ଜଳେଶ୍ବର,୨୭\୭ : ସବୁଦିନ ପରି ସ୍କୁଲ ଯାଇଥିଲା ଝିଅ । ସ୍କୁଲରୁ ଫେରି କାନ୍ଦିବାରୁ ମା' ପଚରିଲେ କ'ଣ ହେଲା ?। କାନ୍ଦି କାନ୍ଦି ପ୍ରଧାନଶିକ୍ଷକଙ୍କ ସବୁ କାରନାମା କହିଲେ ୧୦ ବର୍ଷର କୁନି ଝିଅ । ଥରେ କି ଦୁଇଥର ନୁହେଁ, ଅନେକ ଥର ପ୍ରଧାନଶିକ୍ଷକ ଛାତ୍ରୀଙ୍କ ସହ କରିଛନ୍ତି ଅସଦାଚରଣ । ସାର୍ ଖରାପ ବ୍ୟବହାର କରିଥିବା ନେଇ ଛାତ୍ରୀ ଜଣକ ମାଆଙ୍କୁ ଜଣାଇଛନ୍ତି ।ଏପରି ଚାଞ୍ଚଲ୍ୟକର ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ବେଲି ଗ୍ରାମରେ । ବେଲି ଗୋପିନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟନ୍ତ ଜେନାଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ ।
ଅଭିଯୋଗ ଅନୁଯାୟୀ, ଗତ ୨୩ ତାରିଖ ମଧ୍ୟାହ୍ନ ଭୋଜନ ସମୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟନ୍ତ କୁମାର ଜେନା ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ନିଜ ଅଫିସ୍ କୋଠରୀକୁ ଡାକି ଅସଦାଚରଣ କରିଥିଲେ । ଛାତ୍ରୀ ଜଣକ କାନ୍ଦି କାନ୍ଦି ଘରକୁ ଫେରିଥିଲେ । ଘଟଣା ସାମ୍ନାକୁ ଆସିବା ପରେ ଆଜି ଗ୍ରାମରେ ଏକ ବୈଠକ ଡକାଯାଇ ଥିଲା । ଗ୍ରାମବାସୀ ଓ ପରିବାର ଲୋକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହାପରେ ପରିବାର ଲୋକେ ସିଧାସଳଖ ଜଳେଶ୍ୱର ଥାନାରେ ପହଞ୍ଚି ପ୍ରଧାନଶିକ୍ଷକଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ ।
ଲିଖିତ ଅଭିଯୋଗ ଆଧାରରେ ଜଳେଶ୍ୱର ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଧାନଶିକ୍ଷକ ଜୟନ୍ତ କୁମାର ଜେନାଙ୍କୁ ଥାନାକୁ ଉଠାଇ ଆଣିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦିନକୁ ଦିନ ଗୁରୁ-ଶିଷ୍ୟ ସମ୍ପର୍କରେ ଲାଗୁଛି ଦାଗ । ପାଠ ପଢ଼ାଉଥିବା ଶିକ୍ଷକ ନାଁରେ ଆସୁଛି ଏଭଳି ସାଂଘାତିକ ଅଭିଯୋଗ । ଯାହା ସମାଜ ପାଇଁ ଏକ ଚିନ୍ତାର ବିଷୟ ।