ନୂଆଦିଲ୍ଲୀ ୨୧/୦୮: ଆସାମରେ ୧୮ ବର୍ଷରୁ ଊଦ୍ଧ୍ୱର୍ ବୟସର ଲୋକଙ୍କ ପାଇଁ ଆଧାର କାର୍ଡ ବନାଯିବନି । ମୁଖ୍ୟମନ୍ତ୍ରୀ  ହିମନ୍ତ ବିଶ୍ୱଶର୍ମା ଗୁରୁବାର ଏହି ସୂଚନା ଦେଇଛନ୍ତି । ଅବୈଧ  ପ୍ରବାସୀଙ୍କୁ ଭାରତୀୟ ନାଗରିକତା ପାଇବାରେ ରୋକିବା ଲାଗି ଆସାମ  କ୍ୟାବିନେଟ ଏହି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । 

ମୁଖ୍ୟମନ୍ତ୍ରୀ  କହିଛନ୍ତି, ଆସାମରେ ୧୮ ବର୍ଷରୁ ଊଦ୍ଧ୍ୱର୍ ଯେଉଁ ନାଗରିକଙ୍କର  ପାଖରେ ଏବେ ଯାଏ ଆଧାର କାର୍ଡ ନାହିଁ ସେମାନଙ୍କୁ ଆବେଦନ  ଲାଗି ସମୟ ଦିଆଯିବ । ଅନୁସୂଚିତ ଜାତି(ଏସ୍‌ସି), ଅନୁସୂଚିତ  ଜନଜାତି(ଏସ୍‌ଟି) ବର୍ଗର ୧୮ ବର୍ଷରୁ ଊଦ୍ଧ୍ୱର୍ ଲୋକ ୧ ବର୍ଷ ଭିତରେ  ସେମାନଙ୍କ ଆଧାର କାର୍ଡ ବନାଇପାରିବେ । ଆଧାର କାର୍ଡ ଉପରେ  ରୋକ ଦ୍ୱାରା ନାଗରିକଙ୍କ ଠିକ୍‌ ଭାବେ ଚିହ୍ନଟ ସୁନିଶ୍ଚିତ ହେବ। ଏହି ପଦକ୍ଷେପ ଗତ ୧ ବର୍ଷରେ ବାଂଲାଦେଶରୁ ଅବୈଧ ପ୍ରବେଶ  ଉପରେ ଥିବା ଚିନ୍ତା ଦୂର କରିବା ଲାଗି ନିଆଯାଇଛି । 

ହିମନ୍ତ ଆହୁରି  କହିଛନ୍ତି, ଆସାମରେ କେତେକ ବିଶେଷ ବର୍ଗଙ୍କୁ ଛାଡ଼ି ଅନ୍ୟ  ସମସ୍ତଙ୍କୁ ଆଧାର କାର୍ଡ ମିଳିସାରିଛି । ଏବେ ନୂଆ ଆଧାର କାର୍ଡ  କେବଳ ଡେପୁଟି କମିଶନର କେତେକ ସ୍ୱତନ୍ତ୍ର ମାମଲାରେ ହିଁ ଜାରି  କରିବେ, ଯାହା ଫଳରେ ଅବୈଧ ଅନୁପ୍ରବେଶକାରୀଙ୍କ ତରଫରୁ  ଆସୁଥିବା ଆବେଦନ ଉପରେ କଡ଼ା ନଜର ରଖାଯାଇପାରିବ ।  ଏହା ସୁନିଶ୍ଚିତ କରିବାକୁ ପଡ଼ିବ ଯେ ଯେପରି କୌଣସି ଅବୈଧ  ବିଦେଶୀ ନାଗରିକ ଆସାମରେ ଆଧାର କାର୍ଡ ବନାଇ ନ ପାରିବେ  ଏବଂ ନିଜକୁ ଭାରତର ନାଗରିକ ଭାବେ ପ୍ରମାଣ କରି ନ ପାରିବେ ।