ନୂଆଦିଲ୍ଲୀ: ଆସାମର ଧୁବ୍ରି ଜିଲ୍ଲାରେ ବର୍ତମାନ ସମୟରେ ଉଠିଥିବା ସାମ୍ପ୍ରଦାୟିକ ଉତ୍ତେଜନା ପରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଏଥର ବକ୍ରିଦରେ କିଛି ଅସାମାଜିକ ଯୁବକ ଧୁବ୍ରିର ହନୁମାନ ମନ୍ଦିରରେ ଗୋମାଂସ ଫିଙ୍ଗି ଏକ ଘୃଣ୍ୟ ଏବଂ ନିନ୍ଦନୀୟ ଅପରାଧ କରିଛନ୍ତି। ସେ କହିଛନ୍ତି ଯେ, ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଆମ ମନ୍ଦିର ଗୁଡ଼ିକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ସକ୍ରିୟ ହୋଇଛି, ତେଣୁ ଆମେ ପୋଲିସକୁ ବେଆଇନ କାର୍ଯ୍ୟକଳାପ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛୁ।
ସେ କହିଛନ୍ତି ଯେ, ଆଗାମୀ ବକ୍ରିଦରେ ଆବଶ୍ୟକ ହେଲେ, ମୁଁ ନିଜେ ସାରା ରାତି ହନୁମାନ ବାବାଙ୍କ ମନ୍ଦିରକୁ ଜଗିବି। ସେ ଏହା ବି ମଧ୍ୟ କହିଛନ୍ତି ଯେ,"ଧୁବ୍ରିରେ ଏକ ନୂତନ ଗୋମାଂସ ମାଫିଆ ଦେଖାଯାଇଛି, ଯିଏ ଇଦ୍ ପୂର୍ବରୁ ହଜାର ହଜାର ପଶୁ କିଣିଛି। ତଦନ୍ତ ଚାଲିଛି ଏବଂ ଦୋଷୀ ମାନଙ୍କୁ ଜେଲରେ ରଖାଯିବ।
ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, "ମୁଁ ଧୁବ୍ରି ଗସ୍ତ କରି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛି ଯେ ଆମର ମନ୍ଦିର ଏବଂ ପବିତ୍ର ସ୍ଥାନ ଗୁଡ଼ିକୁ ଅପବିତ୍ର କରୁଥିବା ଉପାଦାନ ଗୁଡ଼ିକ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ପାଳନ କରନ୍ତୁ। ସହରର ହନୁମାନ ମନ୍ଦିରରେ ଗୋମାଂସ ଫିଙ୍ଗିବା ଘଟଣା କେବେବି ଘଟିବା ଉଚିତ୍ ନଥିଲା ଏବଂ ଏଥିରେ ଜଡିତ ଲୋକଙ୍କୁ ଛଡାଯିବ ନାହିଁ। ଆମେ ଜିଲ୍ଲାରେ ଆଇନ ଶୃଙ୍ଖଳା ଲାଗୁ କରିବା ଏବଂ ସମସ୍ତ ସାମ୍ପ୍ରଦାୟିକ ଶକ୍ତିକୁ ପରାସ୍ତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।"
ସୂଚନାଥାଉକି, ଗତ ରବିବାର ଆସାମର ଧୁବ୍ରି ସହରରେ ଏକ ମନ୍ଦିର ନିକଟରେ ମାଂସ ଫିଙ୍ଗିବା ବିରୋଧରେ ବିରୋଧ ପ୍ରଦର୍ଶନ ହୋଇଥିଲା, ଯାହା ଯୋଗୁଁ ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲୁହବୁହା ଗ୍ୟାସ ବ୍ୟବହାର କରିବାକୁ ପଡିଥିଲା।