ନୂଆଦିଲ୍ଲୀ: ଆସାମର ଦିବ୍ରୁଗଡ଼ରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଛି। ଏହି ମାମଲାରେ ପୁଲିସ ମୃତକଙ୍କ ସ୍ତ୍ରୀ ଏବଂ ନାବାଳିକା ଝିଅ ସମେତ ଚାରି ଜଣଙ୍କୁ ଗିରଫ କରିଛି । ମୃତକଙ୍କ ଝିଅ ଏବଂ ସ୍ତ୍ରୀ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ । ଏଥିପାଇଁ ସେମାନେ ଦୁଇଜଣ ସୁପାରୀ କିଲରଙ୍କୁ ଟଙ୍କା ଦେଇଥିଲେ । ପୁଲିସ ସେମାନଙ୍କୁ ମଧ୍ୟ ଗିରଫ କରିଛି । ଦିବ୍ରୁଗଡ଼ର ଲାହୋୱାଲର ଲାହୋନ ଗ୍ରାମର ବାସିନ୍ଦା ବ୍ୟବସାୟୀ ଉତ୍ତମ ଗୋଗୋଇଙ୍କୁ ୨୫ ଜୁଲାଇରେ ହତ୍ୟା କରାଯାଇଥିଲା। ଉତ୍ତମ ଗୋଗୋଇଙ୍କୁ ଡକାୟତମାନେ ହତ୍ୟା କରିଥିବା କୁହାଗଲା।
ପୁଲିସ ମାମଲାର ତଦନ୍ତ କରିବା ପରେ ଉତ୍ତମ ଗୋଗୋଇଙ୍କ ପତ୍ନୀ ଏବଂ ଝିଅଙ୍କ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଥିଲା । ଏବେ ପୁଲିସ ସୁପାରୀ କିଲର ଏବଂ ବ୍ୟବସାୟୀଙ୍କ ସ୍ତ୍ରୀ ଓ ଝିଅକୁ ଗିରଫ କରିଛି । ଏବେ ଉତ୍ତମ ଗୋଗୋଇଙ୍କ ହତ୍ୟାକାଣ୍ଡରେ ତାଙ୍କ ନାବାଳିକା ଝିଅ ଏବଂ ପତ୍ନୀ ବବି ଗୋଗୋଇଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି । ପୁଲିସର ସୂଚନା ଅନୁଯାୟୀ, ଉତ୍ତମ ଗୋଗୋଇଙ୍କୁ ହତ୍ୟା କରିବା ପାଇଁ ମାଆ ବବି ଗୋଗୋଇ ଏବଂ ଝିଅ ଦୁଇ ଜଣ ସୁପାରୀ କିଲରଙ୍କୁ ଟଙ୍କା ଦେଇଥିଲେ । ମାଆ-ଝିଅ ଯୋଡ଼ି ସେମାନଙ୍କୁ ଲକ୍ଷାଧିକ ଟଙ୍କା ଏବଂ ସୁନା ଅଳଙ୍କାର ଦେବାକୁ କହିଥିଲେ ।
ହତ୍ୟା କରିବା ପରେ ସମସ୍ତେ ମିଶି ଉତ୍ତମ ଗୋଗୋଇଙ୍କ ହତ୍ୟାକୁ ଡକାୟତି ସହ ଯୋଡ଼ିବାକୁ ଚେଷ୍ଟା କରିଥିଲେ। ସେପଟେ ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ପୁଲିସ ଏହା ଜାଣିବା ପାଇଁ ଉଭୟ ମା ଏବଂ ଝିଅଙ୍କୁ ପଚରାଉଚରା କରୁଛି । ଜଣେ ସୁପାରୀ କିଲରଙ୍କ ସହ ଉତ୍ତମ ଗୋଗୋଇଙ୍କ ଝିଅର ସଂପର୍କ ଥିବା କୁହାଯାଉଛି । ଉତ୍ତମଙ୍କ ସ୍ତ୍ରୀ ଏବଂ ଝିଅ ହତ୍ୟାକାରୀମାନଙ୍କୁ ସୁନା ଅଳଙ୍କାର ଏବଂ ଳକ୍ଷାଧିକ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିରୁ ଜଣାପଡ଼ୁଛି ବ୍ୟବସାୟୀଙ୍କ ହତ୍ୟା କରିବା ପଛରେ ଅର୍ଥ ଲୋଭ ଥାଇପାରେ । ତେବେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପଚରା ଉଚରା କରୁଛି ପୁଲିସ ।