କଟକ,୦୨/୦୨: ଲୋକଙ୍କ ସମସ୍ୟା ବୁଝିବାକୁ ସାଇକେଲ୍ ଚଳାଇ ପ୍ରାୟ ଶହେ କିଲୋମିଟର ଯାତ୍ରା କଲେ ଉପଜିଲ୍ଲାପାଳ । ତାହା ପୁଣି ଛୁଟିଦିନରେ । ରବିବାର ଆଠଗଡ଼ରୁ ସାଇକେଲ୍ ଧରି ନରସିଂହପୁର ପର୍ଯ୍ୟନ୍ତ ଯାଇ ମଣ୍ଡିରେ ଚାଷୀଙ୍କ ସମସ୍ୟା ବୁଝିବା ସହିତ ବାଲିପୁଟ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିଛନ୍ତି ଆଠଗଡ଼ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା । ଉପଜିଲ୍ଲାପାଳଙ୍କ ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଆଠଗଡ଼ ଉପଜିଲ୍ଲାପାଳ ଶ୍ରୀ ଶର୍ମା ରବିବାର ସକାଳୁ ଅଫିସିଆଲ୍ ଲୁକ୍‌ରେ ନ ଥିଲେ। ହାଫ୍ପ୍ୟାଣ୍ଟ୍, ଟି-ସାର୍ଟ, ମୁଣ୍ଡରେ ସାଇକେଲ୍ ଚାଳକ ହେଲ୍ମେଟ୍ ପିନ୍ଧି ନିଜ ବ୍ୟାଟେରୀ ସାଇକେଲ୍ ଧରି ବାହାରି ପଡ଼ିଥିଲେ । ପଛରେ ତାଙ୍କ ପ୍ରଶାସନିକ କାର୍ ବି ଥିଲା । ସାଇକେଲ୍ ଗଡ଼ିଥିଲା ତିଗିରିଆ ଅଭିମୁଖେ । ତିଗିରିଆ, ବଡ଼ମ୍ବା ଓ ନରସିଂହପୁରର ଅନେକ ମଣ୍ଡିରେ ସ୍ଥିତି ଯାଞ୍ଚ୍ କରିଥିଲେ । ପରେ ବାଲିପୁଟ ସ୍ଥିତ ଇକୋ ରିଟ୍ରିଟ୍‌କୁ ଯାଇଥିଲେ । ସେଠାରେ ପର୍ଯ୍ୟଟକଙ୍କ ପାଇଁ ଥିବା ବ୍ୟବସ୍ଥା ଆଦି ଅନୁଧ୍ୟାନ କରିବା ସହ ପର୍ଯ୍ୟଟକଙ୍କ ସହ ଆଲୋଚନା କରିଥିଲେ ।

 

ଏ ନେଇ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା କହିଛନ୍ତି, ଏବେ ମଣ୍ଡିରେ ଧାନ ବିକ୍ରି ଚାଲିଛି । ବିନା ସମସ୍ୟାରେ ଚାଷୀମାନେ କିଭଳି ଧାନ ବିକ୍ରି କରିପାରିବେ ସେଥିପ୍ରତି ଆମେ ଗୁରୁତ୍ୱ ଦେଉଛୁ । ରବିବାର ଛୁଟିଦିନ ଥିବାରୁ ସାଇକେଲ୍ ଚଳାଇ ବିଭିନ୍ନ ମଣ୍ଡିକୁ ଯାଇ ସ୍ଥିତି ପରଖିବାକୁ ଠିକ୍ ଭାବିଲି । କାମରେ ରବିବାର, ସୋମବାର ଦେଖିଲେ ହେବନାହିଁ । ସାଇକେଲ୍ ଚଳାଇଲେ ସ୍ୱାସ୍ଥ୍ୟ ଭଲ ରହିବା ସହ ପରିବେଶ ଉପଯୋଗୀ । ଏ ଲମ୍ବା ଯାତ୍ରା କରି ଭଲ ଲାଗିଲା ବୋଲି ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ :- ନୂଆ ରୂପ ପାଇବ ମିଶନ ଶକ୍ତି : ଆଇଡି କାର୍ଡ ସହ ମିଳିବ ସ୍ମାର୍ଟ ଫୋନ୍, ଉତ୍କଳ ଦିବସରୁ ଡ୍ରେସ୍ କୋଡ୍, ଶାଢୀରେ ରହିବ ଓଡ଼ିଆ ଅସ୍ମିତା ଝଲକ