କୋଲକାତା,୨୭/୦୪: ନିଶାରେ ନାବାଳିକାଙ୍କ  ଛାତିକୁ ଛୁଇଁବା ଶିଶୁ ଯୌନ ଅପରାଧ ନିବାରଣ  (ପୋକ୍ସୋ) ଆଇନ ଅନୁସାରେ ଦୁଷ୍କର୍ମ ଉଦ୍ୟମ  ନୁହେଁ । ଏହାକୁ ଗମ୍ଭୀର ଯୌନ ଉତ୍ପୀଡନ ମାମଲା ଭାବେ ବିବେଚନା କରାଯାଇପାରିବ ବୋଲି କଲିକତା  ହାଇକୋର୍ଟ କହିଛନ୍ତି । ଏଥିସହ ଏଭଳି ଏକ ମାମଲାରେ  ଅଭିଯୁକ୍ତ ଯୁବକଙ୍କୁ ଜାମିନ ପ୍ରଦାନ କରିଛନ୍ତି । କଲିକତା ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ସେହି  ସମୟରେ ଆସିଛି ଯେତେବେଳେ ସୁପ୍ରିମକୋର୍ଟ  କିଛିଦିନ ତଳେ ଆହ୍ଲାବାଦ ହାଇକୋର୍ଟଙ୍କ ଏଭଳି ଏକ ରାୟକୁ ଅସମ୍ବେଦନଶୀଳ ବୋଲି କହିଥିଲେ । ଏପରିକି ହାଇକୋର୍ଟଙ୍କ ରାୟ ଉପରେ ମଧ୍ୟ ସର୍ବୋଚ୍ଚ  ଅଦାଲତ ରୋକ୍‌ ଲଗାଇଥିଲେ । 

କଲିକତା ହାଇକୋର୍ଟର ବିଚାରପତି ଅରିଜିତ ବାନାର୍ଜୀ ଓ ବିଚାରପତି ବିଶ୍ୱରୂପ  ଚୌଧୁରୀଙ୍କୁ ନେଇ ଗଠିତ ଡିଭିଜନ ବେଞ୍ଚ କହିଛନ୍ତି  ଯେ ଅଭିଯୁକ୍ତ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ  ମେଡିକାଲ ରିପୋର୍ଟରୁ ପ୍ରମାଣ ମିଳିନାହିଁ । ପୀଡିତା  ବୟାନରେ ଦର୍ଶାଇଛନ୍ତି କି ଅଭିଯୁକ୍ତ ନିଶାରେ ଥିଲେ  ଏବଂ ତାଙ୍କ ଛାତିକୁ ଛୁଇଁବାକୁ ଉଦ୍ୟମ କରିଥିଲେ । ଏହା ପୋକ୍ସୋ ଆଇନ ଅନୁସାରେ ଗମ୍ଭୀର ଯୌନ ଉତ୍ପୀଡନ  ହୋଇପାରେ । କିନ୍ତୁ ପ୍ରାଥମିକ ଦୃଷ୍ଟିରୁ ଦୁଷ୍କର୍ମ ଉଦ୍ୟମ କରିଥିବାର ଇଶାରା ଏଥିରୁ ଜଣାପଡୁନାହିଁ । ତଳକୋର୍ଟ ଏହି ମାମଲାରେ ଅଭିଯୁକ୍ତକୁ ପୋକ୍ସୋ  ଆଇନର ଧାରା ୧୦ ଏବଂ ଆଇପିସିର ଅନ୍ୟାନ୍ୟ  ଦଫାରେ ଦୋଷୀ ସାବ୍ୟସ୍ତ କରି ୧୨ ବର୍ଷ ଜେଲ୍‌ ଓ ୫୦  ହଜାର ଟଙ୍କା ଜରିମାନା କରିଥିଲେ । 

ଏହା ବିରୋଧରେ  ଅଭିଯୁକ୍ତ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଅଭିଯୁକ୍ତ  ଦର୍ଶାଇଥିଲେ ଯେ ସେ ଦୁଇବର୍ଷ ହେଲା ଜେଲ୍‌ରେ  ଅଛନ୍ତି । ତା’ଛଡା ଏହି ମାମଲାରେ ରାୟ ଶୀଘ୍ର  ଆସିବାର ସମ୍ଭାବନା ମଧ୍ୟ ନାହିଁ । ତେଣୁ ତାଙ୍କୁ ଜାମିନ  ପ୍ରଦାନ କରାଯାଉ । ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି  ଏହି ମାମଲା ଆଇପିସିର ଦଫା ୩୭୬ ଅନୁସାରେ  ଅପରାଧ ବିବେଚନା କରାଯାଇପାରିବ ନାହିଁ । ଅଧିକରୁ  ଅଧିକ ପୋକ୍ସୋ ଆଇନର ଧାରା ୧୦ ଅନୁସାରେ  ଅପରାଧ ଭାବେ ବିବେଚନା କରାଯାଇପାରିବ ।