ନୂଆଦିଲ୍ଲୀ: ଦେଶରେ ଏବେ ଗୋଟିଏ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି । ଘରୋଇ ନିର୍ଯାତନାର ଶିକାର ହୋଇ ଜଣେ ପୁରୁଷ ନିଜ ଜୀବନ ହାରି ଦେଇଛନ୍ତି । ସ୍ତ୍ରୀ ଏବଂ ଶ୍ବଶୁର ଘର ଲୋକଙ୍କ ଅକଥନୀୟ ନିର୍ଯାତନା ବେଙ୍ଗାଲୁରୁରେ କାର୍ଯ୍ୟରତ ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟରଂ ଆତ୍ମହତ୍ୟାର କାରଣ ପାଲଟିଛି । ଘରୋଇ ନିର୍ଯାତନା ଏବଂ ଆମ ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ଉଠିଛି ବିରାଟ ପ୍ରଶ୍ନବାଚୀ । ଉତ୍ତର ପ୍ରଦେଶର ୩୪ ବର୍ଷୀୟ ଅତୁଲ ସୁଭାଷ । ବେଙ୍ଗାଲୁରୁରେ ଥିଲେ ସଫ୍ଟୱେୟାର ଇଞ୍ଜିନିୟର। ୨୦୧୯ରେ ହୋଇଥିଲା ବାହାଘର । ହେଲେ ଜୀବନସାଥି ଯେ ଜୀବନ ନେଇଯିବ ଏକଥା ତାଙ୍କୁ ଜଣା ନଥିଲା। ତଥା କଥିତ ପୁରୁଷ ସମାଜରେ ସ୍ତ୍ରୀର ନିର୍ଯାତନା ସହି ନପାରି ବେଙ୍ଗାଲୁରୁରେ ରହୁଥିବା ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ସୁଭାଷ । ମୃତ୍ୟୁ ପୂର୍ବରୁ ୨୪ ପେଜ୍ର ସୁଇସାଇଡ୍ ନୋଟ୍ ସହ ଦେଢ଼ ଘଣ୍ଟାର ଭିଡିଓ ରେକର୍ଡ ସେ ଛାଡ଼ି ଯାଇଛନ୍ତି । ସୁଇସାଡ୍ ନୋଟ୍ରେ ସେ ତାଙ୍କ ପତ୍ନୀଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ପତ୍ନୀ ମିଛ କେସ୍ରେ ଫସାଇ ତାଙ୍କ ଠାରୁ ମୋଟା ଅଙ୍କର ଟଙ୍କା ହଡ଼ପ କରୁଥିବା ସେ ଅଭିଯୋଗ କରିଛନ୍ତି ।
ଡିସେମ୍ବର ୯ରେ ଆତ୍ମହତ୍ୟା କରିଥିବା ଅତୁଲଙ୍କୁ ନେଇ ଆଜି ବିତର୍କର ଶିରୋନାମା ବଦଳିଛି ସତ କିନ୍ତୁ ତାଙ୍କୁ ନ୍ୟାୟ କେବେ ମିଳିବ ତାର ସଠିକ୍ ସୂଚନା କାହା ପାଖେ ନାହିଁ । ଅତୁଲ ୨୦୧୯ରେ ନିକିତା ସିଂଘାଣିଆଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଗୋଟିଏ ପୁଅ ଅଛି । ବିବାହର କିଛି ବର୍ଷ ପରେ ପାରିବାରିକ ସମସ୍ୟା ନୂଆ ମୋଡ ନେଇଥିଲା । ନିକିତା ଏବଂ ତାଙ୍କ ପରିବାର ଲୋକେ ଅତୁଲଙ୍କ ପାଖରୁ ଟଙ୍କା ଆଦାୟ କରିବାକୁ ଲାଗିଥିଲେ ବୋଲି ଅଭିଯୋଗ ହୋଇଛି ।
ସୁଇସାଇଡ୍ ନୋଟ୍ରେ ଅତୁଲ ଲେଖିଛନ୍ତି ଯେ, ଆଇନଗତ ବିବାଦର ସାମଧାନ ପାଇଁ ନିକିତା ତାଙ୍କୁ ୩ କୋଟି ଟଙ୍କା ମାଗିଥିଲେ । ଏପରିକି ପୁଅକୁ ଦେଖିବା ଲାଗି ଆଉ ୩୦ ଲକ୍ଷ ଦେବାକୁ ବାଧ୍ୟ କରୁଥିଲେ । ଏହା ବ୍ୟତୀତ ଅତୁଲ ଭରଣ ପୋଷଣ ଲାଗି ନିକିତାଙ୍କୁ ମାସିକ ୨ ଲକ୍ଷ ଟଙ୍କା ଲେଖାଏଁ ଦେଉଥିଲେ । ପୁଅକୁ ଅସ୍ତ୍ର କରି ନିକିତା ତାଙ୍କଠୁ ଟଙ୍କା ଆଦାୟ କରୁଥିଲେ ବୋଲି ମୃତ୍ୟୁ ପୂର୍ବରୁ କହିଛନ୍ତି ଅତୁଲ । ତେବେ ୨୪ ପେଜର ସୁଇସାଇଡ୍ ନୋଟ ଏବଂ ଦେଢ଼ ଘଣ୍ଟାର ଭିଡିଓରେ ଆତ୍ମହତ୍ୟା କରିବାର କାରଣ ସଂପର୍କରେ କହିଯାଇଛନ୍ତି ଅତୁଲ ସୁଭାଷ । ଏହା ସହ ବିଳମ୍ବିତ ନ୍ୟାୟକୁ ନେଇ ସେ ନିଜର ଅସନ୍ତୋଷ ଝାଡ଼ିଛନ୍ତି । ସବୁଠୁ ବଡ଼ କଥା ହେଉଛି , ନ୍ୟାୟ ନମିଳିବା ଯାଏଁ ତାଙ୍କର ଅସ୍ଥି ବିସର୍ଜନ ନକରିବାକୁ ଆତ୍ମହତ୍ୟା ପୂର୍ବରୁ ରେକର୍ଡ କରିଥିବା ଭିଡିଓରେ କହିଛନ୍ତି ଅତୁଲ ।
ଅତୁଲ ସୁଭାଷଙ୍କ ଆତ୍ମହତ୍ୟାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅତୁଲଙ୍କ ପାଇଁ ନ୍ୟାୟ ମାଗିଛନ୍ତି ଲୋକେ । ଏପରିକି ପୁରୁଷ ବି ନିର୍ଯାତନାର ଶିକାର ହୋଇ ପ୍ରାଣ ହରାଉଥିବା ପ୍ରସଙ୍ଗ ଚର୍ଚ୍ଚା ସାଉଁଟିଛି । ମହିଳାଙ୍କ ପାଇଁ ସବୁ ନିୟମ ଥିବା ବେଳେ କିଭଳି ପୁରୁଷମାନେ ଅସହାୟ ହୋଇ ଚରମ ନିଷ୍ପତ୍ତି ନେଉଛନ୍ତି ତାହା ମଧ୍ୟ ଏକ ବିତର୍କର ବିଷୟ ପାଲଟିଛି । ସେପଟେ ନିକିତା, ତାଙ୍କ ମା, ଭାଇ ଏବଂ ଦାଦାଙ୍କ ନାଁରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି ।
ଅତୁଲଙ୍କ ଭଳି ଅନ୍ୟ ପୁରୁଷମାନେ ଘରୋଇ ବିବାଦକୁ ନେଇ ଆତ୍ମହତ୍ୟା କରୁଥିବା କୁହାଯାଉଛି । ଏବେ ଏହି ମାମଲାରେ ଅତୁଲଙ୍କ ପରିବାର ନ୍ୟାୟ ଚାହୁଁଥିବା ବେଳେ କେବଳ ଯେ ନିକିତା ଏବଂ ତାଙ୍କ ପରିବାର ଲୋକେ ଦଣ୍ଡିତ ହୁଅନ୍ତୁ ତାହା ନୁହେଁ ପୁରୁଷଙ୍କ ପାଇଁ ଆଇନ୍ର ପରିଭାଷାର ପରିବର୍ତ୍ତନ ଦରକାର ଥିବା ନେଇ ସେମାନେ ଦାବି କରିଛନ୍ତି । ମହିଳାଙ୍କ ସୁରକ୍ଷା ଲାଗି ଥିବା ଆଇନ୍ କିପରି ପୁରୁଷଙ୍କ ବିରୋଧରେ ଭୁଲ ଉପାୟରେ ବ୍ୟବହାର କରାଯାଉଛି ତାହା ହିଁ ଅତୁଲ ସୁଭାଷଙ୍କ ଦୁଃଖଦ ଆତ୍ମହତ୍ୟା ଦର୍ଶାଉଛି । ନିର୍ଯାତନା, ଟଙ୍କା ହଡ଼ପ କରିବା ଏବଂ ଆଇନଗତ ପ୍ରକ୍ରିୟାରେ ତ୍ରୁଟିକୁ ଦର୍ଶାଇ ଅତୁଲ ଆତ୍ମହତ୍ୟା କରିଥିବା ବେଳେ ଏବେ ଆଇନ୍ କ୍ଷେତ୍ରରେ ଲିଙ୍ଗଗତ ସମାନତା ଉପରେ ଗୁରୁତ୍ବ ଦେବାର ସମୟ ଆସିଛି ବୋଲି ସାଧାରଣରେ ଚର୍ଚ୍ଚା ଲାଗି ରହିଛି । ମହିଳାଙ୍କ ଅଧିକାରକୁ ସୁରକ୍ଷା ଦେବା ସହ ପୁରୁଷଙ୍କ ବିରୋଧରେ ଆଇନ୍ର ଯେମିତି ଭୁଲ ବ୍ୟବହାର ନୁହୁଏ ସେଥିପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି କୁହାଯାଉଛି ।