ନବରଙ୍ଗପୁର, ୧୩।୧୧ :  ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଅଧୀନରେ ଥିବା (Collector Nawarangpur Chairman Cum Managing Trustee ) ସରକାରୀ ବ୍ୟାଙ୍କ ଏକାଉଣ୍ଟକୁ ହ୍ୟାକ୍ ପାଇଁ ଉଦ୍ୟମ l କିନ୍ତୁ, ବ୍ୟାଙ୍କ ମ୍ୟାନେଜର ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ହ୍ୟାକ କରିବାରେ ବିଫଳ ହୋଇଛି ହ୍ୟାକର।

 ସୂଚନା ଅନୁଯାୟୀ  ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ଚିଠି ଗତ ୧୧ ତାରିଖ ଦିନ ପୋଷ୍ଟାଲ ସ୍ପିଡ୍ ପୋଷ୍ଟ ଯୋଗେ ନବରଙ୍ଗପୁର ବ୍ୟାଙ୍କ ଅଫ ଇଣ୍ଡିଆକୁ ଆସିଥିଲା। ଉକ୍ତ ଚିଠି ରେ ଉଲ୍ଲେଖ ରହିଥିଲା ଯେ ଜିଲ୍ଲାପାଳ ଙ୍କ ଅଧିନସ୍ଥ ଏକ ନିର୍ଦ୍ଧିଷ୍ଟ ବ୍ୟାଙ୍କ ଏକାଉଣ୍ଟ ରେ ଫୋନ ନଂ ୭୦୪୪୮୭୭୧୨୭ କୁ ଅପଡେଟ୍ କରାଯାଉ l ଯାହା ଫଳରେସେହି ମୋବାଇଲ ନମ୍ବର ରେ ଏକାଉଣ୍ଟ ର ସମସ୍ତ ଡେବିଟ୍ ଓ କ୍ରେଡିଟ୍ ର ଟ୍ରାନଜେକ୍ସନ୍  ଏସଏମଏସ୍ (SMS ) ଆଲାର୍ଟ ଆସିପାରିବ l ଉକ୍ତ ଚିଠି ରେ  ନବରଙ୍ଗପୁର ଜିଲ୍ଲାପାଳ ଓ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଦସ୍ତଖତ ରହିଥିଲା l ଯାହାକି ଗତକାଲି ବ୍ୟାଙ୍କ ଅଧିକାରୀ ଚିଠି ଟିକୁ ପାଇଥିଲେ l ତେବେ,  ଜିଲ୍ଲାପାଳଙ୍କ ଦସ୍ତଖତ ସ୍ଥାନ ରେ ପୂର୍ବତନ ଜିଲ୍ଲାପାଳ କୋମଳ ଲୋଚନ ମିଶ୍ରଙ୍କ ଦସ୍ତଖତ ରହିଥିବା ଦେଖିବାକୁ ପାଇଥିଲେ ବ୍ୟାଙ୍କ ର ବରିଷ୍ଠ ଶାଖା ପ୍ରବନ୍ଧକ ସୁନୀଲ କୁମାର ସାହୁ l ଯାହାକୁ ନେଇଁ ତାଙ୍କର ସନ୍ଦେହ ବଢିଥିଲା.ଏବଂ ଏହା କୌଣସି ଠକ କିମ୍ବା ହ୍ୟାକର ର ଚିଠି ହୋଇଥାଇପାରେ ବୋଲି ସନ୍ଦେହ କରିଥିଲେ l ବ୍ୟାଙ୍କ ଅଫ ଇଣ୍ଡିଆ ର ବରିଷ୍ଠ ଶାଖା ପ୍ରବନ୍ଧକ ଏହି ଚିଠିକୁ ନେଇ   ଜିଲ୍ଲାପାଳଙ୍କ ନଜରକୁ ଆଣିଥିଲେ l ଫଳରେ ସେହି ଚିଠିଟି ନକଲି ବୋଲି ଜଣାପଡିଥିଲା l ତେବେ ଏହି ଚିଠି ନବରଙ୍ଗପୁର ପୋଷ୍ଟ ଅଫିସରୁ ହିଁ ପଠାଯାଇଥିବା ଜଣାପଡିଛି। ଯଦି ହ୍ୟାକର ଦେଇଥିବା ମୋବାଇଲ ନମ୍ବର କୁ ଉକ୍ତ ଏକାଉଣ୍ଟ ରେ ଅପଡେଟ୍ ହୋଇଥାନ୍ତା, ତେବେ ଏକାଉଣ୍ଟର ସମସ୍ତ ତଥ୍ୟ ହ୍ୟାକର ଜାଣିପାରିଥାନ୍ତା। ଏବଂ ପୁଣିଥରେ ଚିଠି କରି ବିଭିନ୍ନ ଏକାଉଣ୍ଟ ରେ ଟଙ୍କା ପଠାଇବା ପାଇଁ ଚିଠି କରି ସରକାରୀ ଟଙ୍କା ହଡପ କରିବା ପାଇଁ ଉଦ୍ୟମ କରିଥାନ୍ତା ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ବ୍ୟାଙ୍କ ଶାଖା ପ୍ରବନ୍ଧକ ସୁନୀଲ କୁମାର ସାହୁ l ଏଥିସହ ଆସନ୍ତା କାଲି ଏହାକୁ ନେଇଁ ପୋଲିସ କୁ FIR ଦିଆଯିବ ବୋଲି ସୂଚନା ଦେଇଛନ୍ତି ବ୍ୟାଙ୍କ କତୃପକ୍ଷ l