ସୋରଡ଼ା,୧୫/୩ : ଶବଦାହ ଦଳ ଉପରେ ମରଣାତ୍ମକ ଆକ୍ରମଣରେ ୨ଜଣ ଆହତ ହୋଇଥିବାବେଳେ ୨ଟି ବାଇକ ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି I ସୋରଡ଼ା ଥାନା ନିକଟରେ ସହସ୍ରାଧିକ ଗ୍ରାମବାସୀ ରୁଣ୍ଡ ହୋଇଛନ୍ତି I ସୋରଡ଼ା ବ୍ଲକ ସରା ବାଡି ପଞ୍ଚାୟତ ଚାକୁଣ୍ଡା ଗ୍ରାମର ରତନ ବିଷୋୟୀ ନାମକ ବ୍ୟକ୍ତିଙ୍କ କୌଣସି କାରଣରୁ ରବିବାର ମୃତ୍ୟୁ ହୋଇଥିଲା I ତେବେ ଗ୍ରାମର ୨୦୦ରୁ ଊର୍ଦ୍ଧ୍ୱ ଜନସାଧାରଣ ସନ୍ଧ୍ୟାରେ ଶବ ଶୋଭାଯାତ୍ରାରେ ୮କିମି ଚାଲିଚାଲି ସୋରଡ଼ା ଆସି ଏଠାକାର ବୃଦ୍ଧ ଲିଙ୍ଗେଶ୍ୱର ସ୍ମଶାନରେ ଶବଦାହ କରିଥିଲେ I

ଶବଦାହ ପରେ ସମସ୍ତେ ଗାଧୁଆ ସାରି ମଲା ପଣା କାର୍ଯ୍ୟକ୍ରମରେ ସାମିଲ ଥିବା ସମୟରେ ଉକ୍ତ ସମୟରେ ସେଠାରେ ହଠାତ ୧୦ରୁ ଊର୍ଦ୍ଧ୍ୱ ଯୁବକ ପହଂଚି ଗ୍ରାମବାସୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ବୋଲି ଶୁଣାଯାଇଛି I  ସମସ୍ତ ଆକ୍ରମଣ କାରି ଗ୍ରାମବାସୀଙ୍କ ମିଳିତ ପ୍ରତିରୋଧରେ ଧାଇଁ ପଳେଇଥିଲେ I ଆକ୍ରମଣ ସମୟରେ ସେଠାରେ ଥିବା ୨ଟି ବାଇକ ଭଙ୍ଗାରୁଜା ହୋଇଥିବାବେଳେ ଗ୍ରାମର ବୟସା ଧିକ ବାୟାରାମ ବିଷୋୟୀ ୭୦ ଓ ଚନ୍ଦନ ବିଷୋୟୀଙ୍କୁ ଆଘାତ ଲାଗିଛି I

ଉଭୟଙ୍କୁ ସୋରଡ଼ା ମେଡ଼ିକାଲରେ ଚିକିତ୍ସା କରଯାଇଛି l ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଅନୁଧ୍ୟାନ କରିଛି I ଅନ୍ୟପଟେ ଗ୍ରାମର ଶବଦାହକୁ ଯାଇଥିବା ସମସ୍ତେ ଥାନା ନିକଟରେ ପହଂଚିଥିଲେ I ଆକ୍ରମଣକାରୀମାନେ ମାରଣାସ୍ତ୍ର ଧରି ଆସିଥିବା ମଧ୍ୟ ଶୁଣାଯାଇଛି I ଖବର ଲେଖା ହେବା ପର୍ଯ୍ୟନ୍ତ ଏତଲା ଦିଆଯାଇନାହିଁ I ଏତଲା ଲେଖା ଚାଲିଥିବା ଜଣାପଡିଛି ।