ନୂଆଦିଲ୍ଲୀ,୩୦।୧୨: ଏଆଇ ସଫ୍ଟଓ୍ବେୟାର ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ପୋଲିସର ତଦନ୍ତ ଜାରି ରହିଛି। ଅଭିଯୁକ୍ତ ନିକିତା ସିଂଘାନିଆ, ନିଶା ଓ ଅନୁରାଗଙ୍କ ନ୍ୟାୟିକ ହେପାଜତ ଶେଷ ହେବାକୁ ଯାଉଛି। ତା ପୂର୍ବରୁ ନିକିତାଙ୍କ ସହ ତାଙ୍କ ମା’ ଓ ଭାଇ ଜାମିନ୍ ଆବେଦନ ଦାଖଲ କରିଛନ୍ତି। ତେବେ ଏହା ଭିତରେ ମାମଲାକୁ ନେଇ ଚକିତ କରିଦେବା ଭଳି କଥା ସାମନାକୁ ଆସିଛି। ଏହି ମାମଲାରେ ଜୌନପୁର କୋର୍ଟର ପୁରୁଣା ଦସ୍ତାବିଜ ସାମନାକୁ ଆସିଛି। ଏହି ଦସ୍ତାବିଜରେ ନିକିତା ନିଜର ସଫେଇ ଦେଇଛନ୍ତି। ଏହାଛଡା ଅତୁଲଙ୍କ ଉପରେ ନିକିତା ବହୁ ଗମ୍ଭୀର ଅଭିଯୋଗ ଆଣିଛନ୍ତି।
ଏହି ଦସ୍ତାବିଜରେ ନିକିତା ବନାମ ଅତୁଲ କେସ୍ ରହିଛି। ଏଥିରେ ଅତୁଲଙ୍କ ଅଭିଯୋଗ ଉପରେ ନିକିତା ସଫେଇ ଦେଇଛନ୍ତି। ସେ କହିଛନ୍ତି, ଅତୁଲ କହିଥିଲେ ନିକିତା ଘର ଛାଡି ଚାଲିଯାଇଥିଲେ। ଶୀଘ୍ର ଆସିବା କଥା କହିଥିଲେ, କିନ୍ତୁ ଯୌନପୁର ଯିବା ପରେ ସେ ବଦଳି ଯାଇଥିଲେ। ମୋ ଉପରେ ସେ ଗୋଟିଏ ପରେ ଗୋଟିଏ ୯ଟି କେସ୍ ଲଗାଇଥିଲେ।ଏହା ଉପରେ ସଫେଇ ଦେଇ ନିକିତା କହିଛନ୍ତି ସେ ଘର ଛାଡିକି ଯାଇନଥିଲେ। ଅତୁଲ ତାଙ୍କୁ ଘରୁ ବାହାର କରିଦେଇଥିଲେ। ଏଭଳି ଘରୁ ସେ ଦୁଇ ଦୁଇ ଥର ବାହାର କରିଦେଇଛନ୍ତି। ମଇ ୨୦୨୧ ରେ ମୋତେ ଘରୁ ବାହାର କରିଥିଲେ। ଏହାପରେ ସେପ୍ଟେମ୍ବର ୨୦୨୧ ରେ ଏହା ଚିନ୍ତା କରି ଅତୁଲଙ୍କ ପାଖକୁ ବେଙ୍ଗାଲୁର ଯାଇଥିଲି। ଲାଗୁଥିଲା ଅତୁଲ ନିଜର ଭୁଲ ବୁଝିପାରିବେ। କିନ୍ତୁ ଏଭଳି ହୋଇନଥିଲା। ଏଥର ଘରେ ପଶିବାକୁ ଦେଇନଥିଲେ। ଏହି କାରଣରୁ ପୋଲିସ ନିକଟରେ ଅଭିଯୋଗ କରିବାକୁ ପଡିଥିଲା।’
ନିକିତା କହିଛନ୍ତି, ୧୭ ମଇ ୨୦୨୧ ରେ ଅତୁଲ ମୋ ମା’ଙ୍କ ଆଗରେ ମୋତେ ମାଡ଼ ମାରିଥିଲେ। ଏହାପରେ ମୋତେ ଓ ମୋ ମା’ଙ୍କୁ ଘରୁ ଧକ୍କା ମାରି ବାହାର କରିଦେଇଥିଲେ। ତା ପରେ ଗହଣା, କପଡା ଓ ଏଫ୍ଡି ସହ ଜରୁରୀ କାଗଜପତ୍ର ନେଇଯାଇଥିଲେ। ଏହାପରେ ମୋତେ କହିଥିଲେ ୧୦ ଲକ୍ଷ ଟଙ୍କା ନେଇକି ଆସ, ତା ପରେ ତୁମକୁ ଘରକୁ ଆସିବାକୁ ଦେବି। ନଚେତ ତୁମକୁ ଜୀବନରେ ମାରିଦେବି। ଉଲ୍ଲେଖନୀୟ ଯେ, ବେଙ୍ଗାଲୁର ସ୍ଥିତ ନିଜ ଫ୍ଲାଟରେ ବିହାରର ସମସ୍ତପୁର ନିବାସୀ ଅତୁଲ ସୁଭାଷ ୯ ଡିସେମ୍ବରରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ମରିବା ପୂର୍ବରୁ ଅତୁଲ ୨୪ ପୃଷ୍ଟାର ସୁସାଇଡ୍ ନୋଟ୍ ଓ ଦେଢ ଘଣ୍ଟାର ଭିଡିଓ ଛାଡିଥିଲେ। ଏଥିରେ ଅତୁଲ ନିକିତା ଓ ନିଜ ଶାଶୁଘର ଲୋକଙ୍କୁ ଦାୟୀ କରିଥିଲେ।