ନୂଆଦିଲ୍ଲୀ,୨୫/୦୨; ଘରୋଇ ଅଷ୍ଟ୍ରେଲିଆ ଓ ଭାରତୀୟ ମହିଳା ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ୬ ୱିକେଟ୍ରେ ବିଜୟ ହାସଲ କରିଛି । ଏହି ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୮.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୪ରନ୍ ସଂଗ୍ରହ କରିଥିଲା । ଜବାବରେ ଘରୋଇ ଦଳ ଆଲିସା ହିଲି ଓ ବେଥ୍ ମୁନିଙ୍କ ଅର୍ଦ୍ଧଶତକ ବଳରେ ୩୮.୨ ଓଭର ମଧ୍ୟରେ ୪ ୱିକେଟ୍ ବିନିମୟରେ ବିଜୟ ହାସଲ କରିଥିଲା । ମୁନି ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ଭାରତ ପାଇଁ ମହଙ୍ଗା ପଡ଼ିଥିଲା । ପ୍ରତ୍ୟାବର୍ତ୍ତନ ମ୍ୟାଚ୍ ଖେଳିଥିବା ପ୍ରତୀକା ରାୱଲ ଖାତା ଖୋଲିପାରି ନଥିଲେ । ଶେଫାଳି ବର୍ମା (୪) ଓ ଜେମିମା ରୋଡ୍ରିଗ୍ସ (୮) ମଧ୍ୟ ନିରାଶ କରିଥିଲେ । ୫୨ରନ୍ ମଧ୍ୟରେ ଦଳ ୩ଟି ୱିକେଟ୍ ହରାଇଥିଲା । ଅନ୍ୟ ଓପନର ସ୍ମୃତି ମନ୍ଧନା ଓ ଅଧିନାୟିକା ହର୍ମନପ୍ରୀତ କୌର ସ୍ଥିତି ସୁଧାରିଥିଲେ । ଦଳୀୟ ସ୍କୋରକୁ ୧୦୦ରେ ପହଞ୍ଚାଇବା ପରେ ମନ୍ଧନା ଆଉଟ୍ ହୋଇଥିଲେ । ସେ ୫୮ (୭ଚୌକା) ରନ୍ କରିଥିଲେ । ଅଲରାଉଣ୍ଡର ଦୀପ୍ତି ଶର୍ମା (୨) ସହଳ ବିଦାୟ ନେଇଥିଲେ । ମାତ୍ର ହର୍ମନପ୍ରୀତ ୫୩, ରିଚା ଘୋଷ ୨୩ ଓ କାଶଭୀ ଗୌତମ ଦ୍ରୁତ ୪୩ (୩ଚୌକା, ୩ଛକା) ରନ୍ ଯୋଗ କରିବା ଫଳରେ ଦଳୀୟ ସ୍କୋର ୨୧୪ରେ ପହଞ୍ଚିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଆସଲି ଗାର୍ଡନର ୩ଟି, ମେଗାନ ସ୍କଟ୍ ୨ଟି ୱିକେଟ୍ ନେଇଥିଲେ । ୨୧୫ରନ୍ ବିଜୟ ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ୭୦ଟି ବଲ୍ ବାକି ଥାଇ ୪ ୱିକେଟ୍ ବିନିମୟରେ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା । ଅନ୍ତିମ ଦିନିକିଆ ସିରିଜ ଖେଳୁଥିବା ହିଲି ୫୦ (୪ଚୌକା) ରନ୍ କରିଥିବାବେଳେ ଫୋଏବ ଲିଚଲ୍ଡ ୩୨, ମୁନି ୭୬ (୫ଚୌକା, ୨ଛକା), ଆନାବେଲ ସୁଦରଲାଣ୍ଡ ଅପରାଜିତ ୪୮ (୪ଚୌକା, ୧ଛକା) ରନ୍ କରିଥିଲେ । ଭାରତ ପକ୍ଷରୁ ଶ୍ରୀ ଚରଣୀ ୨ଟି ୱିକେଟ୍ ନେଇଥିଲେ ।
Australia win the 1⃣st ODI by 6 wickets.
— BCCI Women (@BCCIWomen) February 24, 2026
We shift our focus to the next match in Hobart.
Scorecard ▶️ https://t.co/yUKqC8iLON#TeamIndia | #AUSvIND pic.twitter.com/cVOLwrqqeU
ଏହା ବି ପଢନ୍ତୁ...ଲଜ୍ଜିତ କ୍ରିକେଟ, ଟି-୨୦ ବିଶ୍ୱକପ ସମୟରେ ଜଣେ ବରିଷ୍ଠ ଅଧିକାରୀଙ୍କ ଉପରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ
ହର୍ମନପ୍ରୀତ ଆହତ- ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟିକା ହର୍ମନପ୍ରୀତ କୌର ଆହତ ହୋଇଛନ୍ତି । ବ୍ୟାଟିଂ କରିବା ବେଳେ ତାଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଥିଲା । ୩୮ତମ ଓଭରରେ ଫିଜିଓ ପଡ଼ିଆରେ ପହଞ୍ଚି ତାଙ୍କର ଚିକିତ୍ସା କରିଥିଲେ । ଏହାପରେ ସେ ବ୍ୟାଟିଂ ଜାରି ରଖିଥିଲେ । ସେ ୫୩ ରନ୍ର ଉପଯୋଗୀ ଇନିଂସ୍ ଖେଳି ଆଉଟ୍ ହୋଇଥିଲେ । ମାତ୍ର ହର୍ମନପ୍ରୀତ ଆଉ ଫିଲ୍ଡିଂ ପାଇଁ ପଡ଼ିଆକୁ ଆସି ନଥିଲେ । ତାଙ୍କ ସ୍ଥାନରେ ଉପଅଧିନାୟିକା ସ୍ମୃତି ମନ୍ଧନା ନେତୃତ୍ୱ ଦାୟିତ୍ୱ ସମ୍ଭାଳି ଥିଲେ । ଘରୋଇ ଦଳ ଏହି ମ୍ୟାଚ୍କୁ ୬ ୱିକେଟ୍ରେ ଜିତି ୧-୦ରେ ସିରିଜ ଅଗ୍ରଣୀ ହାସଲ କରିଛି ।