କଟକ,୧୦/୦୮: କଟକ ବିଡାନାସୀ ନୂଆ ସାହି ଅଞ୍ଚଳରେ ସ୍ବାମୀ ସ୍ତ୍ରୀଙ୍କୁ ଛୁରାମାଡ଼ । ଆହତ ଦମ୍ପତି ହେଲେ ସୁକଦେବ ଦଳେଇ ଓ ସୁଜାତା ଭଟ୍ଟ ଏବଂ ଆକ୍ରମଣକାରୀ କେନ୍ଦ୍ରାପଡ଼ା ଜିଲ୍ଲା ଗଗୁଆ ଅଞ୍ଚଳର ଗୋବିନ୍ଦ ମଲିକ । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଦମ୍ପତିଙ୍କୁ ଛୁରା ମାଡ଼ କରାଯାଇଥିବା ଜଣାପଡ଼ିଛି । ଅଭିଯୁକ୍ତ ଗୋବିନ୍ଦ ମଲିକକୁ ଅଟକ ରଖିଛି ପୁଲିସ ।
ସୂଚନା ମୁତାବକ, ଗୋବିନ୍ଦ ପେଶାରେ ଜଣେ ପରିବା ଦୋକାନୀ ଓ ସୁକଦେବ ଦଳେଇ ପେଶାରେ ଜଣେ ମାଛ ଦୋକାନୀ । ରବିବାର ସକାଳେ ବିଡାନାସୀ ନୂଆ ସାହି ଠାରେ ଏହି ଦୁଇ ପଡୋଶୀ ସୁକଦେବ ଦଳେଇ ଓ ଗୋବିନ୍ଦ ମଲିକଙ୍କ ଭିତରେ ପୂର୍ବ ଶତ୍ରୁତାକୁ ନେଇ ପ୍ରଥମେ ବଚସା ହୋଇଥିଲା । ଗୋବିନ୍ଦ ରାଗି ଯାଇ ଏକ ଛୁରୀରେ ସୁକଦେବଙ୍କୁ ଆକ୍ରମଣ କରିଥିଲେ । ଗୋବିନ୍ଦଙ୍କ ଆକ୍ରମଣରେ ସୁକଦେବ ଗୁରୁତର ହୋଇ ପଡିଥିଲେ । ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ସୁଜାତା ଭଟ୍ଟ ମଧ୍ୟ ଆହତ ହୋଇଛନ୍ତି । ସୁଜାତାଙ୍କ ନାକରେ ଗମ୍ଭୀର ଆଘାତ ଲାଗିଛି । ଏସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ବିଡାନାସୀ ଥାନା ପୁଲିସ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ SCB ମେଡ଼ିକାଲ ପଠେଇବା ସହିତ ଅଭିଯୁକ୍ତ ଗୋବିନ୍ଦ ମଲିକକୁ ଅଟକ ରଖିଛି ।