ଭୁବନେଶ୍ୱର ୧୬/୦୩: ହୋଟେଲର ଚାକିରି ବେଳେ ମ୍ୟାନେଜରଙ୍କଠାରୁ ଢେର୍ ନିର୍ଯାତନା ସହିଲେ । ବିରୋଧ କରିବାରୁ ଚାକିରିରୁ ବିଦା ହେଲେ । ତା’ପରଠୁ ନ୍ୟାୟ ପାଇଁ ଧାଇଁ ଧାଇଁ ନୟାନ୍ତ ହେଲେଣି । ଶେଷରେ ନିର୍ଯାତନାର ଶିକାର ହୋଇଥିବା ହୋଟେଲ ସାମ୍ନାରେ ହିଁ ପେଟ୍ରୋଲ ଢ଼ାଳି ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି । ମୈତ୍ରୀବିହାରର ଏକ ତାରକା ହୋଟେଲ ସାମ୍ନାରେ ଆସାମ ଯୁବତୀଙ୍କ ଆତ୍ମାହୂତି ଉଦ୍ୟମ ଘଟଣା ସାମ୍ନାକୁ ଆସିଛି ।
ଯୁବତୀଜଣକ ହେଲେ, ଆସାମର ସୁଚିତ୍ରା ରାୟ । ତାଙ୍କ ଅଭିଯୋଗ ମୁତାବକ, ଦୀର୍ଘ ୪ ବର୍ଷ ଧରି ସେ ଉକ୍ତ ହୋଟେଲରେ ରିସେପ୍ସନିଷ୍ଟ ଭାବେ ଚାକିରି କରୁଥିଲେ । ହୋଟେଲ ମ୍ୟାନେଜର ଏସ୍. ପଟ୍ଟନାୟକ ତାଙ୍କୁ ନାନା ବାହାନାରେ ହଇରାଣ ହରକତ କରୁଥିଲେ । ହୋଟେଲର ନିଛାଟିଆ ଜାଗା (ବ୍ଲାଇଣ୍ଡ ସ୍ପଟ୍)କୁ ଡାକି ଅଶ୍ଲୀଳ ମନ୍ତବ୍ୟ ଦେଉଥିଲେ । ସୁଚିତ୍ରାଙ୍କୁ ନିର୍ଯାତନା ଅସହ୍ୟ ହେବାରୁ ସେ ସ୍ୱର ଉଠାଇଲେ । ୨ ମାସ ତଳେ ମ୍ୟାନେଜରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଗୁହାରି କଲେ । ହୋଟେଲ କର୍ତ୍ତୃପକ୍ଷ କାରସାଦି କରି ତାଙ୍କୁ ହୋଟେଲରୁ ବିଦା କରିଦେଲେ ।
ଏହାପରେ ସୁଚିତ୍ରା ଆସାମର ରାଜ୍ୟପାଳଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରିଛନ୍ତି । ଆଉ ମୈତ୍ରୀବିହାର ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ପୁଲିସ ମଧ୍ୟ ୧୧୮/୨୬ରେ ମାମଲା ରୁଜୁ କରିଛି । ହେଲେ, କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ସେ ଅଭିଯୋଗ ଆଣି ଗତକାଲିଠୁ ହୋଟେଲ ସାମ୍ନାରେ ଧାରଣା ଦେଇଥିଲେ । ସନ୍ଧ୍ୟାରେ ସୁଚିତ୍ରା ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ । ପୁଲିସ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ତାଙ୍କୁ ତ୍ୱରିତ୍ୱ ଉଦ୍ଧାର କରାଯାଇଥିଲା । ହୋଟେଲ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ସେପଟେ ସୁଚିତ୍ରାଙ୍କ ଆତ୍ମାହୁତି ଉଦ୍ୟମ ପରେ ସମାଜସେବୀ ବିନ୍ଦୁଜା ଉପାଧ୍ୟୟ ହୋଟେଲ ସାମ୍ନାରେ ଅହୋରାତ୍ର ଧାରଣାରେ ବସିଛନ୍ତି ।