ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ପାକିସ୍ତାନରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୧୬ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ହତ୍ୟା କରିଛି । ପାକିସ୍ତାନୀ ସେନା ରବିବାର ଏହି ସୂଚନା ଦେଇଛି । ସେନା କହିଛି ଯେ ପାକିସ୍ତାନ ସେନା ଆଫଗାନିସ୍ତାନ ସୀମାରେ ନିରନ୍ତର ସଂଘର୍ଷର ସମ୍ମୁଖୀନ ହେଉଛି। ଗତ କିଛି ମାସ ଧରି ସୀମାରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । 

ସେନାର ମିଡିଆ ୱିଙ୍ଗ ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ ଦ୍ୱାରା ଜାରି ଏକ ବୟାନ ଅନୁଯାୟୀ,୨୨ ଏବଂ ୨୩ ମାର୍ଚ୍ଚ ରାତିରେ ଉତ୍ତର ୱାଜିରିସ୍ତାନର ଗୁଲାମ ଖାନ କଲାଇ ଅଞ୍ଚଳରେ ଆଫଗାନ ସୀମାରୁ ଆତଙ୍କବାଦୀ ମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ତେବେ ସୁରକ୍ଷା ବାହିନୀକୁ ଏହି ସୂଚନା ମିଳିଥିଲା। ଏହା ପରେ ସୁରକ୍ଷା ବାହିନୀ ଅପରେସନ୍ ଆରମ୍ଭ କରିଥିଲେ।

ପାକିସ୍ତାନ ସେନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଆମର ସୈନିକ ମାନେ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରି ସେମାନଙ୍କର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି। ଏକ ଭୟଙ୍କର ଗୁଳିବିନିମୟ ପରେ, ସମସ୍ତ ୧୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।