ନୂଆଦିଲ୍ଲୀ,୨୬।୮: ଅଷ୍ଟ୍ରେଲିଆ ଏବଂ ଇରାନ ସମ୍ପର୍କରେ ବଢିଲା ଫାଟ। ଇରାନ ସହିତ ସମସ୍ତ କୂଟନୈତିକ ସମ୍ପର୍କ ଭାଙ୍ଗିଲା ଅଷ୍ଟ୍ରେଲିଆ । ଏହା ସହିତ ଇରାନର ରାଷ୍ଟ୍ରଦୂତଙ୍କୁ ଦେଶରୁ ବହିଷ୍କାର କରିଛି। କେବଳ ସେତିକି ନୁହେଁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ଇରାନର ରିଭୋଲ୍ୟୁସନରୀ ଗାର୍ଡକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆର ସୁରକ୍ଷା ଗୁପ୍ତଚର ସଂଗଠନ (ASIO) ଦେଶରେ ଦୁଇଟି ଆକ୍ରମଣ ପାଇଁ ଇରାନର ଇସଲାମିକ୍ ରିଭୋଲ୍ୟୁସନରୀ ଗାର୍ଡ କର୍ପସକୁ ଦାୟୀ କରିଛି।
ଇରାନ ଉପରେ ଅଷ୍ଟ୍ରେଲିଆ ଯିହୂଦୀ-ବିରୋଧୀ ଆକ୍ରମଣ ଚଳାଇଥିବା ଅଭିଯୋଗ କରିଛି। ଗତ ବର୍ଷ, ଅକ୍ଟୋବର ୨୦ରେ ସିଡନୀର ଲୁଇସ୍ କଣ୍ଟିନେଣ୍ଟାଲ କିଚେନ୍ ଏବଂ ଡିସେମ୍ବର ୬ ତାରିଖରେ ମେଲବୋର୍ଣ୍ଣର ଆଡାସ୍ ଇସ୍ରାଏଲ ସିନାଗୋଗ ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଇରାନ ସରକାର ସମ୍ପୃକ୍ତ ଥିବା ଦାବି କରାଯାଇଛି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଲବାନିଜ୍ ଏହି ଆକ୍ରମଣ ସାମାଜିକ ଏକତାକୁ ଦୁର୍ବଳ କରୁଛି ବୋଲି କହିଛନ୍ତି। ଆଲବାନିଜ୍ ଇରାନ ରାଷ୍ଟ୍ରଦୂତ ଅହମ୍ମଦ ସାଦେଘି ଓ ତିନି ଅନ୍ୟ ଦୂତାବାସ କର୍ମଚାରୀଙ୍କୁ ଦେଶ ଛାଡିବାକୁ ୭ ଦିନର ସମୟ ଦେଇଛନ୍ତି। ଦ୍ବିତୀୟ ବିଶ୍ବଯୁ୍ଦ୍ଧ ପରେ ଏହା ପ୍ରଥମ ଥର, ଯେତେବେଳେ ଅଷ୍ଟ୍ରେଲିଆ କୌଣସି ବିଦେଶୀ ରାଷ୍ଟ୍ରଦୂତଙ୍କୁ ଦେଶରୁ ବହିଷ୍କାର କରୁଛି। ସେପେଟ ଇରାନର ରାଜଧାନୀ ତେହରାନରେ ଥିବା ନିଜର ଦୂତାବାସ ସଞ୍ଚାଳନକୁ ଅଷ୍ଟ୍ରେଲିଆ ବର୍ତ୍ତମାନ ପାଇଁ ବନ୍ଦ କରିଛି।
ଆଲବାନିଜ୍ କହିଛନ୍ତି ଯେ, ସିଡନୀ ଏବଂ ମେଲବୋର୍ଣ୍ଣରେ ହୋଇଥିବା ଦୁଇଟି ଆକ୍ରମଣରେ କେହି ଆହତ ହୋଇନାହାନ୍ତି। ଏଗୁଡ଼ିକ ଅଷ୍ଟ୍ରେଲିଆ ମାଟିରେ ବିଦେଶୀ ରାଷ୍ଟ୍ର ଦ୍ୱାରା ସଂଗଠିତ ଅସାଧାରଣ ଏବଂ ଆକ୍ରମଣର ବିପଦଜନକ କାର୍ଯ୍ୟ ଥିଲା। ଏହାସାମାଜିକ ଏକତା ଦୁର୍ବଳ କରିବା ଏବଂ ଆମ ସମ୍ପ୍ରଦାୟରେ ବିଭେଦ ସୃଷ୍ଟି କରିବାର ପ୍ରୟାସ ଥିଲା। ଏହା ସମ୍ପୂର୍ଣ୍ଣ ଭାବରେ ଗ୍ରହଣୀୟ ନୁହେଁ। ସେପେଟ ଅଷ୍ଟ୍ରେଲିଆରେ ଥିବା ଇସ୍ରାଏଲର ଦୂତାବାସ ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସକୁ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛି। ଇସ୍ରାଏଲ କହିଛି, ଆମେ ଦୀର୍ଘ ସମୟ ଧରି ଏଥି ପାଇଁ ସମର୍ଥନ କରିଆସୁଛୁ। ଇରାନର ଶାସନ କେବଳ ଯିହୂଦୀ କିମ୍ବା ଇସ୍ରାଏଲ ପାଇଁ ବିପଦ ନୁହେଁ, ଏହା ଅଷ୍ଟ୍ରେଲିଆ ସମେତ ସମଗ୍ର ବିଶ୍ବ ପାଇଁ ବିପଦ।’