିନ ସିନଙ୍କୁ ହରାଇ ବିପର୍ଯ୍ୟୟ ଘଟାଇଥିଲେ । ଏହାପରେ ମନିକା ବାତ୍ରା ୧୨-୧୪, ୧୩-୧୧, ୧୧- ୫, ୫-୧୧, ୧୨-୧୦ରେ ଜିହି ଜିଓନଙ୍କୁ ପରାଜିତ କରି ଭାରତକୁ ୨-୦ରେ ଆଗୁଆ କରାଇଥିଲେ । ମାତ୍ର ପରବର୍ତ୍ତୀ ୨ଟି ସିଙ୍ଗଲ୍ସରେ ଶ୍ରୀଜା ଆକୁଲା ଓ ମନିକାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ସ୍ଥିତି ୨-୨ରେ ପହଞ୍ଚିଥିଲା । ନିର୍ଣ୍ଣାୟକ ସିଙ୍ଗଲ୍ସରେ ଆହିକା ବିଚଳିତ ନହୋଇ ଜିଓନଙ୍କୁ ୭-୧୧, ୧୧-୬, ୧୨-୧୦, ୧୨- ୧୦ରେ ହରାଇ ଭାରତକୁ ଐତିହାସିକ ବିଜୟ ଭେଟି ଦେଇଥିଲେ ।ବୁଧବାର ସେମିରେ ଭାରତ ଓ ଜାପାନ ସାମ୍ନାସାମ୍ନି ହେବେ ।